ରୋହିତ ଓ ଇଶାନ୍ତଙ୍କୁ ନେଇ ଲାଗି ରହିଛି ସସପେନ୍ସ୍, ଏଯାଏଁ ଅଷ୍ଟ୍ରେଲିଆ ଗସ୍ତ କରିନାହାନ୍ତି ଦୁଇ ଖେଳାଳୀ
24/11/2020 at 1:34 PM

ନୂଆଦିଲ୍ଲୀ ୨୪/୧୧ : ରୋହିତ ଶର୍ମା ଏବଂ ଇଶାନ୍ତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍ ଖେଳିବେ କି ନାହିଁ ତାହା ଏଯାଏଁ ମଧ୍ୟ ସ୍ପଷ୍ଟ ହୋଇପାରି ନାହିଁ । ରୋହିତ ଓ ଇଶାନ୍ତ ଉଭୟ ଖେଳାଳି ମାଂସପେଶୀଜନିତ ଆହତ ସମସ୍ୟା ଯୋଗୁଁ ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରି ନାହାଁନ୍ତି । କିଛି ଦିନ ତଳେ ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ରୋହିତ ଶର୍ମା ଓ ଇଶାନ୍ତ ଶର୍ମାଙ୍କୁ ନେଇ ବଡ ପ୍ରତିକ୍ରିୟା ଦେଇଥିଲେ । ସୋମବାର ସୁଦ୍ଧା ଦୁଇ ଖେଳାଳି ଅଷ୍ଟ୍ରେଲିଆ ଗସ୍ତ ନକରିପାରିଲେ ଅଭ୍ୟାସ ମ୍ୟାଚରେ ଭାଗ ନେଇ ପାରିବେ ନାହିଁ ବୋଲି ଶାସ୍ତ୍ରୀ କହିଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଦୁଇ ଜଣ ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରିନଥିବାରୁ ସେମାନେ ଟେଷ୍ଟ ଟିମରେ ସାମିଲ ହୋଇପାରିବେ କି ନାହିଁ ତାହା ସନ୍ଦେହ ଘେରରେ ରହିଛି ।

ଏବେ ଅଷ୍ଟ୍ରେଲିଆ ଗସ୍ତ କଲେ ଉଭୟଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ହେବ । ସେପଟେ ବିସିସିଆଇ ମଧ୍ୟ କେବେ ସୁଦ୍ଧା ଏହି ଦୁଇ ଖେଳାଳି ଅଷ୍ଟ୍ରେଲିଆ ଗସ୍ତ କରିବେ ସେନେଇ କିଛି ସ୍ପଷ୍ଟ କରିନାହିଁ । ଭାରତୀୟ କ୍ରିକେଟ ଟିମର ମୁଖ୍ୟ କୋଚ ରବି ଶାସ୍ତ୍ରୀ ପୂର୍ବରୁ କହିଥିଲେ ଯେ ରୋହିତ ଏବଂ ଇଶାନ୍ତଙ୍କୁ ସୋମବାର ସୁଦ୍ଧା ଅଷ୍ଟ୍ରେଲିଆ ପହଞ୍ଚିବାକୁ ପଡିବ କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଦୁଇ ଖେଳାଳୀଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ । ଡିସେମ୍ବର ୧୭ରୁ ଟେଷ୍ଟ ସିରିଜ ଆରମ୍ଭ ହେବ । ଟେଷ୍ଟ ସିରିଜ ପାଇଁ ଅଭ୍ୟାସ ମ୍ୟାଚ୍ ଡିସେମ୍ବର ୬ ରୁ ୮ ଯାଏଁ ଖେଳାଯିବ । ତେବେ ରୋହିତ ଏବଂ ଇଶାନ୍ତ ପ୍ରାୟତଃ ଅଭ୍ୟାସ ମ୍ୟାଚ ଖେଳିନପାରନ୍ତି ।

ତେବେ ଯଦି ରୋହିତ ଶର୍ମା ଟେଷ୍ଟ୍ ସିରିଜରୁ ବାଦ ପଡନ୍ତି ଭାରତ ପାଇଁ ବଡ ଝଟକା ହେବ । ଅଧିନାୟକ ବିରାଟ କୋହଲି ପ୍ରଥମ ଟେଷ୍ଟ ଖେଳି ଭାରତ ଫେରିବାକୁ ଥିବାରୁ ଦଳ ପାଇଁ ଆଗାମୀ ଟେଷ୍ଟ ଗୁଡିକ ଚ୍ୟାଲେଞ୍ଜି ହେବ । ବ୍ୟାକ-ଅପ ଖେଳାଳୀ ଭାବେ କେ. ଏଲ. ରାହୁଲ ଟିମରେ ସାମିଲ ଥିଲେ ମଧ୍ୟ ରୋହିତଙ୍କ ଉପସ୍ଥିତି ଦଳ ପାଇଁ ଅଧିକ ଫାଇଦା ହେବ ବୋଲି କୁହାଯାଇଛି । ଯଦି ରୋହିତଙ୍କର ପୂର୍ବ ୫ଟି ଟେଷ୍ଟ ମ୍ୟାଚ କଥା କହିବା ତେବେ ୫ ଟି ମ୍ୟାଚରୁ ସେ ମୋଟ ୫୫୬ ରନ ସଂଗ୍ରହ କରିଛନ୍ତି ଯେଉଁଥିରେ ୨ ଟି ଶତକ ଏବଂ ଗୋଟିଏ ଦ୍ବିଶତକ ସାମିଲ ଥିଲା ।