Covid ଆକ୍ରାନ୍ତ କେନ୍ଦ୍ର ଆୟୁଷମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତୀ, ଚିକିତ୍ସା ଲାଗି ଗୋଆ ଯିବେ AIIMS ଡାକ୍ତରୀ ଟିମ୍

Published By : Prameya-News7 Bureau | August 24, 2020 IST

ନୂଆଦିଲ୍ଲୀ ୨୪।୮: କୋଭିଡ୍-୧୯ ଆକ୍ରାନ୍ତ କେନ୍ଦ୍ର ଆୟୁଷ ରାଜ୍ୟମନ୍ତ୍ରୀ ଶ୍ରୀପାଦ ୟଶୋ ନାୟକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତୀ ଦେଖା ଯାଇଛି।  କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ନେଇ ସେ ନିଜେ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚୀତ କରିବା ସହ ହୋମ ଆଇସୋଲେସନରେ ଥିଲେ। ତେବେ ପରେ ସେ ମଣିପାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ୧୦ ଦିନ ହେଲା ସେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ବେଳେ ସୋମବାର ତାଙ୍କ ଅକ୍ସିଜେନ ଲେବୁଲ ହ୍ରାସ ହେଉଥିବା ଡାକ୍ତରମାନେ ଜାଣିବାକୁ ପାଇଛନ୍ତି।

ଡାକ୍ତର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିବା ବେଳେ ଅଖିଳଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମସ୍)ର ଏକ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା ନିମନ୍ତେ ଗୋଆ ଆସିବେ ବୋଲି ଜଣାପଡିଛି। ଏମସ୍ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ତାଙ୍କୁ ସେହିଠାରେ ରଖି ଚିକିତ୍ସା କରାଯିବ ଅଥବା ଦିଲ୍ଲୀ ନିଆଯିବ ସେ ନେଇ ନିଷ୍ପତ୍ତି ନେବେ।

 ଆୟୁଷ ରାଜ୍ୟମନ୍ତ୍ରୀ ନାୟକ ଅଗଷ୍ଟ ୧୨ ତାରିଖ ଦିନ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ସେହି ଦିନ ସେ ଏ ନେଇ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିଥିବା ବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଉଲ୍ଲେଖ କରିଥିଲେ। ତେବେ ଅଚାନକ ତାଙ୍କ ଶରୀରରେ ଅକ୍ସିଜେନ ଲେବୁଲ ହ୍ରାସ ଡାକ୍ତରଙ୍କୁ ଚିନ୍ତାରେ ପକାଇଛି।

କେନ୍ଦ୍ରମନ୍ତ୍ରୀ କୋଭିଡ ଆକ୍ରାନ୍ତ ହେବାରେ ନାୟକ ପ୍ରଥମ ନୁହଁନ୍ତି। ତାଙ୍କ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲେ। ସେ ତୁରନ୍ତ ଗୁରୁଗ୍ରାମସ୍ଥିତ ମେଡାଣ୍ଟ ହସ୍ପିଟାଲର ଆଇସୋଲେଟେଡ ରୁମରେ ରହି ଚିକିତ୍ସିତ ହେବା ପରେ ପୁଣି କାର୍ଯ୍ୟକ୍ଷେତ୍ରକୁ ଫେରିଥିଲେ। ସେହିପରି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଓ ଜ୍ୟେତିରାଦିତ୍ୟ ସିନ୍ଧିଆ ମଧ୍ୟ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟଦୁରପ୍ପା କୋଭିଡ ମୁକ୍ତ ହୋଇ କେଉଁ ଦିନ କାର୍ଯ୍ୟକ୍ଷେତ୍ରରୁ ଫେରିଆସିଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.