କେନ୍ଦ୍ର କ୍ୟାବିନେଟ୍: ବୁଧବାର ହେବାକୁ ଥିବା ବୈଠକରେ ବଡ ସଙ୍କେତ ଦେଇ ପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | June 29, 2021 IST

ନୂଆଦିଲ୍ଲୀ ୨୯।୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂପ୍ରତି ନିଜ ସରକାରର ଛବି ସୁଧାରିବା ମୁଡରେ ଅଛନ୍ତି। ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ବଦଳିବା ପରେ ଉତ୍ତର ପ୍ରଦେଶକୁ ନେଇ ବଡ ସମୀକ୍ଷା ବୈଠକ ସଂପନ୍ନ ହୋଇ ସାରିଛି। ଜମ୍ମୁ-କଶ୍ମୀରକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ଉପତ୍ୟକାର ବିଭିନ୍ନ ରାଜନୈତିକ ଦଳର ୧୪ ନେତାଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏଥିସହ କେନ୍ଦ୍ର ସରକାର ମନ୍ତ୍ରଣାଳୟର କାର୍ଯ୍ୟର ସମୀକ୍ଷା ମଧ୍ୟ କରିଛନ୍ତି। ଅନେକ ମନ୍ତ୍ରଣାଳୟର ସମୀକ୍ଷା ବୈଠକରେ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ। ଏହି କ୍ରମରେ ପ୍ରଧାନମନ୍ତ୍ରୀ ବୁଧବାର କେନ୍ଦ୍ର ମନ୍ତ୍ରିପରିଷଦ ବୈଠକର ସମୀକ୍ଷା କରିବେ।

ପ୍ରଧାନମନ୍ତ୍ରୀଙ୍କ ବୁଧବାର ବୈଠକକୁ ବହୁତ ଗୁରୁତ୍ଵପୂର୍ଣ୍ଣ କୁହାଯାଉଛି। ଏହାକୁ ନେଇ କେନ୍ଦ୍ର ସଚିବାଳୟରେ ମଧ୍ୟ ଅଧିକାରୀଙ୍କ ମଧ୍ୟରେ ମାହୋଲ ସରଗରମ ରହିଛି। କିଛି ମନ୍ତ୍ରଣାଳୟର ଅଧିକାରୀ ନିଜ ମନ୍ତ୍ରଣାଳୟକୁ ନେଇ କଣ ନିଷ୍ପତ୍ତି ହୋଇଛି ତାହା ଜାଣିବାକୁ ବହୁତ ଉତ୍ସୁକ। ସୂଚନା ଅନୁଯାୟୀ, କେନ୍ଦ୍ର ମନ୍ତ୍ରିମଣ୍ଡଳର ଅଦଳବଦଳ ଏବଂ ସଂପ୍ରସାରଣ ଦିଗରେ ଏହା ଅନ୍ତିମ ବୈଠକ। ଏଥିରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେଇ ବଡ ସନ୍ଦେଶ ଦେଇ ପାରନ୍ତି। ମନ୍ତ୍ରିମଣ୍ଡଳ ଅଦଳବଦଳଠୁ ନେଇ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ କିଛି ବଡ ଘୋଷଣା ହୋଇପାରେ।

ଗତ ଅନୁଭବକୁ ଆଧାରକୁ ନେଇ କୁହାଯାଇ ପାରିବ ଯେ, ରାଜ୍ୟଗୁଡିକରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ସରକାର ମନ୍ତ୍ରିମଣ୍ଡଳର ନିର୍ଦ୍ଧାରଣ କରିବେ। ପ୍ରଧାନମନ୍ତ୍ରୀ ତିନି ଚାରି ମନ୍ତ୍ରୀଙ୍କ କାମରେ ସନ୍ତୁଷ୍ଟ ନାହାନ୍ତି। ତେଣୁ ଉକ୍ତ ମନ୍ତ୍ରୀଙ୍କୁ ସେ ମନ୍ତ୍ରିମଣ୍ଡଳରୁ  ବିଦା କରି ପାରନ୍ତି। ପ୍ରାୟ ୧୨ ନୂତନ ଚେହେରାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯାଇପାରେ। ଉତ୍ତର ପ୍ରଦେଶ ଓ ଗୁଜରାଟକୁ ଖାସ୍ ପ୍ରତିନିଧିତ୍ଵ ମିଳିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.