ମହିଳା ଓ ଝିଅଙ୍କ ସୁରକ୍ଷା ଲାଗି କେନ୍ଦ୍ର ଗୃହ ବିଭାଗଙ୍କ ଆଡଭାଇଜରୀ, ତ୍ୱରିତ କାର୍ଯ୍ୟାନୁଷ୍ଠାନ ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

Published By : Prameya-News7 Bureau | December 07, 2019 IST

ନୂଆଦିଲ୍ଲୀ ୭।୧୨: ଦେଶରେ ବଢିଚାଲିଥିବା ମହିଳା ସମ୍ପର୍କିତ ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ମହିଳାଙ୍କ ସହ ହେଉଥିବା ସମସ୍ତ ପ୍ରକାର ଅଭିଯୋଗର ତ୍ୱରିତ କାର୍ଯ୍ୟାନୁଷ୍ଠାନ ସହ ମହିଳା ଓ ଝିଅଙ୍କୁ ସୁରକ୍ଷା ଯୋଗାଇଦେବାକୁ ସମସ୍ତ ରାଜ୍ୟ ସରକାରଙ୍କୁ କଡା ତାଗିଦ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ। ଏ ନେଇ ମନ୍ତ୍ରାଳୟ ଆଡଭାଇଜରୀ ଜାରି କରିଥିବା ବେଳେ ମହିଳା ଓ ଝିଅଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଥିବା ଗୃହସଚିବ ଅଜୟ କୁମାର ଭଲ୍ଲା ରାଜ୍ୟ ସରକାରମାନଙ୍କୁ ପତ୍ରଲେଖି ଜଣାଇଦେଇଛନ୍ତି।

ଦେଶରେ ଏଭଳି ଅପରାଧ ନିୟନ୍ତ୍ରଣ ଲାଗି ସରକାର ସାମ୍ବିଧାନିକ ପ୍ରାବଧାନକୁ ମଜଭୁତ କରିବା ଲାଗି ଉଦ୍ୟମ କରୁଥିବା ଗୃହ ସଚିବ ପତ୍ରରେ ସୂଚିତ କରିଥିବା ବେଳେ ଏଥି ଲାଗି ପୋଲିସକୁକଡା ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ଯେପରି ପୋଲିସ ପ୍ରତି ମୂହୁର୍ତ୍ତରେ ଏଭଳି ଅଭିଯୋଗର ମୁକାବିଲା ଲାଗି ଉପଲବ୍ଧ ହୁଏ ଓ ଖୁବ୍ ସ୍ୱଳ୍ପ ସମୟରେ ମାମଲାର ସମାଧାନ କରେ ସେଥିଲାଗି ଯତ୍ନବାନ ହେବାକୁ ବି ଗୃହସଚିବ ପରାମର୍ଶ ଦେଇଛନ୍ତି।

ଯଦି କୌଣସି କ୍ଷେତ୍ରରେ ପୋଲିସ ବିଫଳ ହୁଏ ତେବେ ଏହାକୁ ବିଫଳତା ବୁଝା ଯିବା ସହ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଣୁ ପୋଲିସ କର୍ମଚାରୀଙ୍କୁ  ଆବଶ୍ୟକତା ସ୍ଥଳେ ରିଫ୍ରେସର କୋର୍ସ କରାଇବାକୁ ବି ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ରାଜ୍ୟରେ ଥିବା ଇନଭେଷ୍ଟିଗେସନ ଟ୍ରାକିଙ୍ଗ ସିଷ୍ଟମ ଫର ସେକ୍ସୁଆଲ ଅଫେନସ (ଆଇଟିଏସଏସଓ)କୁ ପୂର୍ଣ୍ଣକାର୍ଯ୍ୟକ୍ଷମ ରଖିବାକୁ ମୁଖ୍ୟ ଶାସନ ସଚିବ ରାଜ୍ୟମାନଙ୍କୁ ପରାମର୍ଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.