ସୁନା ସ୍ମଗଲିଂରେ ଅଣ୍ଡରଓ୍ବାର୍ଲ୍ଡ ଲିଙ୍କ୍, ଦାଉଦର ଡି-ଗ୍ୟାଙ୍ଗ୍ ସଦସ୍ୟଙ୍କୁ ଭେଟିଥିଲେ ସ୍ମଗଲର
16/10/2020 at 2:21 PM

ନୂଆଦିଲ୍ଲୀ ୧୬।୧୦: କେରଳରେ ସୁନା ସ୍ମଗଲିଂର ତାର ଅଣ୍ଡରୱାର୍ଲଡ ସହ ଯୋଡିହୋଇଛି। ସୁନା ଚୋରା କାରବାରରେ ଜଡିତ କିଛି ଅଭିଯୁକ୍ତଙ୍କର ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ ସହ ସମ୍ପର୍କ ରହିଛି । ସେଥିପାଇଁ ଏହି ମାମଲାରେ ଗିରଫ ଦୁଇ ଅଭିଯୁକ୍ତ ଅନେକଥର ତାଞ୍ଜାନିଆ ଗସ୍ତ କରିଛନ୍ତି । ସେଠାରେ ଦାଉଦ୍ର ଡି- ଗ୍ୟାଙ୍ଗ ସଦସ୍ୟଙ୍କୁ ଭେଟିଥିଲେ ।
ଏହାପରେ ଦୁବାଇ ଯାଇଥିଲେ । ସେଠାରୁ କେରଳକୁ ସୁନା ଆଣିଥିଲେ । ଉଭୟ ତାଞ୍ଜାନିଆ ଓ ଦୁବାଇରେ ଡି-ଗ୍ୟାଙ୍ଗ୍ ସକ୍ରିୟ ରହିଛି । ତେଣୁ ସୁନା ସ୍ମଗଲିଂ ପଛରେ ଦାଉଦ୍ ଲିଙ୍କ୍ ରହିଥିବା ସନ୍ଦେହ କରାଯାଉଛି । ଗତକାଲି କୋଚି ସ୍ୱତନ୍ତ୍ର କୋର୍ଟରେ ଏନ୍ଆଇଏ ଦାଖଲ କରିଥିବା ଲିଖିତ ଜବାବରେ ଏହା ଦର୍ଶାଇଛି । ଏଥିସହ ଏହା ଭାରତ ବିରୋଧୀ ତଥା ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି କରାଯାଉଥିବା ଏନ୍ଆଇଏ କହିଛି ।
ସୁନା ଚୋରା ଚାଲାଣର ଏହି ମାମଲା ଗତ ଜୁଲାଇ ୫ ତାରିଖରେ ସାମ୍ନାକୁ ଆସିଥିଲା । ସୀମା ଶୁଳ୍କ ବିଭାଗ ଅଧିକାରୀମାନେ ତିରୁବନନ୍ତପୁରମ୍ ବିମାନବନ୍ଦରରେ ୟୁଏଇରୁ ଆସିଥିବା ପ୍ରାୟ ୧୫ କୋଟି ଟଙ୍କା ମୂଲ୍ୟର ୩୦ କି.ଗ୍ରା ସୁନା ପାଇଥିଲେ। ଏହି ମାମଲାରେ ସୁନା ନେବାକୁ ଆସିଥିବା ୟୁଏଇ ବାଣିଜ୍ୟ ଦୂତାବାସର ପୂର୍ବତନ କର୍ମଚାରୀ ପି. ସରିତ କୁମାରଙ୍କୁ ଗିରଫ କରାଯାଇଥିଲା । ପରେ ଯାଞ୍ଚରୁ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ପ୍ରମୁଖ୍ୟ ସଚିବ ଏମ୍ ଶିବଶଙ୍କର ଓ ରାଜ୍ୟ ଆଇଟି ବିଭାଗର ପରାମର୍ଶଦାତା ଭବେ କାର୍ଯ୍ୟରତ ସ୍ୱପ୍ନା ସୁରେଶଙ୍କ ନାମ ସାମ୍ନାକୁ ଆସିଥିଲା ।
ବର୍ତ୍ତମାନ ସୀମାଶୁଳ୍କ ବିଭାଗ ସମେତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି), ରାଜସ୍ୱ ଗୁଇନ୍ଦା ବିଭାଗ (ଡିଆରଆଇ) ଏବଂ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ମିଳିତ ଭାବେ ଏହି ମାମଲାର ତଦନ୍ତ କରୁଛନ୍ତି । ଏନ୍ଆଇଏ ଏହି ମାମଲାରେ ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି ।