ଉମରକୋଟରେ ମାତାଲ ପୋଲିସର ଉନ୍ମତ୍ତକାଣ୍ଡ: ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ

Published By : Prameya-News7 Bureau | September 03, 2018 IST

ନବରଂଗପୁର ୩|୯: ପୁଣି ଖାକିରେ ଦାଗ । ମଦ ନିଶାରେ ମାତାଲ ହୋଇ ବଦନାମ ପୋଲିସ ବାବୁ । ଏମିତି କି ନିଶାରେ ନିଜର ହିତାଇତ ଜ୍ଞାନ ଭୁଲିଯାଉଛନ୍ତି ପୋଲିସ ବାବୁ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟରେ । ଜଣେ ପୋଲିସ କନଷ୍ଟେବଳ ମଦ ପିଇ ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି । ଏପରିକି କିଛି ସମୟ ଧରି ରାସ୍ତାରେ ନାଚି ହଙ୍ଗାମା କଲେ । ଉମରକୋଟର ଜନଗହଳି ସ୍ଥାନ ପୁରୁଣା ବସଷ୍ଟାଣ୍ଡ ଠାରେ ଥିବା ପୋଲିସ ପୋଷ୍ଟ ନିକଟରେ ଖାକି ପୋଷାକରେ ଥିବା ଜଣେ କାର୍ଯ୍ୟରତ ପୋଲିସ କନଷ୍ଟେବଳ ମଦ ପିଇ ନିଜ ଦାୟିତ୍ୱ ଭୁଲିଯାଇଛନ୍ତି । ଜନ ସାଧାରଣଙ୍କୁ ସୁରକ୍ଷା ପରିବର୍ତ୍ତେ ମଦ ନିଶାରେ ମହିଳାଙ୍କୁ ର୍ଦୁବ୍ୟବହାର କରିଛନ୍ତି । ଝରୀଗାଁ ଥାନାରେ ପୋଷ୍ଟ ହୋଇ ଉମରକୋଟ ନାକା ଡ୍ୟୁଟିରେ ଥିବା କନଷ୍ଟେବଳ ସୁରେନ୍ଦ୍ର ପାତ୍ର ବାଗଙ୍କ ନାଁରେ ଏଭଳି ଅଭିଯୋଗ ହୋଇଛି । ଜୁଲାଇ ୩୧ ତାରିଖ ରାତି ୯ଟାରେ ଭିତରଗଡ ଅଂଚଳର ଜଣେ ବ୍ୟକ୍ତି ନିଜ ପରିବାରଙ୍କ ସହ ବଜାରରୁ ଫେରୁଥିଲେ । ପୁରୁଣା ବସ୍ଷ୍ଟାଣ୍ଡ ନିକଟରେ ଥିବା ନାକା ପୋଷ୍ଟ ନିକଟରେ ଥିବା ଏକ ଗୁପ୍ ଚୁପ୍ ଦୋକାନରେ ଗୁପ୍ ଚୁପ୍ ଖାଇବାକୁ ଅଟକିଲେ । ସେଠାରେ ଥିବା କାର୍ଯ୍ୟରତ କନଷ୍ଟେବଳ ସୁରେନ୍ଦ୍ର ପାତ୍ର ବାଗ ଗୁପ ଚୁପ ଖାଉଥିବା ମହିଳାଙ୍କୁ ଫୋନ ନମ୍ବର ମାଗି ଅଶ୍ଳୀଳ ଇଙ୍ଗିତ କରିଥିଲେ । ଏହାର ପ୍ରତିବାଦ କରିବାରୁ ମଦ ନିଶାରେ ଚୁର ଥିବା କନଷ୍ଟେବଳ ସ୍ଥାନୀୟ ଲୋକଙ୍କ ଗାଳି ଗୁଳଜ କରିବା ସହ ରାସ୍ତା ମଝିରେ ବିଭିନ୍ନ ଅଙ୍ଗ ଭଙ୍ଗୀରେ ନାଚି ବାକୁ ଲାଗିଲେ । ଛାତିରେ ହାତ ପିଟି ଓ ନିଶାକୁ ମୋଡି ବିଭିନ୍ନ ଅଙ୍ଗଭାଙ୍ଗି ପରିଦର୍ଶନ କଲେ । ଆଜିର ଏଭଳି ଘଟଣା କୁନେଇ ନବରଙ୍ଗପୁର ଜିଲ୍ଲା ପୋଲିସର ମୁଣ୍ଡ ତଳକୁ ହୋଇଯାଇଛି । ଏ ସମ୍ପର୍କରେ ଉମରକୋଟ ଏସ.ଡ଼ି. ପି.ଓ ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲୁ । ଏ ଭଳି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ କେମେରା ଆଗରେ କିଛି କହିବାକୁ ମନା କରିଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.