ଜେ.ପି.ନଡ୍ଡାଙ୍କୁ ଉମାଭାରତୀଙ୍କ Tweet, ବିଜେପି ଶାସିତ ପ୍ରଦେଶରେ ନିଷିଦ୍ଧ ହେଉ ମଦ
21/01/2021 at 9:31 PM

ଭୋପାଲ ୨୧।୧: ରାଜ୍ୟରେ ନୂଆ ମଦ ଦୋକାନ ନେଇ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ଘୋଷଣା ପରେ ଦଳରେ ଏହାର ପ୍ରତିକ୍ରିୟା ଦେଖାଯାଇଛି। ବରିଷ୍ଠ ବିଜେପି ନେତ୍ରୀ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଉମା ଭାରତୀ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ବିଜେପି ଶାସିତ ରାଜ୍ୟମାନଙ୍କରେ ମଦ ବିକ୍ରି ନିଷିଦ୍ଧ କରିବା ପାର୍ଟର ନୀତି ହେଉ ବୋଲି ଦାବି କରିଛନ୍ତି।
ଏ ନେଇ ଉମାଭାରତୀ ବିଜେପି ଜାତୀୟ ସଭାପତି ଜେ.ପି.ନଡ୍ଡାଙ୍କୁ ଏକାଧିକ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ଲୋକଙ୍କୁ ମଦୁଆ କରିବାରେ ସରକାରୀ ନୀତିକୁ ସେ ଦାୟୀ କରିଛନ୍ତି। ଉମା ସରକାରଙ୍କୁ ନଗାରିକଙ୍କ ମା ସହ ତୁଳନା କରିବାକୁ ମଧ୍ୟ ପଛାଇ ନାହାନ୍ତି। ମା ତା ଶିଶୁର ଲାଳନପାଳନ ଓ ପୋଷଣ କରିଥାଏ। ସେ ଶିଶୁକୁ ଯଦି ଖାଦ୍ୟ ବଦଳରେ ବିଷ ଦିଏ ତାକୁ କଣ କୁହାଯିବ ବୋଲି ସେ ନଡ୍ଡାଙ୍କୁ ପ୍ରଶ୍ନ କରିଛନ୍ତି। ମଦ ବିକ୍ରି ଲାଗି ସରକାରଙ୍କ ଅନୁମତି ଠିକ୍ ସେହିପରି ବୋଲି ଉମା ଉଲ୍ଲେଖ କରିଛନ୍ତି।
ଏଣୁ ଉମାଭାରତୀ ଟ୍ୱିଟ୍ ମାଧ୍ୟମରେ ପାର୍ଟି ସଭାପତିଙ୍କୁ ଦେଶର ଯେଉଁଠାରେ ବିଜେପିର ଶାସନ ଅଛି ସେଠାରେ ମଦ ବିକ୍ରି ବନ୍ଦ ଲାଗି ବ୍ୟବସ୍ଥା କରିବାକୁ ସାର୍ବଜନିକ ନିବେଦନ କରିଛନ୍ତି। ଏହାକୁ ପାର୍ଟିର ନୀତି କରିବାକୁ ମଧ୍ୟ ସେ ଦାବି କରିଛନ୍ତି। ରାଜ୍ୟରେ ମଦ ଦୋକାନ ସଂଖ୍ୟା ବୃଦ୍ଧି କରାଯିବ କି ନା ସେ ନେଇ ସରକାର ସ୍ପଷ୍ଟ ନିଷ୍ପତ୍ତି ନେଇ ନଥିବା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି।
ଚୌହାନଙ୍କ ନିଷ୍ପତ୍ତି ନେବାରେ ବିଳମ୍ବକୁ ଉମାଭାରତୀ ତାଙ୍କ ଟ୍ୱିଟ୍ରେ ସ୍ୱାଗତ କରିଛନ୍ତି। କରୋନା କାଳରେ ସାରା ଦେଶରେ ମଦ ଦୋକାନ ଓ କାରବାର ବନ୍ଦ ଥିଲା। ହେଲେ କୌଣସି ସ୍ଥାନରେ ଲୋକେ ମଦ ପିଇ ପ୍ରାଣ ହରାଇଥିବାର ଖବର ନଥିଲା ବୋଲି ଉମାଭାରତୀ କହିଛନ୍ତି। ସେହିପରି ମଦ ଦୋକାନ ବନ୍ଦ ଯୋଗୁ ସେତେବେଳେ କାହାର କୌଣସି ଅସୁବିଧା ବି ହୋଇନଥିବା ସେ ଉଲ୍ଲେଖ କରିଛନ୍ତି।