ଚାଷୀଙ୍କୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଖୋଲା ଚିଠି, ୮ ପୃଷ୍ଠାର ପତ୍ରରେ ଜାଣନ୍ତୁ ଲେଖିଛନ୍ତି କ’ଣ ?
17/12/2020 at 9:00 PM

ନୂଆଦିଲ୍ଲୀ ୧୭।୧୨: ଦେଶରେ ନୂଆ କୃଷି ନୀତିକୁ ନେଇ ଚାଷୀ ଅସନ୍ତୋଷରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗୁରୁବାର ଚାଷୀଙ୍କୁ ଖୋଲାଚିଠି ଲେଖିଛନ୍ତି। ୮ ପୃଷ୍ଠାର ଏହି ଚିଠିରେ କୃଷିମନ୍ତ୍ରୀ ନୂଆ କୃଷି ଆଇନରୁ ଚାଷୀଙ୍କୁ ମିଳିବାକୁ ଥିବା ବିଭିନ୍ନ ସୁବିଧା ଓ ସୁଯୋଗ ନେଇ ଚାଷୀଙ୍କୁ ପୁଣି ବୁଝାଇବାକୁ ଚେଷ୍ଟା କରିଛନ୍ତି। ସବକେ ସାଥ ସବକେ ବିକାଶ ସ୍ଲୋଗାନ ଦେଉଥିବା ନରେନ୍ଦ୍ର ମୋଦିଙ୍କ ସରକାର ଏକତରଫା ଲାଭ ଲାଗି ଆଇନ ପ୍ରଣୟନ କରିନଥିବା ତୋମାର ପତ୍ରରେ ଉଲ୍ଲେଖ କରିଥିବା ବେଳେ ଚାଷୀଙ୍କୁ ଚିଠିର ୮ ପୃଷ୍ଠାରେ ୮ଟି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।
ତୋମାର ତାଙ୍କ ପତ୍ରରେ ସେ ଲଗାତାର ଚାଷୀଙ୍କ ସମ୍ପର୍କରେ ଥିବା ଓ ନୂଆ ଆଇନକୁ ନେଇ ନିୟମିତ ଚାଷୀ ସଙ୍ଗଠନଙ୍କ ସହ ଆଲୋଚନା କରୁଥିବା ଉଲ୍ଲେଖ କରିଛନ୍ତି। କେତେକ ଚାଷୀ ସଙ୍ଗଠନ ନୂଆ କୃଷି ସଂସ୍କାରକୁ ସ୍ୱାଗତ କରିଛନ୍ତି। ଅପରପଟେ ଏହି ସଂସ୍କାରର ଅନ୍ୟ ପାଖଟି ଅନେକ ଚାଷୀଙ୍କୁ ଅସନ୍ତୁଷ୍ଟ କରିଛି। ତେବେ ସେମାନଙ୍କର ଏହି ଅସନ୍ତୋଷ କେବଳ ଭ୍ରମ ବୋଲି କୃଷିମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି।
ତେବେ ଦେଶର କୃଷିମନ୍ତ୍ରୀ ଭାବେ ଚାଷୀଙ୍କ ଭ୍ରମ ଦୂର କରିବା ମୋର ପ୍ରଥମ ତଥା ପ୍ରଧାନ କର୍ତ୍ତବ୍ୟ। ସରକାର ଓ ଚାଷୀଙ୍କ ମଧ୍ୟରେ ଗଢି ଉଠିଥିବା ଭ୍ରମର ପ୍ରାଚିର ଭାଙ୍ଗିବାକୁ ସେ ଉଦ୍ୟମ ଆରମ୍ଭ କରିଥିବା କହିଛନ୍ତି। ଚିଠିର ପ୍ରତ୍ୟେକ ପୃଷ୍ଠାରେ କୃଷିମନ୍ତ୍ରୀ ଆଇନ ଯୋଗୁ ଚାଷୀଙ୍କ ଲାଭ ଓ ଏ ନେଇ ଥିବା ଭ୍ରମ ଦୂର କରିବାକୁ ପ୍ରୟାଶ କରିଛନ୍ତି। ଯେଉଁଥିରେ ପ୍ରଚଳିତ ଏମଏସପି ବ୍ୟବସ୍ଥାରେ ପରିବର୍ତ୍ତନ ସରକାରଙ୍କ ଉଦ୍ଦେଶ୍ୟ ନଥିଲା କି ନାହିଁ ବୋଲି କହିଛନ୍ତି। ସେହିପରି ମଣ୍ଡିର ବିକାଶ ଲାଗି ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। ଏଥିରେ ମଣ୍ଡି ହଟିଯିବା ନେଇ ଚାଷୀଙ୍କ ଧାରଣା ଦୂର କରିବାକୁ କୃଷି ମନ୍ତ୍ରୀ ଚେଷ୍ଟା କରିଛନ୍ତି।
ସେହିପରି କଣ୍ଟ୍ରାକ୍ଟ ଫାର୍ମିଂ ସମ୍ପର୍କରେ ଚାଷୀଙ୍କ ଜମିକୁ କୌଣସି ପ୍ରକାର ବିପଦ ନଥିବାର ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ସେମାନଙ୍କ ଜମି ସେମାନଙ୍କ ମାଲିକାନାରେ ରହିବ। ରାଜିନାମା ଫସଲ ଉପରେ ହେବ, ଚାଷୀ ଚାହିଁଲେ ରାଜିନାମାରୁ ଓହରି ମଧ୍ୟ ଯାଇ ପାରିବେ। ନିର୍ଦ୍ଧାରିତ ସମୟରେ ଚାଷୀଙ୍କୁ ସେମାନଙ୍କ ପାଉଣା ମିଳିବାର ବ୍ୟବସ୍ଥା ମଧ୍ୟ ଆଇନରେ ଅଛି। ନିର୍ଦ୍ଧାରିତ ଅବଧିରେ ପୈଠ ନ କଲେ ଜରିମନା ମଧ୍ୟ ଅସୁଲ ହେବ। ଖୋଲା ବଜାରରୁ ଭଲ ମୂଲ୍ୟରେ ଫସଲ ବିକିବାର ବିକଳ୍ପ ମଧ୍ୟ ରହିଛି ଆଇନରେ। ସେହିପରି ଏପର୍ଯ୍ୟନ୍ତ ଆଇନରେ ବନ୍ଧାଥିବା ଏପିଏମସି ମଣ୍ଡିଙ୍କୁ ଆଇନରୁ ମୁକ୍ତ କରାଯାଇଥିବା କୃଷିମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି।