କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ଆମେରିକାକୁ ଯୋଗାଇ ଦିଆଯିବ hydroxychloroquine ଔଷଧ

Published By : Prameya-News7 Bureau | April 07, 2020 IST

ନୂଆଦିଲ୍ଲୀ ୭।୪:  ଗୁରୁତର କରୋନା ସଂକ୍ରମିତ ଆମେରିକାର ସହାୟତା ଲାଗି ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରସରକାର ମେଲେରିଆ ଓ ଆର୍ଥାରାଇଟସ୍‌ ରୋଗୀଙ୍କ ଉପଚାରରେ ବ୍ୟବହାର ହେଉଥିବା ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଔଷଧ ଆମେରିକା ଲାଗି ଉପଲବ୍ଧ କରିବାକୁ ମଙ୍ଗଳବାର ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ସରକାର ଡିଜିଏଫଟି ନିୟମରେ ପରିବର୍ତ୍ତନ ମଧ୍ୟ କରିଛନ୍ତି।

ସଂଶୋଧିତ ନିୟମ ଅନୁସାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ଓ ପାରାସିଟାମଲକୁ ପୁଣିଥରେ ଲାଇସେନ୍ସ କ୍ୟାଟୋଗରିକୁ ଆଣିଛନ୍ତି। ଫଳରେ ଭାରତ ଏବେ କରୋନା ପ୍ରଭାବିତ ଦେଶମାନଙ୍କୁ ଏହି ଔଷଧ ଯୋଗାଇଦେଇପାରିବ। ଏହା ପୂର୍ବରୁ ବିଦେଶମନ୍ତ୍ରାଳୟଙ୍କ ସୁପାରିଶରେ ଡିଜିଏଫଟି କେବଳ ବିଶେଷ ପରିସ୍ଥିତିରେ ଏପରି ଔଷଧ ରପ୍ତାନୀକୁ ଅନୁମତି ଦେଉଥିଲେ।

ତେବେ ଗତ ଏପ୍ରିଲ ୪ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟେଲିଫୋନ ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଔଷଧ ସହାୟତା ଲାଗି ନିବେଦନ କରିଥିଲେ। ସେହି ଅନୁସାରେ ପ୍ରଧାନମନ୍ତ୍ରୀ ଏପରି ଔଷଧ ଯୋଗାଇ ଦେବାକୁ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଥିବା ବେଳେ ନିୟମରେ ଏହି ସଂଶୋଧନ ହୋଇଛି।

ବିଶେଷଜ୍ଞଙ୍କ ଅନୁସାରେ କୋଭିଡ-୧୯ ଉପଚାରରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ବେଶ୍ ପ୍ରଭାବି ହେଉଛି। ଏଣୁ ଏପ୍ରିଲ ୪ ତାରିଖରେ ଆମେରିକା ରାଷ୍ଟ୍ରପତି ଏଭଳି ଔଷଧ ଯୋଗାଇ ଦେବାକୁ ଅନୁରୋଧ କରିବା ବେଳେ ପ୍ରଧାନମନ୍ତ୍ରୀ ଘରୋଇ ଆବଶ୍ୟକତାକୁ ଦେଖି ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଦେଶରେ ସିପ୍ଲା, ଇନଟାସ୍, କ୍ୟାଡିଲା, ଆଇପିସିଏ ଭଳି କିଛି କମ୍ପାନୀ ହିଁ ଏପରି ଔଷଧ ପ୍ରସ୍ତୁତି କରୁଛନ୍ତି।

ବିଦେଶମନ୍ତ୍ରାଳୟଙ୍କ  ଅଧିକାରୀକ ବୟାନ ଅନୁସାରେ ଆମ ନିକଟରେ ଏପରି ଔଷଧର ବିପୁଳ ଷ୍ଟକ୍ ଅଛି। ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଟାବଲେଟ୍ କୋଭିଡ୍-୧୯ ରୋଗୀଙ୍କ ସମ୍ପର୍କରେ ଆସୁଥିବା ଡାକ୍ତର, ନର୍ସ ଓ ପାରାମେଡିକ କର୍ମଚାରୀଙ୍କ ରୋଗନିରୋଧୀ ଭଳି କାମ କରିବା ସହ ରୋଗୀଙ୍କ ଉପଚାରରେ ମଧ୍ୟ ବ୍ୟବହୃତ ହୋଇପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.