ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୀମା ବିବାଦର ସମାଧାନ ପାଇଁ ଦେଲେ ୪ଟି ପ୍ରସ୍ତାବ

Published By : Prameya-News7 Bureau | September 22, 2021 IST

ଭୁବନେଶ୍ବର ୨୨।୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନ ମୋହନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ସୀମାବର୍ତ୍ତୀ ଜିଲ୍ଲା କୋରାପୁଟ ଏବଂ ଗଜପତିରେ ଗାଁକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଆପୋଷ ସମାଧାନ ପାଇଁ କେନ୍ଦ୍ର ମନ୍ତ୍ରୀ ଚିଠି ଲେଖିଛନ୍ତି  । ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଚିଠିରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡିଶାବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଆନ୍ଧ୍ର ଏବଂ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଓ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ କିମ୍ବା ଉନ୍ନୟନ କମିଶନରଙ୍କ ସ୍ତରରେ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରିବା ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ମୋଟ ୪ଟି ପ୍ରସ୍ତାବ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କୋରାପୁଟ ପଟ୍ଟାଙ୍ଗୀ ବ୍ଲକ୍ କୋଟିଆ ଗ୍ରାମ ପଂଚାୟତ ଅନ୍ତର୍ଗତ ୨୦ଟି ଗାଁରୁ ଆରମ୍ଭ ହୋଇଥିବା ବିବାଦ ଏବେ ସୀମାବର୍ତ୍ତୀ ଅଞ୍ଚଳ ଗଜପତି ଜିଲ୍ଲାକୁ ମଧ୍ୟ ବ୍ୟାପିଛି । ଏହାଦ୍ବାରା ଆନ୍ତଃରାଜ୍ୟ ସୀମା ବିବାଦ ସୃଷ୍ଟି ହେଉଛି ଯାହା ଗଭୀର ଚିନ୍ତାଜନକ । ଏହିସବୁ ବିବାଦ ଦ୍ବାରା ଆନ୍ଧ୍ର ଏବଂ ଓଡ଼ିଶାର ସୀମାବର୍ତ୍ତୀ ଗାଁର ସୁରକ୍ଷା ଏବଂ ଅଂଚଳବାସୀଙ୍କ ବିକାଶମୂଳକ ଆକାଂକ୍ଷାରେ କ୍ଷତି ପହଁଚାଉଛି । ଏହି ସୀମା ବିବାଦର ସମାଧାନ କରିବା ସମୟସାପେକ୍ଷ ଏବଂ ଏହାକୁ ସମାଧାନ କରିବା ପାଇଁ ଉଚ୍ଚ ସ୍ତରରେ ପରିପକ୍ବ ରାଜନୈତିକ ବ୍ୟକ୍ତିବିଶେଷଙ୍କ ହସ୍ତକ୍ଷେପ, ବୁଝାମଣା ତଥା ସହଯୋଗର ଆବଶ୍ୟକତା ରହିଛି । ତୃଣମୂଳ ସ୍ତରରେ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି କଥାବାର୍ତ୍ତା ମାଧ୍ୟମରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ଉପରେ ଧର୍ମେନ୍ଦ୍ର ପ୍ରଧାନ ଗୁରୁତ୍ବାରୋପ କରିଛନ୍ତି ।

