ପିଓକେ ଆକ୍ସନର ଲଗାତାର ଅପଡେଟ୍ ନେଉଛନ୍ତି ରାଜନାଥ, କ୍ଷୟକ୍ଷତି ସ୍ୱୀକାର କଲା ପାକ୍
20/10/2019 at 3:50 PM

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ତଙ୍ଗଧାର ସେକ୍ଟରରେ ପାକ୍ ସେନା ସିଜ୍ ଫାୟାର ଉଲ୍ଲଂଘନ କରିବା ଘଟଣାରେ ଭାରତୀୟ ସେନା ଦୃଢ ଜବାବ ଦେଇଛି। ତୋପ ଲଗାଇ ସୀମା ସଲଗ୍ନ ଆତଙ୍କବାଦୀଙ୍କ କ୍ୟାମ୍ପ ସମେତ ପାକ୍ ରେଞ୍ଜରଙ୍କ ଠିକଣା ଉଡାଇ ଦେଇଛନ୍ତି ଭାରତୀୟ ସେନା। ଏହି କାର୍ଯ୍ୟାନୁଷ୍ଠାନରେ ୭ଟି ଆତଙ୍କବାଦୀ କ୍ୟାମ୍ପ ଧ୍ୱଂସ୍ତ ହୋଇଥିବା ବେଳେ ୧୧ ଜଣ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିବାର ସୂଚନା ମିଳିଛି। କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପରିସ୍ଥିତିର ସମୀକ୍ଷା କରିବା ସହ ଲଗାତାର ସେନା ସହ ସମ୍ପର୍କରେ ରହିଛନ୍ତି। ଏବେ ରାଜନାଥଙ୍କୁ ସ୍ଥଳସେନାଧ୍ୟକ୍ଷ ବିପିନ ରାବତ ପ୍ରତିମୂହୁର୍ତ୍ତର ଅପଡେଟ ଦେଉଛନ୍ତି।

ଆତଙ୍କବାଦୀଙ୍କୁ ସୀମାରେ ଅନୁପ୍ରବେଶ କରାଇବା ଲାଗି ପାକ୍ ସେନା ଯୁଦ୍ଧବିରାମ ଉଲ୍ଲଂଘନ କରିଥିଲେ। ଫଳରେ ଭାରତୀୟ ସେନାର ୨ ଜଣ ଜବାନ ଶହିଦ ହୋଇଥିବା ବେଳେ ଭାରତୀୟ ସେନା ତଙ୍ଗଧାର ସେକ୍ଟର ସେପାଖରୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଉଦ୍ୟମ କରୁଥିବା ପାକ୍ ଅଧିକୃତ କାଶ୍ମୀରର ଜୁରା, ଅଠମୁକମ , କୁଣ୍ଡଲସାହି ଓ ନିଲମ ଭ୍ୟାଲିର ସେନା ଓ ଆତଙ୍କବାଦ କ୍ୟାମ୍ପକୁ ଟାର୍ଗେଟ୍ କରିଛି। ଫଳରେ ପାକ୍ ସେନା ଓ ଆତଙ୍କବାଦ ଶିବର ଧ୍ୱଂସ୍ତ ହୋଇଥିବା ପାକ୍ ସେନା ସ୍ୱୀକାର କରିଛି।

ଏହି ଆକ୍ରମଣ ଲାଗି ଭାରତୀୟ ସେନା ହେଭି ଆର୍ଟିଲାରୀର ଉପଯୋଗ କରିଥିବା ପାକ୍ ସେନା କହିଥିବା ବେଳେ ଏଥି ଯୋଗୁ ବିପୁଳ ଧନ ଓ ଜୀବନହାନୀ ହୋଇଛି। ଏବେ କ୍ଷୟକ୍ଷତିର ଆକଳନ କରାଯାଉଥିବା ପାକ୍ ସେନା କହିଛି। ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନ ଯୋଗୁ ପାକ୍ ସେନାର ୧୧ ଜଣ ଜବାନ ନିହତ ହୋଇଥିବା ବେଳେଅନୁନ୍ୟ ୨୨ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ତେବେ ପାକ୍ ଏହାକୁ ସ୍ୱୀକାର କରିନାହିଁ।

ସୀମାରେ ଉତ୍ତେଜନା ସୂଚନା ମିଳିବା ପରଠାରୁ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଲଗାତାର ସେନାସହ ସମ୍ପର୍କରେ ରହିଛନ୍ତି। ଆର୍ମୀ ମୁଖ୍ୟ ବିପିନ ରାବତ ସୀମା ପରିସ୍ଥିତିର ପ୍ରତିମୁହୁର୍ତ୍ତ ଅପଡେଟ୍ ଦେଉଛନ୍ତି। ଚୀନ ସୀମାବର୍ତ୍ତି ଭାରତର ଲଦ୍ଦାଖରେ ସୋମବାର ରାଜନାଥ ଶିବାଙ୍ଗ ରିନସୋନ ପୋଲ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି ରାଜନାଥ ଓ ସ୍ଥଳସେନା ମୁଖ୍ୟଙ୍କ ଲଦ୍ଦାଖ ଗସ୍ତ କାର୍ଯ୍ୟକ୍ରମ ଥିବା ବେଳେ ପିଓକେରେ ପାକ୍ ସେନା ଉତ୍ତେଜନା ସୃଷ୍ଟି କରିଛି। ରାଜନାଥ ଚୀନ ସୀମାନ୍ତ ବର୍ତ୍ତି ବାସ୍ତବିକ୍ ନିୟନ୍ତ୍ରଣ ରେଖା ନିକଟରେ ଏହି ସେତୁକୁ ଉଦଘାଟନ କରିବେ।