ନ୍ୟୁୟର୍କ: ଜାତିସଂଘ ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁତାରେସ୍ ଆଫ୍ରିକାରେ କରୋନା ବ୍ୟାପିବା ଆଶଙ୍କାରେ ପ୍ରସ୍ତୁତି ଲାଗି ନିବେଦନ କରିଛନ୍ତି। ଯଦି ସମୟ ପୂର୍ବରୁ ପଦକ୍ଷେପ ନିଆ ନଯାଏ ତେବେ ଏହି ମହାଦ୍ୱୀପରେ କରୋନା ବ୍ୟାପିଲେ ପରିସ୍ଥିତି ଅଣାୟତ୍ତ ହୋଇପଡିବ ବୋଲି ମଧ୍ୟ ସତର୍କ କରାଇଦେଇଛନ୍ତି। ଗୁତାରେସ ଏ ନେଇ ଜାତିସଂଘରେ ଭିଡିଓ କନଫରେନସିଂ ଦ୍ୱାରା ଆଫ୍ରିକୀୟ ଦେଶଙ୍କ ରାଷ୍ଟ୍ରଦୂତମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି। ଯେଉଁଥିରେ ଜଳବାୟୁ ସଂକଟ ଭଳି ଆଫ୍ରିକା କୋଭିଡ-୧୯ ଦ୍ୱାରା ଗୁରୁତର ପ୍ରଭାବିତ ହୋଇପାରେ ବୋଲି ସତର୍କ କରାଇଦେଇଛନ୍ତି।
ତେବେ ଭୂତାଣୁ ବିରୋଧରେ ଆଫ୍ରିକାର ଏହି ଲଢେଇରେ ଜାତିସଂଘ ମଧ୍ୟ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଗୁତାରେସ ପ୍ରତିଶ୍ରୁତି ଦେଇଛନ୍ତି। ଏଣୁ ଏହି ଭୂତାଣୁ କବଳରୁ ଆଫ୍ରିକୀୟ ଦେଶଙ୍କୁ ସେମାନଙ୍କର ଅର୍ଥବ୍ୟବସ୍ଥା ସୁରକ୍ଷିତ ରଖିବା ଲାଗି ଚଳାଇଥିବା ପ୍ରୟାଶକୁ ଜାତିସଂଘ ଜେନେରାଲ ସେକ୍ରେଟାରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଏଥିଲାଗି ସେ ଉଗାଣ୍ଡା, ନାମିବ୍ୟା ଓ ଇଜିପ୍ଟ ଆଦି ଦେଶଙ୍କ ଉଦାହରଣ ଦେଇଥିଲେ।