ଭାରତକୁ ୟୁଏନର ପ୍ରଶଂସା, ଅନ୍ୟ ଦେଶକୁ ସାହାଯ୍ୟ କରିଥିବାରୁ କଲା ସଲାମ
18/04/2020 at 12:12 PM

ନ୍ୟୁୟର୍କ, ୧୮|୦୪: କରୋନା ମୁକାବିଲାରେ ଭାରତ ଦେଶରେ ଲକଡାଉନ, ସାମାଜିକ ଦୂରତା ଭଳି ପଦକ୍ଷେପ ନେଇ ସଂକ୍ରମଣ ରୋକିବାରେ କେତେକାଂଶରେ ସଫଳ ହୋଇଛି । ଏପରିକି ଦେଶରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ଏହାସହ ଭାରତ ଅନ୍ୟ ପ୍ରଭାବିତ ଦେଶକୁ ମଧ୍ୟ ସାହାଯ୍ୟର ହାତ ବଢାଇଛି । ଏହି ପ୍ରୟାସକୁ ଦେଖି ସଂଯୁକ୍ତ ରାଷ୍ଟ୍ର ବା ୟୁଏନର ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଭାରତକୁ ପ୍ରଶଂସା କରିଛନ୍ତି । ଭାରତଠୁ ଅନ୍ୟ ଦେଶମାନେ ଶିକ୍ଷାଲାଭ କରିବା ଉଚିତ ବୋଲି ସେ କହିଛନ୍ତି । ତାଙ୍କ ବୟାନ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ଆମେରିକା ସମେତ ଅନେକ ଦେଶକୁ ଭାରତ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ରପ୍ତାନୀ କରିଛି ।
ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ ଏହି ମେଡିସିନକୁ ୧୫୦୦ ସଂକ୍ରମିତଙ୍କ ଉପରେ ପରୀକ୍ଷା କରିଛି । ଭାରତ ସରକାର ଏହି ଔଷଧ ଉପରୁ କଟକଣା ହଟାଇବା ପରେ ଏହାର ଚାହିଦା ବୃଦ୍ଧି ପାଇଛି । ଅନେକ ଦେଶ ଏହାକୁ ଭାରତଠୁ ମଗାଉଛନ୍ତି ।

ଶୁକ୍ରବାର ଆଣ୍ଟୋନିଓ କହିଛନ୍ତି ଯେ, ଭାଇରସ ବିରୋଧରେ ସାରା ବିଶ୍ୱ ଏକଜୁଟ ଅଛନ୍ତି । ଭାରତ ସମେତ ସେହି ସବୁ ଦେଶକୁ ସଲାମ ଯେଉଁମାନେ ଅନ୍ୟକୁ ସାହାଯ୍ୟ କରିଛନ୍ତି । ଭାରତ ଅନ୍ୟ ଦେଶକୁ ପଠାଉଥିବା ଔଷଧ ଓ ଅନ୍ୟ ସାମଗ୍ରୀ ଏକ ଭଲ ପଦକ୍ଷେପ ।
ସୂଚନାଯୋଗ୍ୟ, ଭାରତ କରୋନା ପ୍ରଭାବିତ ୫୫ରୁ ଅଧିକ ଦେଶକୁ ହାଇଡଡ୍ରୋକ୍ସିକ୍ଲୋରୋକ୍ୱିନ୍ ରପ୍ତାନୀ କରିଛି । ଏହି ଔଷଧ କରୋନା ମୁକାବିଲାରେ ଉପଯୋଗୀ ସାବ୍ୟସ୍ତ ବୋଲି ଅନେକ ଦେଶ ଦାବି କରୁଛନ୍ତି ।