ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଡଃ ପିକେ ମିଶ୍ରଙ୍କୁ ମର୍ଯ୍ୟାଦାଜନକ ସାସାକାୱା ପୁରସ୍କାର

Published By : Prameya-News7 Bureau | May 17, 2019 IST

ଭୁବନେଶ୍ବର ୧୭|୫: ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଡଃ ପିକେ ମିଶ୍ରଙ୍କୁ ଜାତିସଂଘର ବିପର୍ଯ୍ୟୟ ବିପଦ ପ୍ରଶମନ  କାର୍ଯ୍ୟାଳୟ  (ୟୁଏନଡିଆରଆର)  ସାସାକାୱା  ପୁରସ୍କାର  ୨୦୧୯  ପ୍ରଦାନ କରିଛି ।  ଗୁରୁବାର  ଦିନ  ଜେନେଭାଠାରେ  ଚାଲିଥିବା  ବିପର୍ଯ୍ୟୟ  ପ୍ରଶମନ  ଗ୍ଲୋବାଲ ପ୍ଲାଟଫର୍ମ  (ଜିପିଡିଆରଆର) ୨୦୧୯ର  ଷଷ୍ଠ  ଅଧିବେଶନ  ଅବସରରେ  ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଏହି ଘୋଷଣା କରାଯାଇଥିଲା ।

ବିପର୍ଯ୍ୟୟ ପୀଡ଼ିତ ସମ୍ପ୍ରଦାୟଙ୍କ ଦୃଢ଼ତା ବୃଦ୍ଧି କରିବାରେ ତାଙ୍କର ଦୀର୍ଘକାଳୀନ ପ୍ରୟାସ ଏବଂ  ଅସମାନତା,  ଦାରିଦ୍ର‌୍ୟତା  ଦୂର  କରିବା  ଓ  ସାମାଜିକ  ଓ  ଅର୍ଥନୈତିକ  ଭାବେ ଅନଗ୍ରସର ଜନସାଧାରଣଙ୍କ ସୁରକ୍ଷା ବଳୟ ବୃଦ୍ଧି କରିବା ନେଇ ତାଙ୍କ ବ୍ୟକ୍ତିଗତ ସଂକଳ୍ପବଦ୍ଧତା  ଯୋଗୁ  ଡଃ  ପିକେ  ମିଶ୍ରଙ୍କୁ  ସାସାକାୱା  ପୁରସ୍କାର  ୨୦୧୯  ପ୍ରଦାନ କରାଯାଇଛି ।

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଜାତିସଂଘର ସାସାକାୱା ପୁରସ୍କାର ହେଉଛି ସବୁଠାରୁ ମର୍ଯ୍ୟାଦାଜନକ ପୁରସ୍କାର । ଏହି ପୁରସ୍କାର ୩୦ ବର୍ଷରୁ ଅଧିକ ହେବ ଆରମ୍ଭ ହୋଇଛି ଏବଂ  ୟୁଏନଡିଆରଆର  ଓ  ନିପ୍ପୋନ  ଫାଉଣ୍ଡେସନ  ଦ୍ୱାରା  ଯୁଗ୍ମ  ଭାବେ  ପ୍ରଦାନ କରାଯାଇଆସୁଛି ।  ବିଜେତାଙ୍କୁ  ମୋଟ  ୫୦,୦୦୦  ଆମେରିକୀୟ  ଡଲାର  ପୁରସ୍କାର ଅର୍ଥରାଶି ପ୍ରଦାନ କରାଯାଇଥାଏ । କୌଣସି ସଙ୍ଗଠନ କିମ୍ବା ବ୍ୟକ୍ତି ବିଶେଷ ଏହି ପୁରସ୍କାର ଜିତିପାରିବେ ।  ସାସାକାୱା  ପୁରସ୍କାର  ୨୦୧୯ର  ବିଷୟ  ରହିଛି  “ସମାବେଶୀ  ଓ ନମନୀୟ ସମାଜ” ର ନିର୍ମାଣ । ଏହି ପୁରସ୍କାରର ୨୦୧୯ ସଂସ୍କରଣ ପାଇଁ ୟୁଏନଡିଆରଆରକୁ ୩୧ଟି ଦେଶରୁ ମୋଟ ୬୧ଟି ନୋମିନେସନ ପ୍ରାପ୍ତ ହୋଇଥିଲା । ଏହି ଦିନ ଭାରତୀୟ ପ୍ରତିନିଧି ଦଳ ‘ବିପତି ସୂଚନା ନିବେଶ ଓ ଡିଆରଆର ଅର୍ଥନୀତି’ ଉପରେ ଏକ ଗୋଲ  ଟେବୁଲ ବୈଠକରେ ଯୋଗଦେଇଥିଲେ ଏବଂ ବିପର୍ଯ୍ୟୟ

ମୁକାବିଲା ଭିତିଭୂମି କ୍ଷେତ୍ରରେ ୟୁରୋପୀୟ ୟୁନିଅନ ସହିତ ଏକ ଦ୍ୱିପାକ୍ଷିକ ବୈଠକରେ ଯୋଗ  ଦେଇଥିଲେ ।ପ୍ରଧାନମନ୍ତ୍ରୀଙ୍କ  ଅତିରିକ୍ତ  ପ୍ରମୁଖ  ସଚିବ  ଡଃ  ପିକେ  ମିଶ୍ରଙ୍କ ନେତୃତ୍ୱରେ  ଏନଡିଏମଏ  ସଦସ୍ୟ  ଶ୍ରୀ  କମଲ  କିଶୋର,  ଗୃହ  ବିଭାଗ  (ବିପର୍ଯ୍ୟୟ ପରିଚାଳନା)ର  ଯୁଗ୍ମ  ସଚିବ  ଶ୍ରୀ  ସଞ୍ଜୀବ  କୁମାର  ଜିନ୍ଦଲଙ୍କ  ଦ୍ୱାରା  ଗଠିତ  ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ୨୦୧୯ ମେ ୧୩ରୁ ୧୭ ମଧ୍ୟରେ ସ୍ୱିଜରଲାଣ୍ଡର ଜେନେଭାଠାରେ ଚାଲିଥିବା  ବିପର୍ଯ୍ୟୟ ବିପତି  ପ୍ରଶମନ ପାଇଁ ଗ୍ଲୋବାଲ ପ୍ଲାଟଫର୍ମର (ଜିପିଡିଆରଆର) ଷଷ୍ଠ ଅଧିବେଶନରେ ଯୋଗଦେଇଛନ୍ତି ।

ବିପର୍ଯ୍ୟୟ ବିପତି ପ୍ରଶମନ ପାଇଁ ପ୍ରଗତି ସମୀକ୍ଷା, ଜ୍ଞାନ ଆଦାନପ୍ରଦାନ ଓ ବର୍ତମାନର ବିକଶିତ ଧାରା  ସମ୍ବନ୍ଧରେ  ଆଲୋଚନା  କରିବା  ପାଇଁ  ଜିପିଡିଆରଆର  ହେଉଛି ଜାତିସଂଘର ସାଧାରଣ ସଭା ଦ୍ୱାରା ପ୍ରତିଷ୍ଠିତ ଏକ ମଂଚ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.