ଦୀପାବଳିରେ ଲକ୍ଷ୍ମୀଙ୍କ ପାଇଁ ଉଲ୍ଲୁକମାନେ ସଙ୍କଟରେ : ବନବିଭାଗ ଜାରି କଲା ଆଲର୍ଟ

Published By : Prameya-News7 Bureau | November 06, 2018 IST

ଭୁବନେଶ୍ୱର ୬/୧୧ : ଦୀପାବଳିରେ ଧନଦାତ୍ରୀ ଦେବୀ ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ଲାଗି ଜୋରସୋରରେ ପ୍ରସ୍ତୁତି ଚାଲିଛି | ପରମ୍ପରା ଅନୁସାରେ ପୂଜା ଅର୍ଚ୍ଚନା ସହ ପୌରାଣିକ କାହାଣୀ ଆଧାରରେ କିଛି ଅନ୍ଧବିଶ୍ୱାସ ଆଧାରିତ କାର୍ଯ୍ୟକ୍ରମ ହୋଇଛି | ତା' ଭିତରୁ ଗୋଟିଏ ହେଉଛି ମା'ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ଲାଗି ଉଲ୍ଲୁକ ପୂଜା | ସେଥିପାଇଁ ଦୀପାବଳି ଆସିଲେ ଜିଅନ୍ତା ଉଲ୍ଲୁକଙ୍କ ଚାହିଦା ବଢିଥାଏ | ଶିକାରୀମାନେ ଜଙ୍ଗଲରେ ଫାସ ବସାଇ ଉଲ୍ଲୁକଙ୍କୁ ଧରି ବେଶ ଭଲ ରୋଜଗାର କରନ୍ତି | କିନ୍ତୁ ଅନେକ ସମୟରେ ପୂଜା ସମୟରେ ଭୟଭୀତ ହୋଇ ବା ଠିକରେ ରଖାନଯିବା କାରଣରୁ ଉଲ୍ଲୁକର ମୃତ୍ୟୁ ଘଟିଥାଏ | ଫଳରେ ଧୀରେ ଧୀରେ ଉଲ୍ଲୁକ ବଂଶ ନିପାତ ହୋଇ ଆସୁଥିବାବେଳେ ଦୀପାବଳି ସେମାନଙ୍କ ଲାଗି ଆହୁରି ବିପଦ ସୃଷ୍ଟି କରିଛି | ଉଲ୍ଲୁକଙ୍କ ସୁରକ୍ଷା ଦୃଷ୍ଟିରୁ ଉଲ୍ଲୁକ ଧରିବା ଉପରେ ଉତ୍ତରପ୍ରଦେଶର ବନ ବିଭାଗ ଏବେ କଟକଣା ଜାରି କରିଛି | ଏଥିସହ ବନାଞ୍ଚଳରେ ବନ ବିଭାଗ କର୍ମଚାରୀମାନେ ସଜାଗ ହୋଇ ରହିଛନ୍ତି | ଅପରପକ୍ଷରେ ଜ୍ୟୋତିର୍ବିଦ ପଣ୍ଡିତ ରାଜେନ୍ଦ୍ର ତିୱାରୀ କହିଛନ୍ତି ଯେ, ଉଲ୍ଲୁକ ପୂଜା ଶାସ୍ତ୍ର ସମ୍ମତ ନୁହେଁ | ଶାସ୍ତ୍ରରେ କୋଉଠି ଉଲ୍ଲୁକ ଲକ୍ଷ୍ମୀଙ୍କ ବାହନ ବୋଲି କୁହାଯାଇନାହିଁ | ବରଂ ହାତୀ ଲକ୍ଷ୍ମୀଙ୍କ ବାହନ ବୋଲି କୁହାଯାଇଛି | ଦେବୀ ଭାଗବତ ଏବଂ ଶ୍ରୀସୁକ୍ତରେ ଦେବୀ ଲକ୍ଷ୍ମୀ ହାତୀର ଗର୍ଜନ ଶୁଣି ସନ୍ତୁଷ୍ଟ ହୋଇଥିବା କୁହାଯାଇଛି | ଉଲ୍ଲୁକ ସମ୍ପର୍କରେ ପୁରାଣରେ ମଧ୍ୟ କେଉଁଠି କିଛି ଉଲ୍ଲେଖ ନାହିଁ | ଏହା କେବଳ ଲୋକକଥା ଉପରେ ଆଧାରିତ | ଦେବୀ ଲକ୍ଷ୍ମୀଙ୍କର ସବୁବେଳେ ସାତ୍ତ୍ଵିକ ପୂଜା ପାଇଁ ଶାସ୍ତ୍ରରେ କୁହାଯାଇଛି | କିନ୍ତୁ ରାଜସିକ ଏବଂ ତାମସିକ ପୂଜା ଆଳରେ କିଛି ବ୍ୟକ୍ତି ଅନ୍ଧବିଶ୍ୱାସଏଅ ପ୍ରଚାର କରୁଛନ୍ତି ବୋଲି ପଣ୍ଡିତ ତିୱାରୀଙ୍କ ମତ | ଏମିତିବି ବିଚାରଧାରା ଉଲ୍ଲୁକ, ବାଦୁଡ଼ି ଓ ଚେମିଣି ଭଳି ରାତ୍ରୀଚରଙ୍କୁ ଅଶୁଭ ବିବେଚନା କରିଥାଏ | ଏମାନେ ଯଦି କୌଣସି ଘରେ ବାସ କରନ୍ତି ସେ ଘରେ ବିପରୀତ ଶକ୍ତି ଉତ୍ପନ୍ନ ହୋଇଥାଏ ବୋଲି ବିଶ୍ୱାସ ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.