କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଲେ ମେହବୁବା ମୁଫତୀ : ବିଜେପି ବିରୋଧରେ କଲେ ‘ଆକ୍ଷେପ ରାଜନୀତି’ର ସଙ୍ଗୀନ ଅଭିଯୋଗ

Published By : Prameya-News7 Bureau | September 21, 2021 IST

ଜାମ୍ମୁ ୨୧/୦୯ : କିଏ ଖଲିସ୍ତାନୀ ? କିଏ ପାକିସ୍ତାନୀ ? ଆଉ କିଏ ହିନ୍ଦୁସ୍ତାନୀ ? ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫ୍‌ତୀ ଏମିତି କିଛି ଢଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ଗର୍ଜିଛନ୍ତି । କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରି ମେହବୁବା କହିଛନ୍ତି, ‘ଜାମ୍ମୁ କାଶ୍ମୀରରେ ବେରୋଜଗାର ଆଜି ସବୁଠାରୁ ବଡ ମୁଦ୍ଦା । ସକରାର ପ୍ରତିଶ୍ରୁତି ଦେଇଥିଲେ ଯେ, ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବାପରେ ବିକାଶ ହିଁ ବିକାଶ ହେବ । କିନ୍ତୁ ଆଜି ଏଠି ଦେଶର ସବୁଠାରୁ ଅଧିକ ବେରୋଜଗାରୀ ଅଛନ୍ତି ।’

ମୋଦି ସରକାରଙ୍କୁ ଟାର୍ଗେଟ୍‌ କରି ମେହବୁବା କହିଛନ୍ତି, “ଦିଲ୍ଲୀରେ ରହୁଥିବା ଲୋକମାନେ ଜାମ୍ମୁ କାଶ୍ମୀରକୁ ଏକ ପ୍ରୟୋଗଶାଳା ଭାବେ ବ୍ୟବହାର କରୁଛନ୍ତି । ନେହେରୁ ଏବଂ ବାଜପେୟୀଙ୍କ ଭଳି ନେତାଙ୍କ ପାଖରେ ନିଜ୍ବ ଭିଜନ୍‌ ଥିଲା କିନ୍ତୁ ଏ ସରକାର ହିନ୍ଦୁ ମୁସଲିମ୍‌ଙ୍କୁ ଭାଗ ଭାଗ କରିବାକୁ ଚାହୁଁଛନ୍ତି । ଆଉ ଏବେ ସରଦାର ବି ଖଲିସ୍ତାନୀ ହୋଇଯାଇଛନ୍ତି, ଆମେ ସମସ୍ତେ ପାକିସ୍ତାନୀ ଆଉ କେବଳ ବିଜେପି ବାଲା ହିଁ ହିନ୍ଦୁସ୍ତାନୀ !”

ମେହବୁବା କହିଛନ୍ତି, ଦେଶର ଅନେକ ମନ୍ତ୍ରୀ କେବଳ ଫିତା କାଟିବା ପାଇଁ ଏଠାକୁ ଆସୁଛନ୍ତି । କିନ୍ତୁ ଯେଉଁସବୁ କାର୍ଯ୍ୟ ଗୁଡିକର ଶିଳାନ୍ୟାସ ହୋଇଥିଲା ତାହା ବର୍ତ୍ତମାନ ସୁଦ୍ଧା ଆରମ୍ଭ ବି ହୋଇନାହିଁ । ଯାହା କାମ ହୋଇଥିବା ସେସବୁ ମନମୋହନ ସିଂହ ସରକାର ସମୟରେ ହୋଇଥିଲା । ବର୍ତ୍ତମାନର ମୋଦି ସରକାରଙ୍କ ଦ୍ବାରା ଏଠାରେ କୌଣସି ଯୋଜନା ଆରମ୍ଭ ହୋଇନି । ଜାମ୍ମୁ କାଶ୍ବୀରବାସୀଙ୍କ ପାଇଁ ଏହା ଅନ୍ୟାୟ ।

ସେ ଆହୁରି ମଧ୍ୟ କହିଛନ୍ତି, ଦେଶରେ ଜାମ୍ମୁ ହିଁ ଏକମାତ୍ର ସ୍ଥଳ ଯେଉଁଠାରେ ବହୁଳବାଦୀ ସଂସ୍କୃତି ରହିଛି । ଏଠାରେ ପ୍ରାୟ ସମସ୍ତ ଜାତି ଏବଂ ଧାର୍ମିକ ବିଶ୍ବାସୀ ଲୋକେ ରହୁଛନ୍ତି । ଆଜି କିନ୍ତୁ କାଶ୍ବୀରବାସୀଙ୍କ ସ୍ବରକୁ ଦବାଇଦେବାକୁ ପ୍ରୟାସ ଚାଲିଛି । ଲୋକଙ୍କୁ ଚୁପ୍‌ ରହିବା ପାଇଁ ବାଧ୍ୟ କରାଯାଉଛି । ଖଣି ଖାଦାନ ଏବଂ ଅନ୍ୟାନ୍ୟ ବ୍ୟବସାୟିକ କାରବାରରୁ ସରକାର କେବଳ ଲୁଟିବାରେ ବ୍ୟସ୍ତ ଏବଂ ଅନ୍ୟ ରାଜ୍ୟର ଠିକାଦାରଙ୍କ ସହାୟତାରେ କାମ କରାଯାଉଛି । ନୂଆ ଅବକାରୀ ନୀତି ଆସିବା ପରେ ଜାମ୍ମୁ କାଶ୍ମୀରର ଶହ ଶହ ଯୁବକ ବେରୋଜଗାର ହୋଇଯାଇଛନ୍ତି ।

ଜାମ୍ମୁରେ ରିଲାଏନ୍ସ ଷ୍ଟୋର ଖୋଲାଯାଉଛି । ତେବେ ଏଠି ଥିବା ଛୋଟ ଛୋଟ ବ୍ୟବସାୟୀଙ୍କ ଭବିଷ୍ୟତ କଣ ​‌ହେବ ବୋଲି ପ୍ରଶ୍ନ କରିଛନ୍ତି ମେହବୁବା ମୁଫ୍‌ତୀ । ଜାମ୍ମୁ କାଶ୍ମୀରର ଅର୍ଥ ବ୍ୟବସ୍ଥା ଧ୍ବସ୍ତ ବିଧ୍ବସ୍ତ କରିଦିଆଯାଉଛି । କାଶ୍ମୀର ପଣ୍ଡିତମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହାର କାରଣ ତାଙ୍କୁ ମାସିକ ମିଳୁଥିବା ସହାୟତା ରାଶି ମିଳୁନାହିଁ । ବାଧ୍ୟ ହୋଇ ସେମାନେ ରାସ୍ତାରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଜାମ୍ମୁ କାଶ୍ମୀରକୁ ନେଇ ନେହେରୁ ଏବଂ ବାଜପେୟୀ ସରକାରଙ୍କର ସ୍ପଷ୍ଟ ନୀତି ଥିଲା କିନ୍ତୁ ଏ ସରକାରର କୌଣସି ଆଇଡିଆ ହିଁ ନାହିଁ ବୋଲି ମୁଫ୍‌ତୀ ଅଭିଯୋଗ କରିଛନ୍ତି । ଏଠି ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚିଛି । ଖଣି ମାଫିଆମାନେ ରାଜ୍ୟକୁ ବରବାଦ କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.