ଜମ୍ମୁ-କାଶ୍ମୀର ସସ୍‌ପେନ୍ସ : ସୀମାରେ ପ୍ରବଳ ଗୁଳିଗୋଳା ବର୍ଷଣକୁ ନେଇ ଗୃହମନ୍ତ୍ରୀଙ୍କ ଜରୁରୀ ବୈଠକ, ଆସନ୍ତାକାଲି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ

Published By : Prameya-News7 Bureau | August 04, 2019 IST

ନୂଆଦିଲ୍ଲୀ ୪|୮: କାଶ୍ମୀରରେ କିଛି ଗୋଟିଏ ବଡ଼ ଘଟଣା ଘଟିବାକୁ ଯାଉଛି ଏମିତି କଳ୍ପନା ଜଳ୍ପନା ସାରା ଦେଶରେ ଚାଲିଥିବା ବେଳେ ମୋଦି ସରକାର ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ ଡାକିଛନ୍ତି । ଆସନ୍ତାକାଲି ସଂସଦ କାର୍ଯ୍ୟ ଆରମ୍ଭ ପୂର୍ବରୁ ସକାଳ ସାଢ଼େ ୯ଟାରେ କ୍ୟାବିନେଟ୍ ବୈଠକ ବସିବ ।  ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନ ୭ ଲୋକକଲ୍ୟାଣ  ମାର୍ଗରେ ବସିବାକୁ ଥିବା ବୈଠକରେ କାଶ୍ମୀର ପ୍ରସଙ୍ଗରେ ଆଲୋଚନା ହେବା ନେଇ  ଅନୁମାନ କରାଯାଉଛି । 

ଅନ୍ୟପଟେ ସୀମାରେ ପ୍ରବଳ ଗୁଳିଗୋଳା ବର୍ଷଣକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ  ଅମିତ ଶାହା  ସଂସଦ ଭବନରେ ଏକ ବୈଠକ ଡାକିଛନ୍ତି ।  ଜାତୀୟ ସୁରକ୍ଷା ପରାମର୍ଶଦାତା  ଅଜିତ ଡୋଭାଲ ଓ ଗୃହ ସହିବ ଅଜିତ ଗୌବା ଓ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି । 

ଗତ କିଛି ଦିନ ଧରି ସୀମାରେ ଅନୁପ୍ରବେଶ ଉଦ୍ୟମ ବଢ଼ିଥିବା ବେଳେ ଭାରତୀୟ ସେନା ଏହାକୁ ପ୍ରତିହତ କରିବାରେ ସକ୍ଷମ ହୋଇଛି ।  କେରାନରେ ଅନୁପ୍ରବେଶ ଉଦ୍ୟମ ବେଳେ ୭ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ।  ସେପଟେ ଜାମ୍ମୁ କାଶ୍ମୀର ୧୦ ପ୍ରତିଶତ ସଂରକ୍ଷଣ ବିଲ୍ ଆସନ୍ତାକାଲି ରାଜ୍ୟସଭାରେ ଆଗତ ହେବ । ଗୃହ ମନ୍ତ୍ରୀ ଅମିତ  ଶାହା ବିଲ୍  ଉପସ୍ଥାପନ କରିବେ ।  କାଶ୍ମୀରର ଆର୍ଥିକ ଅନଗ୍ରସର ଯୁବକଯୁବତୀଙ୍କୁ  ଚାକିରୀ କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଦେବା ଲାଗି ଏଥିରେ ବ୍ୟବସ୍ଥା ରହିଛି । 

କାଶ୍ମୀର ପ୍ରସଙ୍ଗ ଆସନ୍ତାକାଲି ଗୃହରେ ଉଠାଇବା ପାଇଁ ବିରୋଧୀ ଦଳଗୁଡ଼ିକ କହିସାରିଛନ୍ତି ।  କାଶ୍ମୀରରେ କାହିଁକି  ସେନା ପଠାଇବା ଜରୁରୀ ପଡ଼ିଲା ଏହି ପ୍ରସଙ୍ଗ ଆସନ୍ତାକାଲି ଶୂନ୍ୟକାଳରେ  ଉଠାଇବା  ଲାଗି ନୋଟିସ ଦେଇଛି ପିଡିପି ।  ସେହିପରି ଏହି ପ୍ରସଙ୍ଗକୁ କିଭଳି ସାମ୍ନା କରାଯିବ ସେନେଇ ବିଜେପିର ମଧ୍ୟ ଏକ ବୈଠକ ବସିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.