Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆମେରିକାରେ ଭୂତାଣୁଠାରୁ ଅଧିକ ବ୍ୟାପୁଛି ବେକାରୀ, ୩ ସପ୍ତାହରେ ରୋଜଗାର ହରାଇଛନ୍ତି ୧.୬୮କୋଟି ଲୋକ

10/04/2020 at 8:27 PM

ୱାଶିଂଟନ:  ମାତ୍ର ୩ ସପ୍ତାହ ପୂର୍ବେ ଆମେରିକାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। କୋଭିଡ-୧୯ ସଂକ୍ରମଣ ଯୋଗୁ ଆମେରିକାରେ ଇତିମଧ୍ୟରେ ୧୬ହଜାର ୬୭୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୬୫ ହଜାର ୭୫୦ରେ ପହଞ୍ଚିଛି। ତେବେ ଏହି ସମୟରେ ଯେତିକି ଆମେରିକୀୟ ସଂକ୍ରମିତ ହୋଇଛନ୍ତି ଓ ଯେତିକି ପ୍ରାଣ ହରାଇଛନ୍ତି ତା ଠାରୁ ଅନେକ ଗୁଣା ଅଧିକ ଲୋକେ ଚାକିରୀ ହରାଇଲେଣି। ଦେଶରେ ଚାକିରୀ ହରାଇଥିବା ଲୋକଙ୍କ ସଂଖ୍ୟା ଏବେ ୧କୋଟି ୬୮ ଲକ୍ଷ ବୋଲି ଜଣାପଡିଛି। ଯାହା ଚିନ୍ତାର କାରଣ ପାଲଟିଛି।

ଆମେରିକାରେ ଉପୁଜିଥିବା ପରିସ୍ଥିତିରୁ ବିଶ୍ୱ ଅର୍ଥନୀତିକୁ କରୋନା କିପରି ଆଣ୍ଠେଇ ଦେଇଛି ତାହା ଯେ କେହିବି ସହଜରେ ଅନୁମାନ କରିପାରୁଥିବେ। ଗୁରୁବାର ଆମେରିକା ସରକାର ଜାରି କରିଥିବା ତଥ୍ୟ ଅନୁସାରେ ଗତ ସପ୍ତାହ ଶେଷ ସୁଦ୍ଧା ୬୬ ଲକ୍ଷ ଲୋକେ ବେକାରୀ ଭତ୍ତା ଲାଗି ସରକାରଙ୍କୁ ଆବେଦନ କରିଥିଲେ। ଏହା ପୂର୍ବ ୨ ସପ୍ତାହରେ ପ୍ରାୟ ୧ କୋଟି ଲୋକେ ଏଥିଲାଗି ଆବେଦନ କରିସାରିଥିଲେ।

ସରକାରଙ୍କ ତଥ୍ୟରୁ ପ୍ରତି ୧୦ ଜଣ ଅମେରିକୀୟଙ୍କ ମଧ୍ୟରୁ ଏବେ ଜଣେ ଭତ୍ତା ଲାଗି ଆବେଦନ କରୁଛନ୍ତି। ୧୯୪୮ ମସିହା ପରେ ଆମେରିକା ଦ୍ୱିତୀୟ ବାର ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଛି, ଯେତେବେଳେ ଏତେ ମାତ୍ରାରେ ଲୋକେ ସେମାନଙ୍କ କର୍ମ ସଂସ୍ଥାନ ହରାଇବାକୁ ବାଧ୍ୟ ହୋଇଛନ୍ତି। ତେବେ ଉପୁଜିଥିବା ପରିସ୍ଥିତି ଏତିକିରେ ଅଟକିଯିବନି। ଆହୁରି ଅନେକ ଆମେରିକୀୟ ଏବେ ଜୀବିକା ହରାଇବାର ଆଶଙ୍କା କରାଯାଉଛି।  ଏଥିରୁ ଏପ୍ରିଲ ୧୫ ତାରିଖ ସୁଦ୍ଧା ଆମେରିକାର ବେକରୀ ହାର ୧୫ ପ୍ରତିଶତ ପାର କରିବ ବୋଲି ଏବେ ଆଶଙ୍କା କରାଯାଉଛି।

୧୯୨୯ ମସିହା ମାନ୍ଦାବସ୍ଥାପରେ ଆମେରିକାରେ କେବେବି ଏପରି ଅବସ୍ଥା ଉପୁଜିନଥିଲା। ଆମେରିକା ପରିସ୍ଥିତିରୁ ଏବେ ବିଶ୍ୱର ପରିଦୃଶ୍ୟ ଆକଳନ କରାଯାଇପାରେ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ମୁଖ୍ୟ ବିଶ୍ୱ ଏବେ ମହାମାନ୍ଦାବସ୍ଥା ଆଡକୁ ଅଗ୍ରସର ହେଉଥିବା ଜଣାଇଛନ୍ତି। ସେପଟେ ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲଓ) ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସିକରେ ୧୯.୫କୋଟି ଲୋକେ ଚାକିରୀ ହରାଇବାର ଆଶଙ୍କା କରିଥିବା ବେଳେ ଆର୍ଥିକ ସହାୟତା ଯୋଗାଇଦେଉଥିବା ସଙ୍ଗଠନ ଅକ୍ସଫାମ ସାରା ବିଶ୍ୱରେ ଅଧା ବିଲିୟନ ଲୋକ ପଭର୍ଟି ସାଇକେଲରେ ଫଶିବାର ପୂର୍ବାନୁମାନ କରିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।  

   Related Posts