ଜମ୍ମୁ-କାଶ୍ମୀରରେ ଅଭୂତପୂର୍ବ ପରିସ୍ଥିତି : ଆସନ୍ତାକାଲି ସକାଳ ୯ଟାରେ କ୍ୟାବିନେଟ୍ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | August 04, 2019 IST

ନୂଆଦିଲ୍ଲୀ ୪|୮: ଜାମ୍ମୁ କାଶ୍ମୀରକୁ ନେଇ ଜାରି ରହିଛି ସସପେନ୍ସ । କାଶ୍ମୀରକୁ ନେଇ କେନ୍ଦ୍ର ସରକାର କ'ଣ ବଡ଼ ନିଷ୍ପତ୍ତି ନେବେ ଯାହା ଉପରେ ସାରା ଦେଶର ନଜର ରହିଛି । ଏହାକୁ ନେଇ ଦେଶସାରା ବିଭିନ୍ନ କଲ୍ପନାଜଲ୍ପନା ପ୍ରକାଶ ପାଉଥିବା ବେଳେ ଜାମ୍ମୁ କାଶ୍ମୀର ରାଜ୍ୟବାସୀଙ୍କର କିନ୍ତୁ ଧୈର୍ଯ୍ୟଚ୍ୟୁତି ହେଉଛି ।ବିଶେଷ କରି ଜାମ୍ମୁ କାଶ୍ମୀରକୁ ଗତ ଦୁଇ ସପ୍ତାହରେ ଯେଉଁଭଳି ବହୁ ସଂଖ୍ୟାରେ ଅର୍ଦ୍ଧସାମରିକ ବାହିନୀର ଯବାନ ଯାଉଛନ୍ତି ସେଥିରୁ କେନ୍ଦ୍ର କିଛି ଗୋଟେ ବଡ଼ ନିଷ୍ପତ୍ତି ନେଇପାରେ ବୋଲି ଆଲୋଚନା ହେଉଛି ।

{"id":140837}

କ'ଣ ଚାଲିଛି କାଶ୍ମୀର ରଣନୀତିକାର ମାନଙ୍କର ମସ୍ତିଷ୍କରେ । କ'ଣ ସେମାନେ କରିବାକୁ ଯାଉଛନ୍ତି ଯେଉଁଥି ପାଇଁ କାଶ୍ମୀରରେ ମୁତୟନ ନିୟମିତ ସେନା ଯବାନ ଓ ଅର୍ଦ୍ଧସାମରିକ ବାହିନୀ ସହିତ ଦରକାର ପଡ଼ିଛନ୍ତି ୩୫ ହଜାରରୁ ଅଧିକ ଯବାନ । ସାରା ଦେଶରୁ କାଶ୍ମୀର ଅଭିମୁଖେ ଛୁଟିଛନ୍ତି ସିଆର୍‌ପିଏଫ୍ ଏବଂ ବିଏସ୍‌ଏଫ୍‌ ଯବାନ । ଏପରିକି ଓଡ଼ିଶା ସମେତ ଦେଶର ଅନ୍ୟ ରାଜ୍ୟର ମାଓବାଦୀ ପ୍ରବଣ ଅଞ୍ଚଳରୁ ଅର୍ଦ୍ଧସାମରିକ ବାହିନୀ ଯବାନ ସେଠାକୁ ଯାଉଛନ୍ତି ।

{"id":140838,"width":579,"height":385}

ଏମିତି ସ୍ଥିତିରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସଂସଦ ପରିସରରେ ଅଫିସରେ ଆଲୋଚନା କରିଛନ୍ତି । ଯାହା ଏହି କଳ୍ପନାଜଲ୍ପନାକୁ ଆହୁରି ବଢ଼ାଇ ଦେଇଛି ।ବୈଠକରେ ଗୃହ ସଚିବ ରାଜୀବ ଗୌବା ମଧ୍ୟ ଉପସ୍ଥିତ ଥିଲେ । ତେବେ ଏ ବୈଠକରେ କଣ ଆଲୋଚନା ହୋଇଛି ତାହାର ଟିକିଏ ବି ସୁରାଗ୍‌ ମିଳିପାରିନାହିଁ । ସୋମବାର ସକାଳ ସାଢେ ୯ଟାରେ ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ର କ୍ୟାବିନେଟ୍‌ ବୈଠକ ଡକାଇଛନ୍ତି । ସେହି ବୈଠକରେ କିଛି ବଡ଼ ନିଷ୍ପତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

{"id":140839,"width":578,"height":324}

କାଶ୍ମୀରର ଏ ସ୍ଥିତି ନେଇ ଉତ୍ତର ଚାହିଁଛନ୍ତି ପିଡିପି ନେତ୍ରୀ ମେହବୁବା ମୁଫତି । ମେହବୁବା ସିଧା ନିଶାନା ସାଧିଛନ୍ତି ମୋଦିଙ୍କୁ । ଟ୍ବିଟ୍‌ କରିଛନ୍ତି ଅମରନାଥ ଯାତ୍ରୀ, ପର୍ଯ୍ୟଟକ, ଶ୍ରମିକ, ଛାତ୍ର, କ୍ରିକେଟରଙ୍କୁ ରାଜ୍ୟ ଛାଡ଼ିବାକୁ କୁହାଯାଉଛି । ରବିବାର ମେହବୁବା ଏକ ହୋଟେଲରେ ଆଞ୍ଚଳିକ ଦଳ ଗୁଡ଼ିକର ବୈଠକ ଡକାଇଥିବା ବେଳେ ପୋଲିସ କିନ୍ତୁ ଏଥିପାଇଁ ଅନୁମତି ଦେଇନଥିଲା ।

{"id":140708}

ଧାରା ୩୫-ଏ ଏବଂ ୩୭୦ରେ କିଛି ପରିବର୍ତ୍ତନ କରାଯିବାକୁ ଚେଷ୍ଟା କଲେ ଏହାର ପରିଣତି ଖୁବ୍ ଭୟାବହ ହେବ ବୋଲି କହିଛନ୍ତି ମେହବୁବା । କଂଗ୍ରେସ ମଧ୍ୟ ମେହବୁବାଙ୍କ ସହିତ ସ୍ବର ମିଳାଇଛି । ତେବେ ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଳ ମଲ୍ଲିକ କହିଛନ୍ତି ଲୋକେ ଆତଙ୍କିତ ହେବାର କିଛି କାରଣ ନାହିଁ । କେନ୍ଦ୍ର ତରଫରୁ ଏନେଇ କିଛି ସୂଚନା ନାହିଁ ଏବଂ କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଗୁଜବ ସୃଷ୍ଟି କରୁଛନ୍ତି ।

{"id":72313}

ସୋମବାର ସଂସଦରେ କାଶ୍ମୀର ପ୍ରସଙ୍ଗକୁ ନେଇ ସ୍ଥିତି ଗରମାଗରମ ରହିବାର ସମ୍ଭାବନା ଅଛି । ପିଡିପି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବ ବୋଲି କହିସାରିଥିବା ବେଳେ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ଗୁଡ଼ିକ ମଧ୍ୟ ଏନେଇ ସ୍ବର ମିଳାଇବେ । ସେହିଭଳି ଦିଲ୍ଲୀରେ ଚାଲିଥିବା ବିଜେପି ସାଂସଦମାନଙ୍କର ବୈଠକରେ ବିରୋଧୀଙ୍କର କିପରି ମୁକାବିଲା କରାଯିବ ସେ ନେଇ ଆଲୋଚନା ହୋଇଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.