ମନ୍ତ୍ରୀ ଭାଙ୍ଗିଲେ ନିୟମ, ମାନିଲେନି କ୍ଵାରେଣ୍ଟାଇନ୍: କହିଲେ ମେଡିସିନ ଯୋଗାଇବା ମୋ କାମ, ତେଣୁ…
25/05/2020 at 3:57 PM

ନୂଆଦିଲ୍ଲୀ ୨୫।୦୫: ଦେଶରେ ମରଣାନ୍ତକ କରୋନା ଭୂତାଣୁ ସଂକ୍ରମଣର ପ୍ରକୋପ ଜାରି ରହିଛି। କରୋନା ସଂକ୍ରମଣକୁ ପ୍ରତିରୋଧ ଲାଗି ଦେଶରେ ଲକ୍ଡାଉନ୍ ଲାଗୁ ହୋଇଛି। ସରକାର କ୍ରମାଗତ ଜନତାଙ୍କୁ କରୋନା ଭୂତାଣୁ ଓ ଲକ୍ଡାଉନ୍ ପ୍ରତି ସଚେତନ କରାଉଛନ୍ତି। ମାତ୍ର ଏବେ ଜନତାଙ୍କ ପ୍ରତିନିଧିତ୍ଵ କରୁଥିବା ନେତା ଲକ୍ଡାଉନ୍ ନିୟମ ଭାଙ୍ଗୁଥିବା ନଜରକୁ ଆସିଛନ୍ତି। ମୋଦୀ ସରକାରରେ ମନ୍ତ୍ରୀ ଥିବା ସଦାନନ୍ଦ ଗୌଡା ଲକ୍ଡାଉନ୍ ନିୟମ ଭାଙ୍ଗିଛନ୍ତି।
ମୁଁ ଜଣେ ମନ୍ତ୍ରୀ
ଉଲ୍ଲେଖନୀୟ କେନ୍ଦ୍ର ରସାୟନ ଓ ଉର୍ବରକ ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡା ଦିଲ୍ଲୀରୁ ବେଙ୍ଗାଲୁରୁ ପହଞ୍ଚିଥିଲେ। ନିୟମ ଅନୁଯାୟୀ ତାଙ୍କୁ ସାତ ଦିନ ସରକାରୀ କ୍ଵାରେଣ୍ଟାଇନ୍ରେ ଯିବାର ଥିଲା, କିନ୍ତୁ ସେ ଗଲେ ନାହିଁ। ଏହାକୁ ନେଇ ତାଙ୍କୁ ପ୍ରଶ୍ନ ହେବାରୁ ସେ କହିଛନ୍ତି, ମୁଁ ଜଣେ ମନ୍ତ୍ରୀ ଏବଂ ଫାର୍ମାସ୍ୟୁଟିକାଲ ମନ୍ତ୍ରଣାଳୟ ସମ୍ଭାଳୁଛି। ମୋର ଦାୟିତ୍ଵ ଏବଂ କର୍ତ୍ତବ୍ୟ ଏହା ଯେ, ଦେଶର ପ୍ରତି କୋଣକୁ ଔଷଧ ଯୋଗାଇବା।
ସେ କହିଛନ୍ତି, କିଛି ଖାସ୍ ପଦରେ କାମ କରୁଥିବା ବିଶେଷ ଲୋକଙ୍କୁ କ୍ଵାରେଣ୍ଟାଇନ୍ର ମାର୍ଗଦର୍ଶିକାରୁ କୋହଳ ଦିଆଯାଇଛି। ଯେମିତି ଯଦି ଡାକ୍ତର, ନର୍ସ, ଆବଶ୍ୟକ ଔଷଧ ଉପଲବ୍ଧ କରାଉଥିବା ଲୋକଙ୍କୁ କ୍ଵାରେଣ୍ଟାଇନ୍ କରାଯିବ ତେବେ ଆମେ କରୋନା କେମିତି ରୋକି ପାରିବା ବୋଲି ସଦାନନ୍ଦ ଗୌଡା କହିଛନ୍ତି।
ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ସରକାରଙ୍କ ନିୟମ ଅନୁଯାୟୀ, ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଗୁଜରାଟ ଓ ତାମିଲାନାଡୁରୁ ଆସୁଥିବା ସମସ୍ତ ଲୋକଙ୍କୁ ସାତ ଦିନର ସରକାରୀ କ୍ଵାରେଣ୍ଟାଇନ୍ରେ ରହିବା ବାଧ୍ୟତାମୂଳକ କରାଯାଇଛି। ଏହା ସହିତ ଫାର୍ମା ସେକ୍ଟରକୁ ଏହି ନିୟମୟରେ କୌଣସି କୋହଳ ଦିଆଯାଇ ନାହିଁ।