ଚାଇନା କମ୍ପାନୀକୁ ନା, 'ଅନଏକାଡେମୀ' ହେଲା ଆଇପିଏଲର ଅଫିସିଆଲ ପାର୍ଟନର୍

Published By : Prameya-News7 Bureau | August 30, 2020 IST

ନୂଆଦିଲ୍ଲୀ,୩୦/୦୮: ବେଙ୍ଗାଲୁରୁ ସ୍ଥିତ ଅନ୍‌ଲାଇନ ଶିକ୍ଷା ଓ ବୈଷୟିକ କମ୍ପାନୀ ‘ଅନ୍‌ଏକାଡେମୀ’ ଆଇପିଏଲ୍‌ର ଅଫିସିଆଲ୍‌ ପାର୍ଟନର ଭାବେ ତିନି ବର୍ଷ ପାଇଁ ଚୁକ୍ତି କରିଛି। ଏନେଇ ଶନିବାର ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି।

ଆଇପିଏଲ୍‌ ଅଧ୍ୟକ୍ଷ ବ୍ରିଜେଶ ପଟେଲ୍‌ କହିଛନ୍ତି, ଆଇପିଏଲ୍‌ର ପରବର୍ତ୍ତୀ ୩ଟି ସଂସ୍କରଣର (୨୦୨୦ରୁ ୨୦୨୨) ଅଫିସିଆଲ୍‌ ପାର୍ଟନର ଭାବେ ‘ଅନ୍‌ଏକାଡେମୀ’ ସହ ଚୁକ୍ତି କରି ଆମେ ବହୁତ ଖୁସି। ଏହା ଦେଶରେ ସବୁଠୁ ଲୋକପ୍ରିୟ ଟୁର୍ଣ୍ଣାମେଣ୍ଟ। ମୋ’ ମତରେ ସ୍ୱଦେଶୀ କମ୍ପାନୀ ‘ଅନ୍‌ଏକାଡେମୀ’ ଭାରତୀୟ ଦର୍ଶକଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇବ, ଖାସ୍‌ କରି ଲକ୍ଷ ଲକ୍ଷ ଯୁବ ପିଢ଼ିଙ୍କ ଉପରେ ।’

‘ଅନ୍‌ଏକାଡେମୀ’ କମ୍ପାନୀର ଉପସଭାପତି (ମାର୍କେଟିଂ) କରଣ ଶ୍ରଫ୍‌ କହିଛନ୍ତି, ଆଇପିଏଲ୍‌ର ଅଫିସିଆଲ୍‌ ପାର୍ଟନର ହେବା ଗର୍ବର ବିଷୟ । ଦେଶରେ ‘ଅନ୍‌ଏକାଡେମୀ’କୁ ସବୁଠୁ ବଡ଼ ବ୍ରାଣ୍ଡ ଭାବେ ଗଠନ କରିବା ଆମର ଲକ୍ଷ୍ୟ । ଆମକୁ ସୁଯୋଗ ଦେଇଥିବାରୁ ବିସିସିଆଇ ଏବଂ ଆଇପିଏଲ୍‌କୁ ସାଧୁବାଦ ଜଣାଉଛି ।’

ସୂଚନାଯୋଗ୍ୟ, ବିସିସିଆଇ ପୂର୍ବରୁ ଆଇପିଏଲ୍‌ର ଟାଇଟଲ ପ୍ରାୟୋଜକ ଭାବେ ଡ୍ରିମ୍‌-୧୧ ସହ ବର୍ଷକ ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲା । ଡ୍ରିମ୍‌-୧୧ ଚାଇନିଜ୍‌ କମ୍ପାନୀ ‘ଭିଭୋ’ର ସ୍ଥାନ ନେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.