ବିସ୍ତାରବାଦୀ ଆମର ଲକ୍ଷ୍ୟ ନୁହେଁ, ଆମର ନୀତି ଶ୍ରୀଲଙ୍କା-ନେପାଳ ଜମି ହଡପ କରିବାର ନୁହେଁ: ନୀତିନ ଗଡକରୀ
10/06/2020 at 5:20 PM

ନୂଆଦିଲ୍ଲୀ ୧୦।୦୬: କେନ୍ଦ୍ର ସଡକ, ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ ବୁଧବାର ମଧ୍ୟପ୍ରଦେଶ ଜନସମ୍ବାଦ ରାଲିକୁ ନାଗପୁରରୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେବେ କ୍ଷମତାରୁ ଆମେ ମାଇଲ୍ ମାଇଲ୍ ଦୂରରେ ଥିଲୁ ସେହି ସମୟରେ ବିଜେପିର କର୍ମକର୍ତ୍ତା ବହୁତ ସଂଘର୍ଷ କରିଥିଲେ। ବିଜେପି କର୍ମକର୍ତ୍ତା ଜେଲ୍ରେ ବନ୍ଦୀ ରହିଲେ କିନ୍ତୁ କେବେ ମଧ୍ୟ ନିଜର ବିଚାରଧାରା ଛାଡି ନାହାନ୍ତି।
ସେ କହିଛନ୍ତି ୧୯୪୭ ପୂର୍ରବୁ ଆମ ଦେଶ ଇଂରେଜଙ୍କ ଗୁଲାମ ଥିଲେ। ଏଥିପାଇଁ ସ୍ଵାଧୀନତା ସଂଗ୍ରାମୀଙ୍କୁ ନିଜର ପ୍ରାଣବଳୀ ଦେବାକୁ ପଡିଛି। ସ୍ଵାଧୀନତା ପରେ ନେହେରୁଙ୍କଠୁ ନେଇ ମନମୋହନ ସିଂହଙ୍କ ପର୍ଯ୍ୟନ୍ତ ଅନେକ ପ୍ରଧାନମନ୍ତ୍ରୀ ଅନେକ ନାରା ଦେଇଛନ୍ତି। ମାତ୍ର ପ୍ରଥମ ଥର ଏନଡିଏ ଶାସନକାଳରେ ବିକାଶକୁ ଅଟଳ ବିହାରୀ ବାଜପେୟୀ ଏକ ନୂତନ ଦିଗ ଦେଖାଇଛନ୍ତି। ଗଡକରୀ କହିଛନ୍ତି କଂଗ୍ରେସ ପାର୍ଟି ଗତ ୫୫ ବର୍ଷରେ ଯାହା କରି ପାରିନଥିଲା ତାହା ଆମେ ୫ ବର୍ଷରେ କରି ଦେଖାଇଛୁ।
ଗଡକରୀ କହିଛନ୍ତି ଆମେ ଆଧୁନିକୀକରଣକୁ ସ୍ଵୀକାର କରିଛୁ, ପ୍ରଯୁକ୍ତିବିଦ୍ୟା ସ୍ଵୀକାର କରିଛୁ। ଆମେ ଏହା ଚିନ୍ତା କରି କାମ କଲୁ ଯେମିତି ଭାରତ ଦୁନିଆର ମହାଶକ୍ତି ହୋଇ ପାରିବ। ଆମ ଦେଶର ସଫ୍ଟଓୟାର ଇଞ୍ଜିନିୟର ଦୁନିଆରେ ନିଜର ପ୍ରତିଭା ବଳରେ ଯଶ ଅର୍ଜନ କଲେ। ପୂରା ବିଶ୍ଵରେ ଭାରତୀୟ ସମୁଦାୟ ନିଜର ଏକ ଆଦର୍ଶ ସ୍ଥାପନ କଲେ।
ରାଷ୍ଟ୍ରବାଦ ଆମର ଆସ୍ଥା ନୁହେଁ, ଜୀବନ
ଗଡକରୀ କହିଛନ୍ତି ରାଷ୍ଟ୍ରବାଦ ଆମର ଆସ୍ଥା ନୁହେଁ, ଜୀବନ ଅଟେ। ସେ କହିଛନ୍ତି, ଆମେ ଦେଶ ପାଇଁ ନିଜର ଜୀବନକୁ ସମର୍ପିତ କରିଛୁ। ପ୍ରଥମ ଥର ଆତଙ୍କବାଦ ଓ ମାଓବାଦୀ ସମାପ୍ତ କରିବାର କାମ ମୋଦୀ ସରକାର କରିଛନ୍ତି। ପ୍ରଥମେ ଆତଙ୍କବାଦର ତୃଷ୍ଟୀକରଣ ହେଉଥିଲା। ବାଟଲା ହାଉସ୍ କାଣ୍ଡ ବିଷୟରେ ଉଲ୍ଲେଖ କରି ଗଡକରୀ କଂଗ୍ରେସ ପାର୍ଟି ଉପରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଆମର ନୀତି ବିସ୍ତାରବାଦୀ ନୁହେଁ। ଆମେ କେବେ ମଧ୍ୟ ନେପାଳ କିମ୍ବା ଶ୍ରୀଲଙ୍କାର ଜମି କବଜା କରିବା କଥା ଚିନ୍ତା କରି ପାରିବୁ ନାହିଁ। ଅଟଳ ଜୀ ଯେଉଁ ବିଦେଶ ନୀତି ଦେଇଛନ୍ତି ତାହାକୁ ଅନୁସରଣ କରି ଆମେ ଚାଲିଛୁ। ଏଥିପାଇଁ ଆଜି ପୂରା ବିଶ୍ଵରେ ଭାରତର ପ୍ରଶଂସା ହେଉଛି।