ଭ୍ୟାକସିନ୍‌କୁ ନେଇ ପ୍ରଶ୍ନ ଉଠାଉଥିବା ଲୋକଙ୍କୁ ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ‘ସରକାରଙ୍କ ପ୍ରତିଟି ନିଷ୍ପତ୍ତିରେ ବିରୋଧିଙ୍କୁ କେଁ ଦେଖାଯାଏ’

Published By : Prameya-News7 Bureau | January 04, 2021 IST

ସୁରତ ୦୪/୦୧ : ଭାରତ ସରକାରଙ୍କ ପକ୍ଷରୁ ରବିବାର କରୋନା ଭାଇରସର ୨ଟି ଭ୍ୟାକସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯିବା ପରେ ବିବାଦ ବଢିବାରେ ଲାଗିଛି । ବିରୋଧୀ ଦଳର ଅନେକ ନେତା ସରକାରଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । ଏହାରି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏପରି ପ୍ରଶ୍ନ ଉଠାଉଥିବା ନେତାଙ୍କୁ ଦୃଢ ଜବାବ ଦେଇଛନ୍ତି ।

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର କହିଛନ୍ତି ଯେ, ‘ଯେଉଁମାନଙ୍କୁ ବୈଜ୍ଞାନିକ ଏବଂ ଭାରତର ଶକ୍ତି ଉପରେ ଭରଷା ନାହିଁ ସେହିମାନେ ହିଁ ଏପରି ବୟାନ ଦେଉଛନ୍ତି’ । କଂଗ୍ରେସର କିଛି ନେତା ଅଭିଯୋଗ କରିଛନ୍ତି ଯେ, ଭାରତରେ ଭ୍ୟାକସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଥିବା ବେଳେ ଭାରତ ବାୟୋଟେକର ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ କିଭଳି ଅନୁମତି ଦେଲେ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଏହା ସହ ସେ କଂଗ୍ରେସ ଏବଂ ତାର ନେତାମାନଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଏହି ଭ୍ୟାକସିନ୍‌ ଭାରତୀୟ ଫାର୍ମା କମ୍ପାନୀ ଏବଂ ବୈଜ୍ଞାନିକମାନଙ୍କର ବଡ ଉପଲବ୍ଧି । ଦେଶର ଜନସାଧାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି । କିଛି ମନ୍ଦ ବୁଦ୍ଧି ଶ୍ରେଣୀର ଲୋକ କେବେବି ଠିକ ହେବେ ନାହିଁ, ଖାସ କରି କଂଗ୍ରେସକୁ ସବୁ କଥାରେ ଗଡବଡି ଦେଖାଯାଏ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଗୁଜରାଟର ସୁରତରେ ପ୍ରବାସୀମାନଙ୍କ ପାଇଁ ନିର୍ମାଣ ହୋଇଥିବା ଏକ ନିବାସକୁ ଉଦଘାଟନ କରିବା ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି । ଏଥି ସହ ସେ ନୂଆ କୃଷି ଆଇନ ବାବଦରେ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଏହି ଆଇନ ଦ୍ବାରା କୃଷି କ୍ଷେତ୍ରରେ ଅଧିକ ନିବେଶ ଅଧିକ ହେବ । ଚାଷୀମାନଙ୍କୁ ତାଙ୍କର ହକ୍ ମିଳିବା ସହ ଉପଯୁକ୍ତ ମୂଲ୍ୟ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.