ଟିମ୍ ଇଣ୍ଡିଆକୁ ବଡ ଝଟକା, ମାଂସପେଶୀରେ ଯନ୍ତ୍ରଣା ପରେ ଷ୍ଟାଡିୟମ ଛାଡିଲେ ଉମେଶ ଯାଦବ

Published By : Prameya-News7 Bureau | December 28, 2020 IST

ମେଲବର୍ଣ୍ଣ,୨୮/୧୨: ମେଲବର୍ଣ୍ଣ ଟେଷ୍ଟର ତୃତୀୟ ଦିନରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆକୁ ବଡ ଝଟକା ଲାଗିଛି । ବୋଲିଂ କରୁଥିବା ବେଳେ ଦ୍ରୁତ ବୋଲର ଉମେଶ ଯାଦବଙ୍କ ମାଂସପେଶୀରେ ଯନ୍ତ୍ରଣା ଅନୁଭୂତ ହୋଇଛି । ଫଳରେ ତାଙ୍କୁ ପଡିଆରୁ ବାହାରକୁ ଆସିବାକୁ ପଡିଥିଲା । ସେ ଛୋଟେଇ ଛୋଟେଇ ଡ୍ରେସିଂ ରୁମକୁ ଯାଇଥିଲେ ।

ଉମେଶ ଯାଦବ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସର ଅଷ୍ଟମ ଓଭରରେ ଆହତ ହୋଇଥିଲେ । ଏହି ଓଭରର ପ୍ରଥମ ତିନୋଟି ବଲ ପକାଇବା ପରେ ତାଙ୍କୁ ମଇଦାନ ଛାଡିବାକୁ ପଡିଥିଲା । ଏହାପରେ ବଳକା ଥିବା ତିନୋଟି ବଲକୁ ମହମ୍ମଦ ସିରାଜ ବୋଲିଂ କରିଥିଲେ ।

ଭାରତୀୟ ଦଳକୁ ଏହା ବଡ ଝଟକା ବୋଲି କୁହାଯାଉଛି । କାରଣ ପୂର୍ବରୁ ମହମ୍ମଦ ସାମି ଆହତ ହୋଇ ଟେଷ୍ଟ୍ ସିରିଜରୁ ବାଦ୍ ପଡିଛନ୍ତି । ସାମିଙ୍କ ପୂର୍ବରୁ ଇଶାନ୍ତ ଶର୍ମା ଆହତ ହୋଇଥିଲେ । ଉମେଶ ଆହତ ହେବା ପରେ ଦଳ ପାଖରେ କେବଳ ନବଦୀପ ସୈନୀଙ୍କ ବିକଳ୍ପ ରହିଛି ।

{"id":383741,"sizeSlug":"large","linkDestination":"none"}

ଅଷ୍ଟମ ଓଭରରେ ଉମେଶ ଆହତ ହେବା ପରେ ଟିମ୍ ଫିଜିଓ ଷ୍ଟାଡିୟମକୁ ଆସି ତାଙ୍କୁ ଡ୍ରେସିଂ ରୁମକୁ ନେଇଥିଲେ । ଏହି ଇନିଂସରେ ସେ ଜୋ ବର୍ଣ୍ଣସଙ୍କୁ ୪ ରନରେ ଆଉଟ୍ କରିଥିଲେ । ତେବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅଧିକ ସୂଚନା ମିଳିପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.