୨୦୨୧ ଲାଗି ଜାତିସଂଘ ସଂଗ୍ରହ କରିଛନ୍ତି ୩୭୦ ନିୟୁତ ଡଲାର ଜରୁରିକାଳୀନ ପାଣ୍ଠି

Published By : Prameya-News7 Bureau | December 09, 2020 IST

ଜେନେଭା: ଆଗାମୀ ୨୦୨୧ ମସିହାରେ ଉପୁଜିବାକୁ ଥିବା ସଂକଟର ମୁକାବିଲା ଲାଗି ମିଳିତ ଜାତିସଂଘ ୩୭୦ ନିୟୁତ ଡଲାର ପାଣ୍ଠି ସଂଗ୍ରହ କରିଥିବା ଘୋଷଣା କରିଛନ୍ତି। ଅନୁନ୍ୟ ୫୦ରୁ ଅଧିକ ଦାତା ଜାତିସଂଘର କେନ୍ଦ୍ରୀୟ ଜରୁରିକାଳୀନ ପ୍ରତିକ୍ରିୟା ପାଣ୍ଠି (ସିଇଆରଏଫ)କୁ ଏହି ଅନୁଦାନ ଦେଇଥିବା ଏହାର ପରିଚାଳକ ମାନବିକତା ବ୍ୟାପାର ମହା ଅନୁସଚିବ ମାର୍କ ଲୋକକ୍ ଏକ ବିବୃତ୍ତିରେ କହିଛନ୍ତି।

ଜାତିସଂଘ ମୁଖ୍ୟାଳୟରେ ଅନୁଷ୍ଠିତ ଦାତାଙ୍କ ଭିଡିଓ କନଫରେନ୍ସକୁ ସମ୍ବୋଧିତ କରି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ଏହି ପାଣ୍ଠି ଅଚାନକ ସଂକଟ ସାଙ୍ଗକୁ ଦୁର୍ବଳ ବର୍ଗର ସହାୟତା ଲାଗି ସବୁଠୁ ବଡ ସହାୟତା। ୨୦୦୫ ମସିହାରେ ସ୍ଥାପିତ ଏହି ପାଣ୍ଠି ଚଳିତବର୍ଷ ଲକ୍ଷଲକ୍ଷ ଲୋକଙ୍କୁ ଭୋଜନ ସମେତ ସ୍ୱାସ୍ଥ୍ୟ ସେବା, ଆଶ୍ରୟ ଓ ସୁରକ୍ଷା ପ୍ରଦାନରେ ସହାୟତା କରିଛି।

କେବଳ ୨୦୨୦ ବର୍ଷରେ ସିଇଆରଏଫ ବିଶ୍ୱର ୫୨ଟି ଦେଶଙ୍କ ବିଭିନ୍ନ କ୍ଷେତ୍ରରେ ୬୫ ନିୟୁତ ଲୋକଙ୍କୁ ସହାୟତା କରିପାରିଛି। ଏ ବାବଦେ ପ୍ରାୟ ୯୦୦ ନିୟୁତ ଡଲାରରୁ ବି ଅଧିକ ଖର୍ଚ୍ଚ ହୋଇଥିବା ସେ କହିଛନ୍ତି। ଏହି ବିପୁଳ ଅର୍ଥ କୋଭିଡ-୧୯ ମହାମାରୀ ସାଙ୍ଗକୁ ଅନ୍ୟ ରୋଗ ମୁକାବିଲା, ସଂଘର୍ଷ ଅଥବା ପ୍ରାକୃତିକ ଦୁର୍ବିପାକ ଗ୍ରସିତ ଜନତାଙ୍କ ସହାୟତାରେ ବ୍ୟୟ ହୋଇଛି।

ଜାତିସଂଘ ୨୦୨୧ରେ ୧୬୦ ନିୟୁତ ଲୋକଙ୍କ ଲାଗି ଜରୁରି ଦାତା ସମ୍ମିଳନୀ ଆହ୍ୱାନ କରିବାର ମାତ୍ର ସ୍ୱଳ୍ପ ଦିନ ମଧ୍ୟରେ ଏହି ପାଣ୍ଠି ସଂଗୃହୀତ ହୋଇପାରିଥିବା ମହାସଚିବ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.