ସାମ୍ବାଦିକ ସମ୍ମିଳନୀରେ ନିର୍ମଳା ସୀତାରମଣଙ୍କ ସୂଚନା,୫ ଟ୍ରିଲିୟନ ଡଲାରର ଅର୍ଥନୀତି ପ୍ରସ୍ତୁତି ଲାଗି ଯୋଜନା କରୁଛନ୍ତି ସରକାର

Published By : Prameya-News7 Bureau | August 30, 2019 IST

ନୂଆଦିଲ୍ଲୀ ୩୦।୮:  ଭାରତୀୟ ଅର୍ଥନୀତିର ମନ୍ଥରତା ଦୂର କରିବା ଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ଶୁକ୍ରବାର ପୁଣି ଗଣମାଧ୍ୟମକୁ ଭେଟିଛନ୍ତି। ଏହି ଅବସରରେ ସେ ଭାରତର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଯୋଜନା କରୁଥିବା କହିଛନ୍ତି। ଏହା ଛଡା ବ୍ୟାଙ୍କିଙ୍ଗ ସେକ୍ଟର ସମ୍ବଦ୍ଧରେ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ହୀତକୁ ଦୃଷ୍ଟିରେ ରଖି ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି।

କ୍ଷତିରେ ଚାଲୁଥିବା ବ୍ୟାଙ୍କମାନଙ୍କ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ଦେଶର ୧୮ଟି ରାଷ୍ଟ୍ରାୟାତ୍ତ ବ୍ୟାଙ୍କ ମଧ୍ୟରୁ ୧୪ଟି ଲାଭରେ ଚାଲିଛି। ତେବେ ବ୍ୟାଙ୍କ ଋଣ ଠକେଇ କରିଥିବା ବ୍ୟବସାୟୀଙ୍କୁ ସରକାର କଦାପୀ କ୍ଷମା ଦେବେ ନାହିଁ। ନିରବ ମୋଦିଙ୍କ ଭଳି ବ୍ୟବସାୟୀମାନଙ୍କ ସମ୍ପତ୍ତି ବ୍ୟାଙ୍କମାନଙ୍କ କ୍ଷତି ଭରଣା କରାଯିବ ବୋଲି ସୀତାରମଣ କହିଛନ୍ତି । ଏହା ଛଡା ବ୍ୟାଙ୍କିଙ୍ଗ ସେକ୍ଟରରେ ମର୍ଜର ନେଇ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।  

ସାମ୍ବାଦିକ ସମ୍ମିଳନୀରେ ସୀତାରମଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହ ୟୁନାଇଟେଡ୍ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଓରିଏଣ୍ଟଲ ବ୍ୟାଙ୍କର ବିଲୟ ହେବ ବୋଲି କହିଛନ୍ତି। ଏହି ବିଲୟ ଦ୍ୱାରା ପିଏନବି ଦେଶର ଦ୍ୱିତୀୟ ବୃହତ୍ତ ବ୍ୟାଙ୍କରେ ପରିଣତ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ସାମ୍ବାଦିକଙ୍କୁ କହିଥିବା ବେଳେ କ୍ୟାନାରା ବ୍ୟାଙ୍କ ଓ ସିଣ୍ଡିକେଟ୍ ବ୍ୟାଙ୍କର ବିଲୟର ସୂଚନା ଦେଇଛନ୍ତି। କେବଳ ଏତିକି ନୁହେଁ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ସହ ଆନ୍ଧ୍ରାବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ବିଲୟ ଏବଂ  ଇଣ୍ଡିଆନ ବ୍ୟାଙ୍କରେ ଏଲହାବାଦ ବ୍ୟାଙ୍କର ବିଲୟ ହେବ । ଏହି ସବୁ ବିଲୟ ପରେ ଦେଶକୁ ସପ୍ତମ ବଡ ପିଏସୟୁ ବ୍ୟାଙ୍କ ମିଳିବ ବୋଲି କହିଛନ୍ତି ସୀତାରମଣ।  କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଏହି ଘୋଷଣା ପରେ ଏବେ ଦେଶରେ ପିଏସବିଏସ୍ ବ୍ୟାଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। ୨୦୧୭ ମସିହାରେ ଦେଶରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ସଂଖ୍ୟା ୨୭ ଥିଲା।

ତେବେ ବ୍ୟାଙ୍କମାନଙ୍କୁ ଚିଫ ରିସ୍କ ଅଫିସର ନିଯୁକ୍ତି ଲାଗି ଅର୍ଥମନ୍ତ୍ରୀ ପରାମର୍ଶ ଦେଇଥିବା ବେଳେ ଏହି ଅଧିକାରୀଙ୍କୁ ବ୍ୟାଙ୍କ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ସମୀକ୍ଷା କରିବାର ଶକ୍ତି ରହିବ ବୋଲି କହିଛନ୍ତି। ସାମ୍ବାଦିକ ସମ୍ମିଳନୀକୁ ସୂଚନା ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ଦେଶର ହାଉସିଂ ଫାଇନାନ୍ସ ସେକ୍ଟରକୁ ୩ହଜାର ୩୦୦ କୋଟି ଟଙ୍କାର ସହଯୋଗ କରିବେ। ଫଳରେ ହାଉସିଂ ସେକ୍ଟରରେ ଦେଖା ଦେଇଥିବା ମାନ୍ଦାବସ୍ଥା ପୁଣି ସୁଧୁରିଯିବ।

ଦେଶରେ ଚାଲିଥିବା ସାଇନବୋର୍ଡ କମ୍ପାନୀମାନେ ବନ୍ଦ ହୋଇଯାଇଥିବା ଅର୍ଥମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିବା ବେଳେ ଏଭଳି ନକଲି କମ୍ପାନୀଙ୍କ ସଂଖ୍ୟା ପ୍ରାୟ ୩ଲକ୍ଷରୁ ଅଧିକ ଥିଲା ବୋଲି ସୂଚନା ଦେଇଛନ୍ତି। ଶୁକ୍ରବାର ଅର୍ଥମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ ପରେ ସେୟାର ବଜାରରେ ପୁଣି ଚମକ୍ ଫେରିଛି। କାରବାର ଶେଷ ହେବା ସୁଦ୍ଧା ବିଏସଇ ସୂଚକାଙ୍କ ୨୬୩.୮୬ ଅଙ୍କରେ ପହଞ୍ଚିଛି। ଫଳରେ ବଜାର ୩୭,୩୩୨ ଅଙ୍କରେ ମଜଭୁତିର ସହ ବନ୍ଦ ହୋଇଛି।  ସେହିପରି ନିଫ୍ଟି ୭୪.୯୫ ଅଙ୍କ(୦.୬୮ପ୍ରତିଶତ) ମଜଭୁତ ହୋଇଥିବା ବେଳେ କାରବାର ଶେଷ ସୁଦ୍ଧା ବଜାର ୧୧,୦୨୩.୨୫ ଅଙ୍କରେ ବନ୍ଦ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.