ଚାଷୀ ଆନ୍ଦୋଳନରେ କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ଚର୍ଚ୍ଚା, କହିଲେ କୃଷକଙ୍କୁ ଉସକାଉଛନ୍ତି ଚୀନ୍ ଓ ପାକିସ୍ତାନ!
10/12/2020 at 3:44 PM

ନୂଆଦିଲ୍ଲୀ ୧୦।୧୨: କେନ୍ଦ୍ର ସରକାରଙ୍କର ତ୍ରୁଟିପୂର୍ଣ୍ଣ ନୀତିକୁ ବିରୋଧ କରି ଚାଷୀ ଆନ୍ଦୋଳନକୁ ତୀବ୍ର କରିଛନ୍ତି। ଏଥିରେ କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନବେଙ୍କ ବୟାନ ଏବେ ଚର୍ଚ୍ଚାର କାରଣ ପାଲଟିଛି। ଏହି ଆନ୍ଦୋଳନ ପଛରେ ସେ ଚୀନ୍ ଓ ପାକିସ୍ତାନର ହାତ ଥିବା ସେ କହିଛନ୍ତି। ପ୍ରଥମେ ବିଦେଶୀ ତତ୍ୱମାନେ ଏନଆରସି ଓ ସିଏଏକୁ ନେଇ ଦେଶର ମୁସଲମାନଙ୍କୁ ଉସକାଇଥିଲେ। ହେଲେ ଏଥିରେ ବିଫଳ ହେବାରୁ ଏବେ ଚାଷୀଙ୍କୁ ଆଇନ ଯୋଗୁ ସେମାନେ କ୍ଷତିରେ ପଡିବେ ବୋଲି ଉସକାଉଥିବାର ସେ ଅଭିଯୋଗ କରିଛନ୍ତି।

ମହାରାଷ୍ଟ୍ର ଜାଲନା ଜିଲ୍ଲା ବଦନାପୁର ତାଲ୍ଲୁକରେ ବୁଧବାର ଏକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟନ ଉତ୍ସବକୁ ସମ୍ବୋଧିତ କରିବା ଅବସରରେ ସେ ଏହା କହିଥିଲେ। ସେ କହିଥିଲେ ଦିଲ୍ଲୀରେ ଯେଉଁ ଆନ୍ଦୋଳନ ଚାଲିଛି ତାହା ଆମ ଚାଷୀଙ୍କର ନୁହେଁ ଚୀନ୍ ଓ ପାକିସ୍ତନର ଆନ୍ଦୋଳନ। ଦେଶରେ ସେମାନେ ପ୍ରଥମେ ମୁସଲମାନଙ୍କୁ ଭ୍ରମିତ କରିଥିଲେ। କେନ୍ଦ୍ର ସରକାର ସିଏଏ ଆଣୁଛନ୍ତି ଏନଆରସି ଆଣୁଛନ୍ତି ୬ ମାସରେ ମୁସଲମାନଙ୍କୁ ଦେଶ ଛାଡିବାକୁ ପଡିବ। ହେଲେ ଏଥିରେ ସଫଳ ନ ହେବାରୁ ଏବେ ଚାଷୀଙ୍କୁ ସେମାନେ ମତାଇଛନ୍ତି ବୋଲି ଦାନବେ କହିଛନ୍ତି।

ତେବେ ମନ୍ତ୍ରୀ କେଉଁ ଆଧାରରେ ଏଭଳି ଅଭିଯୋଗ ଆଣୁଛନ୍ତି ସେ ନେଇ ବିସ୍ତିର୍ଣ୍ଣ ଭାବେ କିଛି କହିନଥିଲେ। ହେଲେ ପ୍ରଧାନମନ୍ତ୍ରୀ ଚାଷୀଙ୍କ ପ୍ରଧାନମନ୍ତ୍ରୀ ତାଙ୍କର କୌଣସି ନିଷ୍ପତ୍ତି ଚାଷୀଙ୍କ ସ୍ୱାର୍ଥବିରୋଧରେ କିପରି ଯାଇପାରେ ବୋଲି ସେ ପ୍ରଶ୍ନ କରିଥିଲେ। ତେବେ ଦେଶର ମାମଲାରେ ଚୀନ୍ ଓ ପାକିସ୍ତାନକୁ ଘୋଷାଡିବା ମାମଲାରେ ଶିବସେନା ମୁଖପାତ୍ର ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ସାୱନ୍ତ ତାଙ୍କୁ ପରିହାସ କରିଛନ୍ତି। ମହାରାଷ୍ଟ୍ରରେ ବିଜେପି କ୍ଷମତାରୁ ବିତାଡିତ ହେବା ପରେ ନେତାମାନେ ବିଳବିଳଉଛନ୍ତି ବୋଲି କହିଛନ୍ତି।

ବିଜେପି ନେତାଙ୍କୁ ଚାଷୀ ନାକେଦମ କରିସାରିଲେଣି ବୋଲି ସାୱନ୍ତ କହିଛନ୍ତି। ଏଣୁ ସେମାନେ କେଉଁଠି କେତେବେଳେ କଣ କହିବା ଦରକାର ନିଜେବି ଭାବିପାରୁନଥିବା କହିଛନ୍ତି। ଯାହା ଏବେ ଦେଶରେ ବିଜେପିକୁ ହାସ୍ୟସ୍ପଦ କରୁଥିବା ସାୱନ୍ତ କହିଛନ୍ତି। ସପ୍ତଦଶ ଲୋକସଭାରେ ଦାନବେ ଖାଉଟି କଲ୍ୟାଣ ଓ ଖାଦ୍ୟ ଯୋଗାଣ ରାଷ୍ଟ୍ରମନ୍ତ୍ରୀ ଅବସ୍ଥାପିତ ଅଛନ୍ତି।