ସମଲିଙ୍ଗୀ ବିବାହ ମାମଲା: ଦିଲ୍ଲୀ ହାଇକୋର୍ଟରେ ଜବାବ ରଖିଲେ କେନ୍ଦ୍ର ସରକାର
14/09/2020 at 6:09 PM

ନୂଆଦିଲ୍ଲୀ ୧୪।୯: ସମଲିଙ୍ଗୀ ବିବାହକୁ ହିନ୍ଦୁ ବିବାହ ଆକ୍ଟରେ ମାନ୍ୟତା ଦେବାଲାଗି ଆଗତ ଜନସ୍ୱାର୍ଥ ମାମଲାର ସୋମବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି। ପ୍ରସଙ୍ଗରେ କେନ୍ଦ୍ର ସରକାର ନିଜର ପକ୍ଷ ରଖିଥିବା ବେଳେ ଏଭଳି ବିବାହ ଆମର ଆଇନ ବ୍ୟବସ୍ଥା, ସମାଜ ଓ ମୂଳ ମାନ୍ୟତା ଅନ୍ତର୍ଗତ ନୁହେଁ ବୋଲି କହିଛନ୍ତି। ସେହିପରି ଯେଉଁପର୍ଯ୍ୟନ୍ତ ନ୍ୟାୟାଳୟଙ୍କ ବିଭିନ୍ନ ଆଇନରେ ପରିବର୍ତ୍ତନ ହୋଇ ନାହିଁ ସେପର୍ଯ୍ୟନ୍ତ ଏପରି ବିବାହକୁ ଆଇନର ମାନ୍ୟତା ମିଳିପାରିବ ନାହିଁ ବୋଲି ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି।
ଏଲଜିବିଟି ସମୂଦାୟର ୮ ଜଣ ସଦସ୍ୟ ଗତ ସେପ୍ଟେମ୍ବର ୮ ତାରିଖରେ ଏ ନେଇ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଡି.ଏନ.ପଟେଲ ଓ ଜଷ୍ଟିସ୍ ପ୍ରତୀକ ଜଲାନଙ୍କ ଦ୍ୱିସଦସୀୟ ଖଣ୍ଡପୀଠରେ ଏହାର ଶୁଣାଣି ହେଉଛି। ଏଥିରେ ଆବେଦନକାରୀ ପିଟିସନରେ ହିନ୍ଦୁ ମ୍ୟାରେଜ୍ ଆକ୍ଟକୁ ଚାଲେଞ୍ଜ କରିଛନ୍ତି। ଏଥିରେ ସେମାନେ ଆଇନର କୌଣସିଠାରେ ଜଣେ ମହିଳା ଓ ପୁରୁଷଙ୍କ ମଧ୍ୟରେ ବିବାହ ହେବ ବୋଲି ଉଲ୍ଲେଖ ନଥିବା ଯୁକ୍ତି କରିଛନ୍ତି।
ସେହିପରି ଭାରତରେ ୨୦୧୮ରେ ସମଲିଙ୍ଗୀ ଅପରାଧ ନୁହେଁ ବୋଲି ଘୋଷିତ ହୋଇଛି, ହେଲେ ବିବାହ କାହିଁକି ଅପରାଧ ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି। ଏଲଜିବିଟି ସମୂଦାୟଙ୍କୁ ସୁପ୍ରିମକୋର୍ଟ ଅନୁମତି ଦେଇସାରିଥିବାରୁ ବିବାହକୁ ମାନ୍ୟତା ନ ଦେବା ସାଂବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ଆବେଦନକାରୀ ତର୍କ କରିଛନ୍ତି। ତେବେ କୋର୍ଟ ଦୁନିଆ ବଦଳୁଥିବାର ତର୍କକୁ ସ୍ୱୀକାର କରିଛନ୍ତି। ହେଲେ ଭାରତରେ ଏହି ସବୁ ପରିବର୍ତ୍ତନକୁ ମାନ୍ୟତାମିଳିବ ଅଥବା ତାର ବିରୋଧ ହେବା ଜରୁରି ନୁହେଁ ବୋଲି କୋର୍ଟ କହିଛନ୍ତି।
ଅବେଦନକାରୀଙ୍କ ପକ୍ଷରୁ ଓକିଲ ଅଭିଜିତ ଆୟର ମିତ୍ର କହିଛନ୍ତି ଯେ ଲୋକଙ୍କ ମଧ୍ୟରେ ଭୟ ରହୁଛି। ସେମାନେ ଯଦି ପ୍ରସଙ୍ଗକୁ ନେଇ ଆଗକୁ ଆସିବେ ତେବେ ହୁଏତ ସେମାନଙ୍କୁ ଲୋକଙ୍କ ରୋଷର ଶିକାର ହେବାକୁ ପଡିପାରେ ବୋଲି ସେମାନେ ଭାବୁଥିବା ଆୟରମିତ୍ର କହିଛନ୍ତି। ଏଥିରେ କୋର୍ଟ ଏପରି ଲୋକଙ୍କ ତାଲିକା କୋର୍ଟରେ ଉପସ୍ଥାପନ କରିବାକୁ କହିଛନ୍ତି ଯେଉଁମାନଙ୍କ ବିବାହ ହିନ୍ଦୁ ମ୍ୟାରେଜ୍ ଆକ୍ଟରେ ପଞ୍ଜିକୃତ ହୋଇନି ତାହା ଉପସ୍ଥାପନ କରିବାକୁ ଓକିଲ ମିତ୍ରଙ୍କୁ କହିଛନ୍ତି। ମାମଲାର ଆଗମୀ ଶୁଣାଣି ଅକ୍ଟୋବର ୨୧ରେ ହେବ।