ଜମିଜମା ବିବାଦରୁ ସଂପର୍କୀୟ ପୁତରାକୁ ହତ୍ୟା କଲା ଦାଦା, କଟାମୁଣ୍ଡ ଧରି ଥାନାରେ କଲା ଆତ୍ମସମର୍ପଣ

Published By : Prameya-News7 Bureau | June 11, 2019 IST

ସମ୍ବଲପୁର (ନୀଳାଚଳ ମହାପାତ୍ର) ୧୧|୬: ସମ୍ବଲପୁର ସହରର ଭାଲୁପାଲ୍ଲୀ ଅନ୍ତର୍ଗତ ତିଲେଇମାଳ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଗଣ୍ଡି ପଡିଛି ମୁଣ୍ଡ ଗାଏବ  । ତେବେ କିଛି ଘଣ୍ଟାର ସସ୍‌ପେନ୍ସ ପରେ ହତ୍ୟାକାରୀ ଓ ହତ୍ୟାର କାରଣ ଜଣାପଡିଛି । ଜମି ଜମା ବିବାଦରୁ  ସଂପର୍କୀୟ ପୁତରାକୁ ହତ୍ୟା କରିଛି ଦାଦା । ଆଉ କଟାମୁଣ୍ଡ ଧରି ଅଇଁଠାପାଲ୍ଲୀ ଥାନାରେ ପହଞ୍ଚି ଦୋଷ ମାନିଯାଇଛି ।ହତ୍ୟାକାରୀ ଆପେ ଆପେ ଧରାଦେଇଥିଲେ ବି ତାର ଏପରି ବୀଭତ୍ସ କାଣ୍ଡ ଏବଂ ହତ୍ୟାର ତରିକାକୁ ନେଇ ସାଧାରଣରେ ତୀବ୍ର ଆଲୋଡନ ସୃଷ୍ଟି ହୋଇଛି ।

{"id":121902}

ଲୋମ ଟାଙ୍କୁରା ହତ୍ୟାକାଣ୍ଡ । ଏତେ ବୀଭତ୍ସ  ଏବଂ  ଅମାନବୀୟ ଯେ, ତାକୁ ଦେଖିବା କଷ୍ଟକର । ରକ୍ତ ଜୁଡୁବୁଡୁ ମୃତଦେହ ପଡିଛି, କିନ୍ତୁ ନାହିଁ ମୁଣ୍ଡ ।  ସମ୍ବଲପୁର ସହରର ଅଇଁଠାପାଲ୍ଲୀଥାନା ନିକଟସ୍ଥ ଭାଲୁପାଲ୍ଲୀ ତିଲେଇମାଳ ଗାଁରେ ଏଭଳି ଭୟଙ୍କର ହତ୍ୟାକୁ ନେଇ ଆଲୋଡନ।

{"id":122069}

ମୃତକ ହେଲେ ୫୦ ବର୍ଷୀୟ ସତ୍ୟନାରାୟଣ ମୁଣ୍ଡା। ମଜୁରି କରି ପରିବାର ପୋଷୁଥିବା ସତ୍ୟାନାରାୟଣ ସୋମବାର କାମରୁ ଆସି ଖାଇ ପିଇ ଘର ବାହାରେ ମଶାରୀ ଟାଙ୍ଗି ଶୋଇଥିଲା । କିନ୍ତୁ ସେହି ମଶାରୀ ଭିତରେ ସକାଳେ ତାଙ୍କ ରକ୍ତଜୁଡୁବୁଡୁ ଶରୀର ଦେଖି ଚିତ୍କାର କରିଥିଲେ ତାଙ୍କ ସ୍ତ୍ରୀ। ପାଖ ପଡିଶା ରୁଣ୍ଡ ହୋଇଯାଇଥିଲେ । ସତ୍ୟନାରାୟଣଙ୍କ  ଶରୀରରୁ ମୁଣ୍ଡକୁ କାଟି ନେଇଥିଲା ହତ୍ୟାକାରୀ । ହତ୍ୟାର କାରଣ ଏବଂ ହତ୍ୟାକାରୀ କିଏ  ତାହା ସମସ୍ତଙ୍କ ପାଇଁ ଥିଲା ଦୁର୍ବୋଧ । କାରଣ ସତ୍ୟନାରାୟଣଙ୍କର କେହି ଶତ୍ରୁ ଥିବା କାହାରି ବିଶ୍ବାସରେ ନଥିଲା ।ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲା ।

{"id":122070}

ହତ୍ୟାକାରୀ ନେଇ ସସ୍‌ପେନ୍ସ ବେଳେ, ସନ୍ଦେହକୁ ଆସିଥିଲେ ସତ୍ୟନାରାୟଣଙ୍କର ଜଣେ  ସଂପର୍କୀୟ କକା  । କିଛି ଦିନ ତଳେ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ହତ୍ୟାକାଣ୍ଡ ପରଠୁ ଗାଁରେ ସେହି କକାଙ୍କ ଦେଖା ନଥିଲା । ପୋଲିସ ସେନେଇ ତଦନ୍ତ କରୁଥିବା ବେଳେ ମାତ୍ର କିଛି ଘଣ୍ଟା ଭିତରେ ସେହି ସନ୍ଦେହ ସତ ହୋଇଛି । କଟାମୁଣ୍ଡ ଧରି  ଅଇଁଠାପାଲ୍ଲୀ ଥାନାରେ ପହଞ୍ଚିଥିଲା ହତ୍ୟାକାରୀ ଉଜ୍ଜଳ ମୁଣ୍ଡା । ଏକ ବ୍ୟାଗ୍‌ ଭିତରେ ଥିବା ସତ୍ୟାନାରାୟଣଙ୍କ କଟାମୁଣ୍ଡ ଥାନାରେ ରଖି ଦୋଷ ମାନିଯାଇଥିଲା  ଉଜ୍ଜଳ । ଜମିଜମା କଳିରୁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା ମାନିଥିବା ସୂଚନା ଦେଇଛନ୍ତି  ସମ୍ବଲପୁର ଏସପି ।

{"id":122071}

ସାମାନ୍ୟ କଥାରେ ଜଣେ ବ୍ୟକ୍ତି ଏପରି ଭୟଙ୍କର ହୋଇପାରେ  ? ହତ୍ୟାକାରୀ ଉଜ୍ଜଳ ମୁଣ୍ଡାର ଆତ୍ମସମର୍ପଣ ପରେ ଏହି ପ୍ରଶ୍ନ କୁ ନେଇ ସମ୍ବଲପୁର ସହରରେ ବେଶି ଚର୍ଚ୍ଚା । ତେବେ ହତ୍ୟାକାରୀର କଥା କେତେ ସତ ଏବଂ ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନା ସେନେଇ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.