ଟ୍ରିପଲ ତଲାକ୍ ଅଧ୍ୟାଦେଶକୁ ମଞ୍ଜୁରୀ ପ୍ରଦାନ କଲେ କେନ୍ଦ୍ର କ୍ୟାବିନେଟ୍ : ଜାମିନବିହୀନ ଅପରାଧ ବୋଲି ହେଲା ସଂଶୋଧନ
19/09/2018 at 1:30 PM

ନୂଆଦିଲ୍ଲୀ ୧୯|୯: ମୋଦି ସରକାର ଟ୍ରିପଲ ତଲାକ୍ ବିଲ୍ ଉପରେ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର କ୍ୟାବିନେଟ୍ ଆଜି ଟ୍ରିପଲ ତଲାକ୍ ଅଧ୍ୟାଦେଶକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏଭଳି ନିଷ୍ପତ୍ତି ମୁସଲିମ୍ ମହିଳାମାନଙ୍କ ଅଧିକାରର ଏକ ବଡ ବିଜୟ । ଲୋକସଭାରେ ଏହି ଅଧ୍ୟାଦେଶ ପାରିତ ହେବା ପରେ ରାଜ୍ୟସଭାରେ ଅଟକିରହିଥିଲା। କଂଗ୍ରେସ ସମେତ ଅନ୍ୟ ଦଳ ସଂସଦରେ ବିଧେୟକରେ ସଂଶୋଧନ ଆଣିବା ପାଇଁ ଦାବି କରିଥିଲେ । ସଂଶୋଧନ ପରେ ଏହି ବିଧେୟକ ରାଜ୍ୟସଭାରେ ପାରିତ ହୋଇପାରିନଥିଲା । ଏହି ଅଧ୍ୟାଦେଶ ୬ମାସ ପର୍ଯ୍ୟନ୍ତ ବଲବତ୍ତର ରହିବ । ଏ ସମୟ ଭିତରେ ଏହାକୁ ସଂସଦରେ ପାରିତ କରାଇ ଗୃହୀତ କରିବାକୁ ହେବ । ଟ୍ରିପଲ ତଲାକ୍ ବିଲ୍ ଏହା ପୂର୍ବରୁ ସଂସଦର ବଜେଟ୍ ଅଧିବେଶନ ଏବଂ ଶୀତକାଳୀନ ଅଧିବେଶନରେ ଆଗତ ହୋଇଥିଲା ।
‘ତଲାକ୍-ଏ-ବିଦ୍ଦାତ’କୁ ଅପରାଧିକ କରିବାକୁ ସଂସଦ ଶୀତକାଳୀନ ଅଧିବେଶନରେ ଲୋକସଭାରେ ଆଗତ କରାଯାଇଥିଲା, କିନ୍ତୁ ଚିଠା ଆଇନରେ ଅପରାଧିକ ବ୍ୟବସ୍ଥା ଥିବା ଯୋଗୁଁ ରାଜ୍ୟସଭାରେ ବିରୋଧୀଦଳ ଏହା ଉପରେ ସଂଶୋଧନ ଦାବି କରିଥିଲେ। ବିରୋଧ ଯୋଗୁଁ ଅଗଷ୍ଟ ମାସରେ ସରକାର ‘ମୁସଲିମ ଓ୍ବିମେନ ପ୍ରୋଟେକ୍ସନ ଅଫ ରାଇଟସ ଅନ ମ୍ୟାରେଜ ବିଲ’ ରେ ୩ଟି ସଂଶୋଧନକୁ ଅନୁମୋଦନ କରିଥିଲେ। ନୂଆ ସଂଶୋଧନ ଅନୁସାରେ, ପ୍ରସ୍ତାବିତ ଆଇନ ଜାମିନବିହୀନ ହେବ। ଅଭିଯୁକ୍ତ ବିଚାର ପୂର୍ବରୁ ଜାମିନ ପାଇଁ ମାଜିଷ୍ଟ୍ରେଟଙ୍କୁ ହିଁ ଆବେଦନ କରିପାରିବ । ଜାମିନବିହୀନ ଆଇନ ଅଧୀନରେ ଥାନାରେ ପୋଲିସ ଜାମିନ ଦେଇ ପାରିବେ ନାହିଁ । ଅନ୍ୟ ଏକ ସଂଶୋଧନ ଅନୁସାରେ , ପୀଡିତାଙ୍କର ରକ୍ତ ସମ୍ପର୍କୀୟ କିମ୍ବା ସ୍ବାମୀଙ୍କ ପକ୍ଷର ସମ୍ପର୍କୀୟ ଅଭିଯୋଗ କଲା ପରେ ଯାଇ ପୁଲିସ ମାମଲା ଦାୟର କରିବ । ତୃତୀୟ ସଂଶୋଧନ ଟ୍ରିପଲ ତଲାକ୍କୁ ‘କମ୍ପାଉଣ୍ଡେବଲ୍’ ଅପରାଧ ବୋଲି କୁହାଯାଇଛି । ଏ କ୍ଷେତ୍ରରେ ପତିପତ୍ନୀଙ୍କ ମଧ୍ୟରେ ଥିବା ବିବାଦକୁ ଜଣେ ମାଜିଷ୍ଟ୍ରେଟ୍ ସମାଧାନ କରିପାରିବେ। ‘କମ୍ପାଉଣ୍ଡେବଲ୍’ ମାମଲାରେ ଉଭୟ ପକ୍ଷ ମାମଲା ପ୍ରତ୍ୟାହାର କରିପାରିବେ । ଟ୍ରିପଲ ତଲାକ୍ ବେଆଇନ ଏବଂ ଅସାମ୍ବିଧାନିକ ବୋଲି ଗତବର୍ଷ ଅଗଷ୍ଟ ମାସରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ।