ଶୁଣିଲେନି ଗେହଲଟ ସରକାର, ପ୍ରିୟଙ୍କାଙ୍କୁ ଭେଟିବାକୁ ଲକ୍ଷ୍ନୌର କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଲେ ରାଜସ୍ଥାନର ବେକାରୀ ଯୁବକ

Published By : Prameya-News7 Bureau | November 29, 2021 IST

ଲକ୍ଷ୍ନୌ ୨୯/୧୧: କଂଗ୍ରେସ ଶାସିତ ରାଜସ୍ଥାନରେ ବେକାରୀ ସମସ୍ୟା ମୁଣ୍ଡବିନ୍ଧାର କାରଣ ପାଲଟିଛି। ବେରୋଜଗାର ଯୁବକମାନେ ରାଜସ୍ଥାନରୁ ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି। ଲକ୍ଷ୍ନୌର କଂଗ୍ରେସ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରିବା ସହ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ସାକ୍ଷାତ କରିବାକୁ ଅଡ଼ି ବସିଛନ୍ତି। ଶାର୍ଟଲେସ୍‌ ଆନ୍ଦୋଳନ, ମନ୍ତ୍ରୀଙ୍କୁ ଗୋଲାପ ଭେଟି, ଏବେ ପୁଣି ଆମରଣ ଅନଶନ କରିଛନ୍ତି ବେରୋଜଗାର ଯୁବକ। ରାଜସ୍ଥାନର ଗେହଲଟ ସରକାର ସେମାନଙ୍କ ଗୁହାରି ଶୁଣୁନଥିବା ସେମାନେ ଅଭିଯୋଗ ମଧ୍ୟ କରିଛନ୍ତି।

ରାଜସ୍ଥାନ ବେରୋଜଗାର ମହାସଙ୍ଘ (ଆରବିଇଏମ) ବ୍ୟାନର ତଳେ ଉତ୍ତରପ୍ରଦେଶରେ ଆମରଣ ଅନଶନ ଜୋରଦାର ଚାଲିଛି। ଗେହଲଟଙ୍କ ସରକାରରେ ବିଭିନ୍ନ କାର୍ଯ୍ୟାଳୟରେ ପଦବୀ ଫାଙ୍କା ପଡ଼ିଛି। ଏଥି​‌ରେ ଭର୍ତ୍ତି ପାଇଁ ପରୀକ୍ଷା ହୋଇଛି। ତେବେ ଆହୁରି ସିଟ୍‌ ବୃଦ୍ଧି କରିବା ସହ ପ୍ରଶ୍ନପତ୍ର ଲିକ୍‌ କରୁଥିବା ଅପରାଧୀଙ୍କ ବିରୋଧରେ ଜାମିନ ବିହୀନ ପରଓ୍ବାନା ଜାରି କରିବାକୁ ଯୁବକମାନେ ଦାବି କରିଛନ୍ତି।

ମହାସଙ୍ଘର ଅଧ୍ୟକ୍ଷ କହିଛନ୍ତି, ଆମେ ଲକ୍ଷ୍ନୌର ପିସିସି ସାମ୍ନାରେ ଧାରଣା ଦେବା ପରେ ଏବେ ଆମରଣ ଅନଶନ ଆରମ୍ଭ କରିଛୁ। ଆମେ ଗତ ୪୭ ଦିନ ଧରି ଜୟପୁରରେ ଧାରଣା ଦେଇଛୁ । ଏବେ ଆମେ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିବାକୁ ଚାହୁଁଛୁ । କାରଣ ସେ ଘୋଷଣା କରିଛନ୍ତି, କଂଗ୍ରେସ ଉତ୍ତରପ୍ରଦେଶରେ ୨୦ ଲକ୍ଷ ଚାକିରି ଦେବ। ୨୦୧୮ରେ ଆମେ କଂଗ୍ରେସକୁ ସମର୍ଥନ ଜଣାଇଥିଲୁ। କିନ୍ତୁ କଂଗ୍ରେସ ଏବେ ଯାଏଁ ନିଜର ଦାବି ପୂରଣ କଲା ନାହିଁ । ତେଣୁ ପ୍ରଥମେ ରାଜସ୍ଥାନରେ ପ୍ରତିଶ୍ରୁତି ପୂରଣ କରାଯାଉ ବୋଲି ସେ ଦାବି ମଧ୍ୟ କରିଛନ୍ତି।

ଆରବିଇଏମ ପକ୍ଷରୁ ଉତ୍ତରପ୍ରଦେଶରେ କଂଗ୍ରେସ ରାଲି ଭଣ୍ଡୁର ପାଇଁ ମଧ୍ୟ ଯୋଜନା ରହିଛି। ଏହା ସହ ରାଜସ୍ଥାନରେ କଂଗ୍ରେସ ସରକାର ଥାଇ ବେକାରୀ ସମସ୍ୟା ଦୂର ପାଇଁ ଯେଉଁ ପ୍ରତିଶ୍ରୁତି ଦଳ ଦେଇଥିଲା। ତାହା ପୂରଣ ହୋଇପାରିଲା ନାହିଁ। ଏବେ ଉତ୍ତରପ୍ରଦେଶରେ ନିର୍ବାଚନ ପୂର୍ବରୁ ପାର୍ଟି ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ଯୁବପୀଢ଼ିଙ୍କୁ ଭୁଆଁ ବୁଲାଉଛି ବୋଲି ଆରବିଇଏମ ଅଭିଯୋଗ କରିଛି। ଏହା ପୂର୍ବରୁ ନଭେମ୍ବର ୨୩ ତାରିଖରେ ପ୍ରଦର୍ଶନକାରୀଙ୍କୁ ଗେହଲଟଙ୍କ ପରାମର୍ଶଦାତା ଭେଟିଥିଲେ। କିନ୍ତୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା। ଏହା ପରେ ଯୁବକମାନେ ନଭେମ୍ବର ୨୬ରେ ସିଧା ରାଜସ୍ଥାନରୁ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.