ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ : 'ନିଦରେ ଶୋଇଛନ୍ତି ଦିଦି, ସ୍ଥାଣୁ ପାଲଟିଯାଇଛନ୍ତି ବେଙ୍ଗଲ ସରକାର, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ଖାତିର ନାହିଁ'

Published By : Prameya-News7 Bureau | June 11, 2021 IST

ନୂଆଦିଲ୍ଲୀ ୧୧/ ୦୬ : ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଭିନ୍ନ ପ୍ରସଙ୍ଗକୁ ନେଇ ଧର୍ମେନ୍ଦ୍ର ଦିଦିଙ୍କୁ ଟାର୍ଗେଟ୍‌ କରିଛନ୍ତି । ଟ୍ବିଟ କରି ସେ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ମହିଳାମାନଙ୍କୁ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି, ନିର୍ବାଚନ ପରେ ରାଜନୈତିକ ହିଂସା ତୀବ୍ର ହେବାରେ ଲାଗିଛି ଏବଂ କରୋନା ମହାମାରୀ ଯୋଗୁଁ ବାପା-ମାଙ୍କୁ ହରାଇଥିବା ପିଲାମାନଙ୍କ ସୁରକ୍ଷା ଅଧିକାର ଉପରେ ଆଞ୍ଚ ଆସୁଛି କିନ୍ତୁ ପଶ୍ଚିମବଙ୍ଗ ସରକାର ଉପାୟ ଶୂନ୍ୟ ହେଲା ପରି ଲାଗୁଛି ଏବଂ ଦିଦି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ତୃଣମୂଳ ସରକାରର ବିଫଳତାକୁ ସାମ୍ନାକୁ ଆଣିନାହାନ୍ତି ବରଂ ମମତା ବାନାର୍ଜୀ କିଭଳି ଭାବେ ଲୋକମାନଙ୍କ ସ୍ବାର୍ଥ ସହ ଖେଳୁଛନ୍ତି ଏବଂ ସେମାନଙ୍କୁ ଅନ୍ଧାର ମଧ୍ୟକୁ ଠେଲୁଛନ୍ତି ତାହା ମଧ୍ୟ ଟ୍ବିଟରେ ଲେଖିଛନ୍ତି । ଶାସକ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ବିବାଦ ଘନେଇଥିବା ବେଳେ ଧର୍ମେନ୍ଦ୍ରଙ୍କ ବିବୃତ୍ତି ଆସିଛି। ଏହି ବିବାଦ ଏବେ ନୁହେଁ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଉଭୟ ଦଳ ମଧ୍ୟରେ ଛକାପଞ୍ଝା ଲାଗି ରହିଛି । ଅଧିକନ୍ତୁ, ନିକଟରେ ପଶ୍ଚିମବଙ୍ଗ ନିର୍ବାଚନ ପରେ ଏହି ବିବାଦ ଆହୁରି ବୃଦ୍ଧି ପାଇଛି।

ଏହା ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ମଧ୍ୟ ମମତା ବାନାର୍ଜୀଙ୍କ ଉପରେ ଖୁବ ବର୍ଷିଥିଲେ । ପଶ୍ଚିମବଙ୍ଗରେ କରୋନା ଯୋଗୁଁ ମୃତ୍ୟୁବରଣ କରିଥିବା ପିତା -ମାତାଙ୍କ ଅନାଥ ଶିଶୁମାନଙ୍କୁ ମୌଳିକ ସୁବିଧା ଟିକେ ଯୋଗାଇ ଦେବାରେ ପଶ୍ଚିମବଙ୍ଗ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ବୋଲି ଡଃ. ହର୍ଷବର୍ଦ୍ଧନ କହିଛନ୍ତି । ପରିସ୍ଥିତି ଏପରି ଯେ, ସୁପ୍ରିମକୋର୍ଟଙ୍କ ଆଦେଶକୁ ମଧ୍ୟ ଦିଦି ମାନୁନାହାନ୍ତି । ରାଜ୍ୟରେ କୋଭିଡ ଯୋଗୁଁ କେତେ ସଂଖ୍ୟକ ଶିଶୁ ଅନାଥ ହୋଇଛନ୍ତି ତାହାର ଏକ ତାଲିକା ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ଆଦେଶକୁ ଦିଦି ଖାତିର କରିନଥିବା କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.