ଏହି ପୃଷ୍ଠଭୂମିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାର ସ୍ବାର୍ଥ ନିମନ୍ତେ ଦ୍ବିପାକ୍ଷିକ ଆଲୋଚନା ପାଇଁ ଏହି ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ୪ଟି ପ୍ରସ୍ତାବ ଦେଇଛନ୍ତି । ପ୍ରଥମତଃ ବିବାଦୀୟ ଗ୍ରାମ ଗୁଡ଼ିକରୁସଶସ୍ତ୍ର ସୁରକ୍ଷା ବଳକୁ ଅପସାରଣ କରାଯାଉ ଏବଂ ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରାଯାଉ । ଦ୍ବିତୀୟତଃ ଗ୍ରାମାଂଚଳର ଭିତ୍ତିଭୂମି, ସ୍ବାସ୍ଥ୍ୟ, ଶିକ୍ଷା ଏବଂ ମୌଳିକ ସୁବିଧାକୁ ବାଦ୍ ଦେଇ ନୂତନ ଢ଼ାଂଚାଗତ ନିର୍ମାଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଉ । ତୃତୀୟତଃ ଏହି ବିବାଦରେ ଆଗାମୀ ଦିନର ରୋଡ଼ମ୍ୟାପ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା କରାଯାଉ । ଚତୁର୍ଥତଃ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ କିମ୍ବା ଉନ୍ନୟନ କମିଶନରଙ୍କ ସ୍ତରରେ ଜଏଣ୍ଟ ଓାର୍କିଂ କମିଟି ବା ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରାଯାଉ ବୋଲି ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେଇଛନ୍ତି । କୋରାପୁଟ ଏବଂ ଗଜପତି ଲୋକଙ୍କର ଦୁର୍ଦ୍ଦଶା ଏବଂ ଚିନ୍ତାକୁ ନେଇ ଜଣେ ଓଡ଼ିଆ ଭାବେ ଧର୍ମେନ୍ଦ୍ର ପ୍ରଧାନ ଦୁଃଖିତ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି । ଆପୋଷ ସମାଧାନ ପାଇଁ ଦ୍ବିପାକ୍ଷିକ ଆଲୋଚନା ଓ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ବ୍ୟକ୍ତିଗତ ସ୍ତରରେ କେନ୍ଦ୍ର ସରକାରଙ୍କ ତରଫରୁ ସମର୍ଥନ ଦେବା ନେଇ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଐତିହାସିକ ଦୃଷ୍ଟିରୁ ବିକାଶମୁଖୀ ଆହ୍ବାନ ଏବଂ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ସାମାନ ଭାବେ ଅଂଶୀଦାର । ଉଭୟ ରାଜ୍ୟ ପୂର୍ବ ଘାଟିରେ ଥିବା ପାହାଡ଼ିଆ ଅଂଚଳରେ ଲୋକଙ୍କ ଜୀବନକୁ ସୁଗମ କରିବା ପାଇଁ ସଂଯୋଗ ସ୍ଥାପନ, ବିକାଶମୂଳକ କାର୍ଯ୍ୟକୁ ସୁନିଶ୍ଚିତ କରିବା ସହ ଭିତ୍ତିଭୂମିର ବିକାଶ କରିବା ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନେଉଛନ୍ତି । ଏହି ବିକାଶମୂଳକ ପଦକ୍ଷେପଗୁଡିକ ବାମପନ୍ଥୀ ଉଗ୍ରବାଦୀ ଦ୍ବାରା ଉପୁଜିଥିବା ସମସ୍ୟାକୁ ସମାଧାନ କରିବା ଦିଗରେ ଫଳପ୍ରଦ ସାବ୍ୟସ୍ତ ହୋଇଛି । ସୀମାବର୍ତ୍ତୀ ଗ୍ରାମାଂଚଳରେ ଶାନ୍ତି ଫେରାଇବା ଏବଂ ବାମପନ୍ଥୀ ଉଗ୍ରବାଦୀ ଉପଦ୍ରବକୁ ଦମନ କରିବା ପାଇଁ ପ୍ରଶାସନ, ପୋଲିସ ଓ ସୁରକ୍ଷା ବଳ, ରାଜନେତା ଏକଜୁଟ୍ ହୋଇ କାମ କରୁଛନ୍ତି ।  କିନ୍ତୁ ଏହା ଦୁର୍ଭାଗ୍ୟଜନକ ଯେ, ସାମ୍ପ୍ରତିକ ପରିସ୍ଥିତିରେ ଆନ୍ତଃରାଜ୍ୟ ସୀମାକୁ ନେଇ ଏକ ବିବାଦ ସୃଷ୍ଟି ହେବା ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଏହିସବୁ ବିବାଦ ଦ୍ବାରା ଏହି ଅଂଚଳରେ ଅନେକ ବର୍ଷ ଧରି ହୋଇଥିବା ବିକାଶମୂଳକ କାର୍ଯ୍ୟ ଦିଗହରା ହେବାର ସମ୍ଭାବନା ରହିଛି । ଏହି ପରିସ୍ଥିତି ଉଭୟ ରାଜ୍ୟର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ସ୍ବାର୍ଥ ଉପରେ ମଧ୍ୟ କୁପ୍ରଭାବ ପକାଇ ଲୋକଙ୍କ ଆସ୍ଥା ହରାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ତେବେ ଓଡିଶାର ଲୋକଙ୍କ ସାମାଜିକ-ଆର୍ଥିକ ସ୍ବାର୍ଥ ସହ ସାଲିସ୍‌ ନକରିବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି । ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ମାମଲାରେ ଏକ ଅନୁକୂଳ ଓ ପରସ୍ପର ସହମତ ଉପରେ ଏକ ଚୁକ୍ତି ଉପରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.