ଏକ୍ ଫୁଲ୍ ଦୋ ମାଲି, କ୍ଲାଇମାକ୍ସ ହେଲା ରକ୍ତ ରଞ୍ଜିତ, ବନ୍ଧୁତ୍ୱରେ ଲାଗିଲା ପ୍ରେମର ଗ୍ରହଣ

Published By : Prameya-News7 Bureau | June 01, 2021 IST

ରାୟଗଡ଼ା,୦୧/୦୫: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ପୋଙ୍ଗିଲି ନାଳ ନିକଟରେ ଏକ ପ୍ରେମଜନିତ ହତ୍ୟାକାଣ୍ଡ ଘଟିଛି । ଏହି ଘଟଣାରେ ପୁଲିସ ଜଣକୁ ଗିରଫ କରିଥିବା ବେଳେ ଆଉ ଦୁଇଜଣ ଅଟକ ଅଛନ୍ତି । ଗିରଫ ଜଣକ ହେଲେ ରୁମାନ ବଗର୍ତ୍ତି ଏବଂ ଅଟକ ଦୁଇଜଣ ବିକାଶ ଭଟ୍ଟ ଓ ପ୍ରଶାନ୍ତ ବଗର୍ତ୍ତି । ହତ୍ୟାର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ଉମାକାନ୍ତ କାଣ୍ଡ । ସମସ୍ତଙ୍କ ଘର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅଞ୍ଚଳରେ । ରବିବାର ପୁଲିସ ସହ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳକୁ ପହଞ୍ଚି ଶବ ଉଦ୍ଧାର କରିଥିଲା । ଏହାପରେ ହତ୍ୟାକାଣ୍ଡରେ ଜଡ଼ିତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଏସଡିପିଓ ଦେବଜ୍ୟୋତି ଦାଶ କହିଛନ୍ତି ।

ଘଟଣାରୁ ପ୍ରକାଶ ଯେ, ରୁମାନ ଓ ଉମାକାନ୍ତ ଦୁହେଁ ହେଉଛନ୍ତି ସାଙ୍ଗ । ଉଭୟ ଗୋଟିଏ ଯୁବତୀଙ୍କୁ ଭଲପାଇ ଆସୁଥିଲେ । ଉକ୍ତ ଯୁବତୀ ଜଣଙ୍କ ଉମାକାନ୍ତଙ୍କ ସହ କଥା ହେଉଥିବା ଦେଖି ରୁମାନ ଏଥିରେ କ୍ଷୁବ୍ଧ ହୋଇଥିଲେ । କିଛିଦିନ ପରେ ଉମାକାନ୍ତଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ । ଗତ ୨ ତାରିଖରେ ରୁମାନ ରାୟଗଡ଼ାର ନିଜ ଭଉଣୀ ଘରକୁ ଆସି ସମସ୍ତ ଯୋଜନା ପ୍ରସ୍ତୁତ କରିଥିଲେ । ୪ ତାରିଖରେ ଉମାକାନ୍ତଙ୍କୁ ରାୟଗଡ଼ା ଡାକିଥିଲେ । ଉମାକାନ୍ତ ରାୟଗଡ଼ା ପହଞ୍ଚିବା ପୂର୍ବରୁ ରୁମାନ ନିଜ ସମ୍ପର୍କୀୟ ଭାଇ ପ୍ରଶାନ୍ତ ଓ ବିକାଶଙ୍କୁ ପୂର୍ବରୁ ପ୍ରସ୍ତୁତ କରି ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲେ । ଷଡ଼ଯନ୍ତ୍ର ପ୍ରକାରେ ସେମାନେ ମିଳିତ ଭାବେ କଲ୍ୟାଣସିଂହପୁର ବ୍ଲକ କନ୍ଧକାତିପାଡ଼ୁ ପଞ୍ଚାୟତ ଘୋଡ଼ାନାଳ ଡ୍ୟାମକୁ ଭୋଜି କରିବା ପାଇଁ ଯାଇଥିଲେ । ସେଠାରେ ମଦ୍ୟପାନ କରିବା ପରେ ରୁମାନ ଓ ଉମାକାନ୍ତଙ୍କ ମଧ୍ୟରେ ବଚସା ହୋଇଥିଲା ।

ଏହାପରେ ରୁମାନ, ବିକାଶ ଓ ପ୍ରଶାନ୍ତ ମିଳିତ ଭାବେ ଉମାକାନ୍ତଙ୍କୁ ହତ୍ୟା କରିଥିଲେ । ହତ୍ୟାପରେ ଡ୍ୟାମ ନିକଟରେ ଥିବା ଏକ ପରିତ୍ୟକ୍ତ ସ୍ଥାନରେ ଗାତଖୋଳି ପୋତିଦେବା ପରେ ସେଠାରେ ଦୁଇଟି ପଥର ଲଦି ଚାଲିଯାଇଥିଲେ । ମୃତକଙ୍କ ପରିବାର ପକ୍ଷରୁ ଗତ ୧୧ ତାରିଖରେ ଟିଟିଲାଗଡ଼ ଥାନାରେ ନିଖୋଜ ନେଇ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତ୍ତିକରି ଟିଟିଲାଗଡ଼ ପୁଲିସ ଘଟଣାର ତଦନ୍ତ କରିବା ସହ ମୋବାଇଲ ଟ୍ରାକିଂ କରିଥିଲା । ମୋବାଇଲ ଟ୍ରାକିଂ ଜରିଆରେ ଟିଟିଲାଗଡ଼ ପୁଲିସର ଏକ ଟିମ ରାୟଗଡ଼ା ଆସି ଘଟଣାର ଅନୁସନ୍ଧାନ କରିବା ସହ ଉଭୟ ଚାନ୍ଦିଲି ଓ କଲ୍ୟାଣସିଂହପୁର ପୁଲିସକୁ ଅବଗତ କରାଇଥିଲା । କଲ୍ୟାଣସିଂହପୁର ଥାନା ପୁଲିସ ଘଟଣାର ତଦନ୍ତ କରି ହତ୍ୟାକାଣ୍ଡର ଖିଅ ଖୋଜିଥିଲା । ଶେଷରେ ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.