ଏପ୍ରିଲ୧୧ରୁ କାର୍ଯ୍ୟସ୍ଥଳରେ ଦିଆଯିବ କରୋନା ଟିକା, ପ୍ରସ୍ତୁତି ଲାଗି ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ
7/04/2021 at 7:17 PM

ନୂଆଦିଲ୍ଲୀ ୭।୪: କେନ୍ଦ୍ର ସରକାର ଖୁବ୍ ଶୀଘ୍ର କାର୍ଯ୍ୟସ୍ଥଳରେ ଟିକାକରଣ କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛନ୍ତି। କୌଣସି କାର୍ଯ୍ୟାଳୟରେ ୧୦୦ରୁ ଅଧିକ ଲୋକ କାର୍ଯ୍ୟକରୁଥିଲେ ଓ ଟିକାକରଣ କରି ନଥିଲେ ସେଠାରେ କୋଭିଡ ଭେକ୍ସିନ ସେଣ୍ଟର କରାଯାଇପାରେ। ଏହି କାର୍ଯ୍ୟକ୍ରମ ୧୧ ଏପ୍ରିଲରୁ ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।
ସୂଚନା ଯୋଗ୍ୟ ଯେ ସାରା ଦେଶରେ ୧ ଏପ୍ରିଲରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ଆୟୁବର୍ଗର ଲୋକଙ୍କ ଟିକାକରଣ ଆରମ୍ଭ ହୋଇସାରିଛି। ଏହା ପୂର୍ବରୁ ଦେଶରେ ୬୦ ବର୍ଷରୁ ଅଧିକ ଆୟୁବର୍ଗର ଲୋକଙ୍କ ଟିକାକରଣ ହୋଇଥିଲା। ଏଥିରେ କାର୍ଯ୍ୟସ୍ଥଳରେ ଉଭୟ ଆୟୁବର୍ଗର ୧୦୦ ଅଧିକ ହିତାଧିକାରୀ ଥିଲେ ସେଠାରେ ଟିକାକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇପାରେ।

କିପରି ଚିହ୍ନଟ ହେବ କାର୍ଯ୍ୟସ୍ଥଳ ଟିକାକରଣ କେନ୍ଦ୍ର
କାର୍ଯ୍ୟସ୍ଥଳ ଟିକାକରଣ କେନ୍ଦ୍ର ଚିହ୍ନଟ ଲାଗି ଜିଲ୍ଲାସ୍ତରରେ ମାଜିଷ୍ଟ୍ରେଟ୍ଙ୍କ ଅଧ୍ୟକ୍ଷତାରେ ଡିଷ୍ଟ୍ରିକ୍ଟ ଟାସ୍କ ଫୋର୍ସ ଓ ସହରାଞ୍ଚଳରେ ମ୍ୟୁନସିପାଲ କମିଶନରଙ୍କ ଅଧ୍ୟକ୍ଷତାରେ ଅର୍ବାନ ଟାସ୍କଫୋର୍ସ ଗଠିତ ହେବ। ଏହି ଟାସ୍କଫୋର୍ସ ଜିଲ୍ଲା ଓ ସହରାଞ୍ଚଳରେ କର୍ମଚାରୀଙ୍କ ସଂଖ୍ୟା ଓ ଟିକା ପ୍ରାର୍ଥୀଙ୍କ ଆଧାରରେ ଟିକାକରଣ କେନ୍ଦ୍ର ଲାଗି ପଦକ୍ଷେପ ନେବେ।
ନୋଡାଲ ଅଫିସର ନିଯୁକ୍ତ କରିବେ କାର୍ଯ୍ୟସ୍ଥଳ ପ୍ରବନ୍ଧନ
ଯେଉଁ କାର୍ଯ୍ୟସ୍ଥଳରେ ଟିକାକରଣ କେନ୍ଦ୍ର ହେବ ସେହି କାର୍ଯ୍ୟାଳୟ ପ୍ରବନ୍ଧନର ଜଣେ ବରିଷ୍ଠ କର୍ମଚାରୀଙ୍କୁ ସଂସ୍ଥା ନୋଡାଲ ଅଫିସରଙ୍କୁ ନିଯୁକ୍ତ କରିବେ। ଏହି ଅଧିକାରୀ ଜିଲ୍ଲା ଓ ସହରାଞ୍ଚଳ ସ୍ୱାସ୍ଥ୍ୟ ପ୍ରଶାସନ ଓ ଘରୋଇ କୋଭିଡ ଟିକାକରଣ କେନ୍ଦ୍ର ସହ ସମନ୍ୱୟ ରକ୍ଷା କରି ଟିକାକରଣ କାର୍ଯ୍ୟକ୍ରମ ପରିଚାଳନା କରିବେ।
କାର୍ଯ୍ୟସ୍ଥଳ ଟିକାକରଣ ଲାଗି ନୋଡାଲ ଅଫିସର ସମସ୍ତ ସୁବିଧା ଉପଲବ୍ଧ କରିବେ। ଏଥିରେ ଟିକା ନେବାକୁ ଥିବା ଲୋକଙ୍କ ପଞ୍ଜିକରଣ ସମେତ ଟିକାକରଣ ସ୍ଥାନରେ ଆଇଟି ସୁବିଧା ମଧ୍ୟ ଉପଲବ୍ଧ କରିବେ। କୋଭିଡ ଟିକାକରଣରେ ଭାରତ ଏବେ ଆମେରିକାକୁ ପଛରେ ପକାଇଛି। ଭାରତରେ ଏବେ ଦୈନିକ ୩୦ଲକ୍ଷ ୯୩ ହଜାର ୮୬୧ ଡୋଜ ଟିକାକରଣ କରାଯାଇପାରୁଛି।