UNର ଅପିଲ୍ : କୋଭିଡ-୧୯ ସମ୍ବନ୍ଧୀୟ ମିଥ୍ୟା ଖବର ବିସ୍ତାର କରି ଲୋକଙ୍କ ଜୀବନକୁ ସଙ୍କଟରେ ପକାଅନାହିଁ

Published By : Prameya-News7 Bureau | April 15, 2020 IST

ନ୍ୟୁୟର୍କ ୧୫।୪: ସାରା ବିଶ୍ବ ଏବେ କରୋନା ମହାମାରୀ ସହ ସଂଘର୍ଷ କରୁଛି । ଏଭଳି ସ୍ଥିତିରେ ହ୍ବାଟସଆପ୍ ଭଳି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ କୋଭିଡ-୧୯ର ମିଥ୍ୟା ସୂଚନା ନଦେବା ଲାଗି ମିଳିତ ଜାତିସଂଘର ବର୍ତ୍ତମାନର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ସାବଧାନ କରିଦେଇଛନ୍ତି । ଏହାଦ୍ବାରା ଆଉ ଏକ ବିପଜ୍ଜନକ ମହାମାହୀର ମୁକାବିଲା କରିବାକୁ ପଡିପାରେ ବୋଲି ସେ କହିଛନ୍ତି । ଏଭଳି ମିଥ୍ୟା ସୂଚନା ଅନେକ ଲୋକଙ୍କ ଜୀବନକୁ ବିପଦରେ ପକାଇପାରେ । ତଥ୍ୟ ଏବଂ ବିଜ୍ଞାନ ଆଧାରିତ ସୂଚନାକୁ କେବଳ ସୋସିଆଲ ମିଡିଆରେ ପୋଷ୍ଟ କରିପାରିବା ବୋଲି ସେ କହିଛନ୍ତି ।

ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ କରୋନା ଭାଇରସ୍ ନେଇ ସାରା ବିଶ୍ବରେ ଦିଆଯାଉଥିବା ମିଥ୍ୟ ସୂଚନା ଏବଂ ଭୁଲ୍ ସ୍ବାସ୍ଥ୍ୟ ପରାମର୍ଶ ଉପରେ ଗମ୍ଭୀର ଭାବେ ଚିନ୍ତା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ସାରା ବିଶ୍ବ ବର୍ତ୍ତମାନ ମାରାତ୍ମକ କୋଭିଡ-୧୯ ମହାମାରୀ ସହ ଲଢେଇ ଜାରି ରଖିଛି । ଯାହାକି ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସବୁଠୁ ଅଧିକ ଆହ୍ବାନପୂର୍ଣ୍ଣ ସଙ୍କଟ । ଏଭଳି ପରିସ୍ଥିତିରେ ଭୁଲ୍ ସୂଚନାର ପୋଷ୍ଟ ହେବା ଦ୍ବାରା ଆମକୁ ଆଉ ଏକ ମହାମାରୀକୁ ସାମ୍ନା କରିବାକୁ ପଡିପାରେ ।

ମିଥ୍ୟା ସୂଚନା ପୋଷ୍ଟ ହେଉଛି । କରୋନା ଭାଇରସ୍ କୁ ଏକ ଷଡଯନ୍ତ୍ର ବୋଲି ମଧ୍ୟ ଅଭିହିତ କରାଯାଉଥିବା ଭୁଲ୍ ଖବର ଇଣ୍ଟରନେଟ୍ କୁ ସଂକ୍ରମିତ କରୁଛି । ଘୃଣା ବିସ୍ତାର କରୁଥିବା ଜିନିଷ ମଧ୍ୟ ଭାଇରାଲ୍ ହେଉଛି । ଲୋକ ଏବଂ ଗୋଷ୍ଠୀ ଉପରେ କଳଙ୍କ ଲଦି ଦିଆଯାଉଛି । ସେମାନଙ୍କୁ ଦୋଷୀର ଆଖ୍ୟା ଦିଆଯାଉଛି । ସାରା ବିଶ୍ବକୁ ଏଭଳି ରୋଗ ବିପକ୍ଷରେ ଏକଜୁଟ ହେବାକୁ ପଡିବ ।

ଗୁଟେରସ୍ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ଦେଶକୁ ମିଥ୍ୟା ଏବଂ ଅନାବଶ୍ୟକ ଜିନିଷରୁ ଦୂରେଇ ରହିବାକୁ ଅପିଲ୍ କରାଯାଇଛି । ମିଥ୍ୟା ସୂଚନା ଭଳି ସଙ୍କଟର ମୁକାବିଲା ପାଇଁ ତଥ୍ୟ ଏବଂ ବିଜ୍ଞାନ ଆଧାରିତ ଜିନିଷକୁ ଇଣ୍ଟରନେଟ୍ ରେ ପୋଷ୍ଟ କରିବା ନେଇ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସେହିଭଳି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଫଣ୍ଡ ବନ୍ଦ ଘୋଷଣା ପରେ ଗୁଟେରସ୍ କହିଛନ୍ତି ଯେ, ଏବେ ଡବ୍ଲୁଏଚଓର ଆର୍ଥିକ ପାଣ୍ଠି କମ୍ କରିବାର ସମୟ ନୁହେଁ । ଏହି ସଂଗଠନ ଏବେ ବି କରୋନା ମହାମାରୀ ସହ ଲଢେଇ ଜାରି ରଖିଛି ।

ମହାମାରୀକୁ ନେଇ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଡବ୍ଲୁଏଚଓ ପ୍ରତି ନିଜର ସମର୍ଥନ ବ୍ୟକ୍ତ କରି କହିଛନ୍ତି ଯେ, ବର୍ତ୍ତମାନ ପଛକୁ ବୁଲି ଦେଖିବାର ସମୟ ନୁହେଁ । ଏହା ଉପରେ ବିଚାର କରାଯାଉ ଏହି ସଙ୍କଟରୁ ମୁକୁଳିବା ପାଇଁ ସମସ୍ତଙ୍କୁ କଣ କରିବା ଉଚିତ୍ । ଏହି ସମୟ ଏକତାର । ଅନ୍ତର୍ଜାତୀୟ ସମୂହ ପାଇଁ ଏହି ସମୟ ଭାଇରସ୍ ଏବଂ ଏହାର ବିନାଶକାରୀ ପରିଣାମକୁ ରୋକିବା ପାଇଁ ଏକତାର ସହ ଏକାଠି ହୋଇ କାମ କରିବାର ସମୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.