LACରେ ଉତ୍ତେଜନାକୁ ନେଇ UNଙ୍କ ଉଦବେଗ, ସଞ୍ଜମତା ଅବଲମ୍ବନ ଲାଗି ଭାରତ ଓ ଚୀନ୍‌କୁ ପରାମର୍ଶ

Published By : Prameya-News7 Bureau | June 17, 2020 IST

ଜେନେଭା ୧୭।୬ : ମିଳିତ ଜାତି ସଂଘ ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍ ଭାରତ ଓ ଚୀନ ମଧ୍ୟରେ ଅବସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଉତ୍ତେଜନା ଓ ଏହାକୁ ନେଇ ରକ୍ତାକ୍ତ ସଂଘର୍ଷକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଗୁଟେରସ୍ ଏଥିଲାଗି ଉଭୟ ପକ୍ଷଙ୍କୁ ଯଥା ସମ୍ଭବ ସଞ୍ଜମ ଆଚରଣ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି।

ମିଳିତ ଜାତିସଂଘ ସଚିବଙ୍କ ମୁଖପାତ୍ର ଏରି କନେକୋ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏଲଏସିରେ ଭାରତ ଓ ଚୀନ ସଂଘର୍ଷ ଏବଂ ଏଥିଯୋଗୁ ହୋଇଥିବା ମୃତ୍ୟୁ ଲାଗି ଆମେ ଚିନ୍ତା ବ୍ୟକ୍ତ କରୁଛୁ। ଗଲବାନ ଘାଟିରେ ଉଭୟ ଦେଶଙ୍କ ସୈନିକ ସହିଦ ହେବା ଘଟଣା ନେଇ ପଚରା ଯିବାରେ ସେ ଏହି ପ୍ରତିକ୍ରିୟା ରଖିଛନ୍ତି। ଏଥିଲାଗି ଉଭୟ ଦେଶଙ୍କୁ ଅଧିକରୁ ଅଧିକ ସଞ୍ଜମତା ଅବଲମ୍ବନ ଲାଗି ପରାମର୍ଶ ଦିଆଯାଇଥିବା ସେ କହିଛନ୍ତି।   

ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚୀନ ସେନା ଆକ୍ରମଣରେ ଜଣେ କମାଣ୍ଡିଂ ଅଫିସରଙ୍କ ସମେତ ୨୦ ଜଣ ଜବାନ ନିହତ ହୋଇଛନ୍ତି। ଫଳରେ ଜାରି ଗତିରୋଧ ଅଧିକ ଜଟିଳ ହୋଇପଡିଛି। ତେବେ ଚୀନ ସେନା ପକ୍ଷରୁ ମୃତାହତଙ୍କ ନେଇ କୌଣସି ସୂଚନା ଦିଆଯାଇନାହିଁ। ଯେପରି ଦୁଇ ଦେଶରେ ସୈନିକଙ୍କ ମୃତ୍ୟୁ ସଂଖ୍ୟାକୁ ନେଇ ତୁଳନା ନ ହୁଏ ସେଥିଲାଗି  ଚୀନ ସୈନ୍ୟଙ୍କ ହତାହତ ନେଇ ସୂଚନା ଦେଉନଥିବା ଜଣାପଡିଛି। ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆହତ ସୈନିକଙ୍କ ସନ୍ଧାନ ଲାଗି ଘଟଣା ପରଦିନ ଚୀନ  ହେଲିକପ୍ଟର ସୀମାରେ ଉଡୁଥିବାର ଦେଖାଯାଇଛି। ଆହତ ସୈନିକଙ୍କୁ ହେଲିକପ୍ଟରରେ ଚୀନ ଏୟାର ଲିଫ୍ଟ କରାଇଥିବାର ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.