ୟୁନିଫର୍ମ ସିଭିଲ୍ କୋଡ୍ ସାରା ଦେଶରେ ଲାଗୁ ହେବା ଉଚିତ-ଦିଲ୍ଲୀ ହାଇକୋର୍ଟ

Published By : Prameya-News7 Bureau | July 09, 2021 IST

ନୂଆଦିଲ୍ଲୀ ୦୯/୦୭ : ଦିଲ୍ଲୀ ହାଇକୋର୍ଟ ସମାନ ନାଗରିକ ସଂହିତା (ୟୁନିଫର୍ମ ସିଭିଲ୍ କୋଡ୍) ଉପରେ ମହତ୍ତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ତଲାକର ଏକ ମାମଲାରେ ଫଇସଲା ଶୁଣାଇ କୋର୍ଟ କହିଛନ୍ତି ଯେ ଦେଶରେ ୟୁନିଫର୍ମ କୋଡ଼ ଆବଶ୍ୟକ। ଜଷ୍ଟିସ ପ୍ରତିଭା ଏମ.ସିଂହ ନିଜ ଶୁଣାଣିରେ କହିଛନ୍ତି ଯେ ଆଜିର ହିନ୍ଦୁସ୍ତାନ ଜାତି, ଧର୍ମ, ସମ୍ପ୍ରଦାୟରୁ ବହୁତ ଉପରକୁ ଉଠିସାରିଛି। ଆଧୁନିକ ହିନ୍ଦୁସ୍ତାନରେ ଜାତି-ଧର୍ମ ବାଧା ଧୀରେ ଧୀରେ ସରିଆସୁଛି। ଏହି ପରିବର୍ତ୍ତନ ଯୋଗୁଁ ବିବାହ ଓ ଛାଡପତ୍ର (ତଲାକ)ରେ ସମସ୍ୟା ସୃଷ୍ଟି ହେଉଛି। ଆଜିର ଯୁବପିଢ଼ି ଏହି ସମସ୍ୟା ସମ୍ମୁଖୀନ କରିବାକୁ ଚାହୁଁ ନାହାନ୍ତି। ସେଥିପାଇଁ ଦେଶରେ ୟୁନିଫର୍ମ ସିଭିଲ କୋଡ୍ ଲାଗୁ ହେବା ଉଚିତ।

କୋର୍ଟ କହିଛନ୍ତି ଯେ ଧାରା ୪୪ରେ ଯେଉଁ ୟୁନିଫର୍ମ ସିଭିଲ କୋଡ଼କୁ ନେଇ ଯେଉଁ ସମ୍ଭାବନା ଥିଲା ବର୍ତ୍ତମାନ ତାହାକୁ ବାସ୍ତବରେ ପରିଣତ କରିବା ଉଚିତ। ହାଇକୋର୍ଟ ନିଜ ଫଇସଲାରେ ଆହୁରି କହିଛନ୍ତି ଯେ ଏହି ନିଷ୍ପତ୍ତି ଆଇନ ମନ୍ତ୍ରାଳୟକୁ ପଠାଯାଉ ଯେପରି ଆଇନ ମନ୍ତ୍ରାଳୟ ଏହା ଉପରେ ବିଚାର କରିପାରିବ।

ତଲାକର ଏକ ମାମଲାରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଜଷ୍ଟିସ ପ୍ରତିଭା ଏମ.ସିଂହ ଏହି ଟିପ୍ପଣୀ ଦେଇଛନ୍ତି। କୋର୍ଟ ସମ୍ମୁଖରେ ପ୍ରଶ୍ନ ଛିଡା ହୋଇଥିଲା ଯେ ତଲାକ ଉପରେ ହିନ୍ଦୁ ବିବାହ ଆକ୍ଟ ଅନୁଯାୟୀ ଶୁଣାଣି କରାଯିବ ନା ମିନା ଜନଜାତି ନିୟମ ଅନୁସାରେ ଶୁଣାଣି କରାଯିବ। ସ୍ୱାମୀ ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁଯାୟୀ ତଲାକ ଚାହୁଁଥିଲେ। କିନ୍ତୁ ପତ୍ନୀ କହିଥିଲେ ଯେ ସେ ମିନା ଜନଜାତିର ସେଥିପାଇଁ ହିନ୍ଦୁ ମ୍ୟାରେଜ ଆକ୍ଟ ତାଙ୍କ ଉପରେ ଲାଗୁ ହେବନାହିଁ। ସେଥିପାଇଁ ତାଙ୍କ ସ୍ୱାମୀ ଆବେଦନ କରିଥିବା ତଲାକ ଆବେଦନ ଫ୍ୟାମିଲି କୋର୍ଟ ଖାରଜ କରିଦିଅନ୍ତୁ ବୋଲି ସେ କହିଥିଲେ। ସ୍ୱାମୀ ପତ୍ନୀଙ୍କ ଏହି ଦଲିଲ ବିରୋଧରେ କୋର୍ଟରେ ଆବେଦନ ଦାଏର କରିଥିଲେ। ହାଇକୋର୍ଟ ସ୍ୱାମୀଙ୍କ ଅପିଲ ସ୍ୱୀକାର କରିଥିଲେ ଓ ୟୁନିଫର୍ମ ସିଭିଲ କୋଡ଼ ଲାଗୁ କରିବା ଆବଶ୍ୟକ ବୋଲି ଅନୁଭବ କରି ଶୁଣାଣି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.