କର୍ମଚାରୀଙ୍କ ମହଙ୍ଗାଭତ୍ତା ଉପରୁ ଉଠିଲା ରୋକ, ୩୧ଜାଗାରେ ମିଳିଲା ୨୮ ପ୍ରତିଶତ, ୧୮ ମାସର ବକେୟା ଏରିଅରକୁ ନେଇ ତେଜିଲା ଅସନ୍ତୋଷ

Published By : Prameya-News7 Bureau | July 14, 2021 IST

ନୂଆଦିଲ୍ଲୀ ୧୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକରେ ୧୮ ମାସ ହେଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଓ ମହଙ୍ଗା ରିହାତି (ଡିଏ ଓ ଡିଆର) ଉପରେ ଲାଗୁ ରୋକ ହଟାଇବାକୁ ନିଷ୍ପତ୍ତି ହୋଇଛି। ଫଳରେ କେନ୍ଦ୍ର ସରକାରଙ୍କ ୪୮ ଲକ୍ଷରୁ ଅଧିକ କର୍ମଚାରୀ ଓ ୬୫ ଲକ୍ଷରୁ ଅଧିକ ପେନସନଭୋଗୀଙ୍କ ଡିଏ ଓ ଡିଆର ବୃଦ୍ଧିରେ ଥିବା ପ୍ରତିବନ୍ଧକ ହଟି ଯାଇଛି।  ଏ ନେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଏଥିରେ ସେ କର୍ମଚାରୀଙ୍କ ଭତ୍ତା ଓ ରିହାତି ହାର ୧୭ ପ୍ରତିଶତରୁ ବଢାଇ ୨୮ ପ୍ରତିଶତ କରାଯାଇଥିବା ଘୋଷଣା କରିଛନ୍ତି।

କେନ୍ଦ୍ର କର୍ମଚାରୀମାନେ ଏଥିରେ ୧୮ ମାସର ଏରିୟର ଘୋଷଣାକୁ ନେଇ ଅପେକ୍ଷା କରି ରହିଥିଲେ। ହେଲେ ସେ ନେଇ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ପଦଟିଏ ବି ନ କହିବା ଏବେ କର୍ମଚାରୀ ଓ ପେନସନର ନିରାଶ ହୋଇଛନ୍ତି। ସେପଟେ ସରକାର ୧୮ ମାସ ଧରି ବନ୍ଦ ରଖିଥିବା ମହଙ୍ଗାଭତ୍ତା ଓ ରିହାତି ବାବଦେ କର୍ମଚାରୀ ଓ ପେନସନରଙ୍କୁ ୩୧ ପ୍ରତିଶତ ଅଭିବୃଦ୍ଧି ମିଳିବା କଥା। ତେବେ ସରକାର ସେମାନଙ୍କ ଲାଗି୨୮ ପ୍ରତିଶତ ଘୋଷଣା କରିବା କର୍ମଚାରୀ ଅସନ୍ତୋଷର କାରଣ ପାଲଟିଛି।

{"id":480580,"width":839,"height":559,"sizeSlug":"large","linkDestination":"none"}

୧ କୋଟିରୁ ଊର୍ଦ୍ଧ୍ୱ କର୍ମଚାରୀ ଓ ପେନସନଭୋଗୀ ଦୀର୍ଘ୧୮ ମାସ ହେଲା ମହଙ୍ଗା ଭତ୍ତା ଓ ରିହାତି ଲାଗି କେନ୍ଦ୍ର ସରକାରଙ୍କ ଘୋଷଣାକୁ ଅପେକ୍ଷା କରି ରହିଥିଲେ। କରୋନା ଯୋଗୁ ଗତ ଜାନୁୟାରୀ ୨୦୨୦ରେ କର୍ମଚାରୀଙ୍କ  ମହଙ୍ଗା ଭତ୍ତା ଓ ରିହାତି ୧୭ ପ୍ରତିଶତରେ ବନ୍ଦ ରହିଥିଲା। ଫଳରେ କର୍ମଚାରୀଙ୍କ ଡିଏ ଜାନୁୟାରୀ ୨୦୨୦ରୁ ନଭେମ୍ବର ୨୦୨୦ ସୁଦ୍ଧା ୨୪ ପ୍ରତିଶତକୁ ପହଞ୍ଚିଥିଲା, ଯାହା ମେ ୨୦୨୧ ବେଳକୁ ୨୮ ପ୍ରତିଶତ ଓ ଜୁନ ୨୦୨୧ରୁ ଜୁଲାଇ ୨୦୨୧ରେ ବଢି ୩୧ ପ୍ରତିଶତକୁ ପହଞ୍ଚିଛି। ଏ ବାବଦେ କର୍ମଚାରୀଙ୍କ ସଙ୍ଗଠନ ସରକାରଙ୍କୁ ଠିକ୍‌ ଭାବେ ବୁଝାଇ ଥିଲେବି ସରକାରଙ୍କ ନିଷ୍ପତ୍ତି କର୍ମଚାରୀଙ୍କ ଅନୁରୂପ ହୋଇପାରିନି।

କରୋନା ସମୟରେ ସେନା, ରେଳବାଇ, ସ୍ୱାସ୍ଥ୍ୟ, ଗ୍ରାମୀଣ ବିକାଶ, କୃଷି ଓ ଅନ୍ୟ ମନ୍ତ୍ରାଳୟମାନଙ୍କରେ କାର୍ଯ୍ୟରତ କର୍ମଚାରୀମାନେ ସରକାରଙ୍କୁ  ନିସ୍ୱାର୍ଥପର ସହଯୋଗ କରିଥିବା କର୍ମଚାରୀ ସଙ୍ଗଠନମାନେ ବୁଝାଇଥିଲେ। ଏହି ୧୮ମାସର ଭତ୍ତା ବନ୍ଦ କାଳରେ ଅନେକ କର୍ମଚାରୀ ଅବସର ଗ୍ରହଣ କରିଛନ୍ତି ଏହା ଛଡା ଅନେକ କର୍ମଚାରୀ ଓ ପେନସନରଙ୍କ ପରଲୋକ ମଧ୍ୟ ହୋଇଛି। ଏଥିରେ ସରକାରଙ୍କ ଡିଏ ଓ ଡିଆର ବନ୍ଦ ନିଷ୍ପତ୍ତି ସେମାନଙ୍କୁ ଗୁରୁତର ଆର୍ଥିକ କ୍ଷତିରେ ପକାଇଥିବାର ମଧ୍ୟ ସୂଚିତ କରାଯାଇଥିଲା। ହେଲେ ସରକାର କର୍ମଚାରୀଙ୍କୁ ୧୪ ପ୍ରତିଶତ ବଦଳେ ମାତ୍ର ୧୧ ପ୍ରତିଶତ ବୃଦ୍ଧି ଦେଇଥିବା ଜିସିଏମ ସଚିବ ଶିବଗୋପାଲ ମିଶ୍ର କହିଛନ୍ତି।

{"id":480581,"sizeSlug":"large","linkDestination":"none"}

ମିଶ୍ର କହିଛନ୍ତି ଯେ କର୍ମଚାରୀଙ୍କୁ ସେମାନଙ୍କର ଡିଏ ଓ ଡିଆର ସହ ଏରିୟର ମଧ୍ୟ ଏକ ସଙ୍ଗରେ ଦିଆଯାଉ ବୋଲି ସରକାରଙ୍କୁ ନିବେଦନ କରାଯାଇଥିଲା। ଯଦି ଏରିୟର ଓ ଅନ୍ୟ ଭତ୍ତା ଏକ ସାଙ୍ଗରେ ଜାରି ନ ହୋଇପାରୁଛି ତେବେ କ୍ଷୁଦ୍ର ଅବଧି ଅନ୍ତରାଳ  ପ୍ରଦାନ ଲାଗି ମଧ୍ୟ ପରାମର୍ଶ ଦିଆଯାଇଥିଲା।  କ୍ୟାବିନେଟ ସଚିବଙ୍କୁ କର୍ମଚାରୀଙ୍କ ୧୮ ମାସର ଭତ୍ତା ଓ ଏରିୟର ବାବଦେରେ ସମ୍ପୂର୍ଣ୍ଣ ଅବଗତ କରାଯାଇଥିଲେ ହେଁ ଘୋଷଣାରେ କେନ୍ଦ୍ରମନ୍ତ୍ରୀ ଏରିୟର ପ୍ରସଙ୍ଗରେ ଚୁପ ରହିବା କର୍ମଚାରୀଙ୍କୁ ନିରାଶ କରିଛି।  ଏଥିରେ ୩୧ ଜାଗାରେ ସରକାର ୨୮ ପ୍ରତିଶତ ମହଙ୍ଗା ଭତ୍ତା ଘୋଷଣା କରିବା କର୍ମଚାରୀଙ୍କୁ ୩ ପ୍ରତିଶତ କ୍ଷତିରେ ପକାଇଥିବା କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.