ଜେଲ୍‌ରେ ବିଚାରାଧିନ କଏଦୀର ମୃତ୍ୟୁ, ଚିକିତ୍ସା ଅବହେଳା ଅଭିଯୋଗ ଆଣିଲେ ପରିବାର

Published By : Prameya-News7 Bureau | November 17, 2020 IST

ବଲାଙ୍ଗୀର ୧୭।୧୧: ବଲାଙ୍ଗୀର ଜେଲରେ ବିଚାରାଧିନ କଏଦୀର ମୃତ୍ୟୁ ଘଟିଛି । ମୃତ କଏଦୀ ଜଣଙ୍କ ହେଲେ ସଦର ଥାନା ଅନ୍ତର୍ଗତ ତୁଷୁରାବାହାଲ ପଞ୍ଚାୟତର ଡଙ୍ଗାଘାଟ ଗାଁର ତ୍ରିପୁରା ମଲ୍ଲିକ । ତାଙ୍କ ବୟସ ୫୦ ବର୍ଷ । ସେ ୨୦୧୭ ମାର୍ଚ୍ଚ ମାସ ୧୫ ତାରିଖରେ ନିଜ ଭଉଣୀଙ୍କ ହତ୍ୟା ଅଭିଯୋଗରେ ଜେଲ୍ ଯିବା ସହ ବିଚାରାଧିନ କଏଦୀ ଭାବରେ ଥିଲେ ।

ଗତ କିଛି ଦିନ ହେଲା ତାଙ୍କ ଦେହ ଅସୁସ୍ଥ ହୋଇଥିଲା । ଫଳରେ ପରିବାର ଲୋକ ତାଙ୍କୁ ଦେଖା କରିବାକୁ ମଧ୍ୟ ଆସିଥିଲେ । ହେଲେ ଭର୍ଚୁଆଲ ସାକ୍ଷାତ ସମ୍ଭବ ହୋଇପାରିନଥିଲା । ପରେ ତାଙ୍କ ଦେହ ଅଧିକ ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ତାଙ୍କ ପରିବାର ଲୋକଙ୍କୁ ଜେଲ୍ ଅଧିକାରୀ କହିଥିଲେ । ହେଲେ ମଙ୍ଗଳବାର ତାଙ୍କର ମୃତ୍ୟୁ ଘଟିଛି ।

ତେବେ ଦେହ ଖରାପ ଥିବା ସତ୍ତ୍ବେ ଡାକ୍ତରଖାନାକୁ କାହିଁକି ଅଣାଯାଇନଥିଲା । କେବଳ ଝାଡା ହେଉଥିବା କହିଥିବା ବେଳେ ଅବସ୍ଥା ଏତେ ଗୁରୁତର ହେଲା କିପରି । କାହିଁକି ପରିବାର ଲୋକଙ୍କୁ ପୂର୍ବରୁ ଜଣାଯାଇନଥିଲା ବୋଲି ପରିବାରଲୋକ ଅଭିଯୋଗ କରିବା ସହ ଚିକିତ୍ସା ଅବହେଳାରୁ ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି । ତେବେ ଏହାକୁ ନେଇ ତଦନ୍ତ କରାଯିବା ସହ ଜେଲ୍ ଅଧିକାରୀଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ ।

ସେପଟେ ନିୟମିତ ତାଙ୍କ ଚିକିତ୍ସା ଚାଲିଥିଲା ବୋଲି ଡାକ୍ତର ତାଙ୍କୁ କହିଥିଲେ । ହଠାତ୍ ଦେହ ଅସୁସ୍ଥ ହୋଇଥିଲା । ଚିକିତ୍ସାରେ ଅବହେଳା କରାଯାଇନାହିଁ ବୋଲି ଜେଲର କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.