SF-10 କମାଣ୍ଡୋଙ୍କୁ ବଡ଼ ସଫଳତା, ଭାରତ-ବାଂଲାଦେଶ ସୀମା ପାର କରିବା ବେଳେ ଉଲଫା(ଆଇ) କମାଣ୍ଡର ଗିରଫ

Published By : Prameya-News7 Bureau | November 11, 2020 IST

ବୋଲବୋଗ୍ରେ ୧୧।୧୧: ଭାରତ-ବାଂଲାଦେଶ ସୀମା ପାର କରିବାକୁ ଉଦ୍ୟମ ବେଳେ ଉଲଫା (ଆଇ) କମାଣ୍ଡର-ଇନ-ଚିଫ୍ ଦୃଷ୍ଟି ରାଜଖୱା ବୁଧବାର ପୋଲିସ ହାତରେ ଧରାପଡିଛି। ଦକ୍ଷିଣ ଗାରୋ ହିଲସ୍‌ ଗ୍ରାମ ବୋଲବୋଗ୍ରେରୁ ସେ ବାଂଲାଦେଶ ଯିବା ଯୋଜନାରେ ଥିଲା। ତେବେ ଖସି ପଳାଇବା ପୂର୍ବରୁ ପୋଲିସ ସମଗ୍ର ଗ୍ରାମକୁ ଘେରଉ କରିଦେଇଥିଲା । ପ୍ରାୟ ୩୦ ମିନିଟ୍‌ର ଗୁଳିବିନିମୟ ପରେ ଖସିବାର ରାସ୍ତା ନଥିବା ଦେଖି ରାଜଖୱା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି।

ରାଜଖୱା ଗତ ୩ ମାସ ହେଲା ଉଭୟ ଭାରତ ଓ ବାଂଲାଦେଶ ସୀମାରେ ପୋଲିସର ନିଦ ହଜେଇ ଦେଇଥିଲା। ସେ ସୀମାପାର କରି କେତେବେଳେ ବାଂଲାଦେଶ ଚାଲିଯାଉଥିଲା ତ କେତେବେଳେ ଭାରତ ଭିତରକୁ ପଶି ଆସୁଥିଲା। ତେବେ ତା ଗତିବିଧି ଉପରେ କଡ଼ା ନଜର ରଖିଥିବା ଏସଏଫ୍-୧୦ କମାଣ୍ଡୋମାନେ ବୁଧବାର ବୋଲବୋଗ୍ରେ ଗ୍ରାମରେ ତାକୁ ଘେରି ଯାଇଥିଲେ।

{"id":360106,"sizeSlug":"large"}

ଗତମାସରେ ଗୁଇନ୍ଦା ତାକୁ ଜାଫଲଙ୍ଗ ନିକଟରେ ଠାବ କରିଥିଲେ। ସେତେବେଳେ ପାକିସ୍ତାନ ହାଇକମିଶନ ଇମ୍ରାନ ସିଦ୍ଦିକି ସେହି ଅଞ୍ଚଳର ଏକ ରିସୋର୍ଟରେ ଛୁଟି କଟାଉଥିଲେ। ତେବେ ଉଭୟଙ୍କର ଭେଟ ହୋଇଥିଲା କି ନା ତାହା ସ୍ପଷ୍ଟ ହୋଇପାରିନଥିବା ବେଳେ ଗୁଇନ୍ଦା ରିପୋର୍ଟ ଅନୁସାରେ ପାକିସ୍ତାନ ପ୍ରତିରକ୍ଷା ଆଟାଚୀ ବ୍ରିଗେଡିୟର ଏଜାଜ୍ ଗତ କିଛି ମାସ ହେଲା ଢାକାରେ ପୂର୍ବୋତ୍ତର ବିଦ୍ରୋହୀଙ୍କ ସହ ବୈଠକ କରୁଥିବାର ସୂଚନା ମିଳୁଥିଲା।

ଏଜାଜ୍ ଜନୈକ ସ୍ଥାନୀୟ ବୁଦ୍ଧିଜୀବିଙ୍କ ନିକଟ ସମ୍ପର୍କିୟ, ଯିଏ ବାଂଲାଦେଶ ମିଲେଟ୍ରି କଲେଜରେ ଏକ ଡିଫେନ୍ସ ପତ୍ରିକାର ସମ୍ପାଦନ କରନ୍ତି। ପାକିସ୍ତାନ ପ୍ରତି ଦୁର୍ବଳତା ଲାଗି ଜଣାଶୁଣା ଏହି ବ୍ୟକ୍ତି ଭାରତର ପୂର୍ବୋତ୍ତରେ ଥମି ଆସୁଥିବା ବିଦ୍ରୋହକୁ ପୁଣି ଉସକାଇବାକୁ ଉଦ୍ୟମ କରୁଛନ୍ତି। ଉଲଫା(ଆଇ) ମିଲେଟ୍ରି ୱିଙ୍ଗ ମୁଖ୍ୟ ପରେଶ ବରୁଆଙ୍କ ନିକଟତମ ବିଶ୍ୱାସପାତ୍ର ଥିଲା ଦୃଷ୍ଟି ରାଜଖୱା। ନିକଟରେ ସେ ପଶ୍ଚିମ ଆସାମ ଓ ମେଘାଳୟରେ ସଞ୍ଚାଳିତ ଉଲଫାର ୭୦୯ ବଟାଲିୟନ ଦାୟିତ୍ୱରେ ନିଯୁକ୍ତ ହେବା ପରଠାରୁ ସେ ଅଧିକ ସକ୍ରିୟ ହୋଇଉଠିଥିଲା।

{"id":360107,"sizeSlug":"large"}

ସେ ନିଜେ ରଭା ହୋଇଥିବା ବେଳେ ଜନୈକ ଗାରୋ ମହିଳାଙ୍କୁ ବିବାହ କରିଥିଲେ। ଏଣୁ ସଙ୍ଗଠନକୁ ପାରିବାରିକ ସମ୍ପର୍କୀୟଙ୍କ ସହଯୋଗରେ ବେଶ୍ ମଜଭୁତ କରିପାରିଥିଲା। ରାଜଖୱା ଜଣେ ଅଭିଜ୍ଞ ବିସ୍ଫୋରକ କୌଶଳୀ । ଏଣୁ ବାଂଲାଦେଶ ପୋଲିସ ଲାଗି ସେ ଚିନ୍ତାର କାରଣ ପାଲଟିଥିଲେ। ସେ ହସିନା ସରକାରଙ୍କ ପ୍ରତିଶୋଧ ନେବାକୁ ଉଦ୍ୟମ କରୁଥିବା ବେଳେ ସିଲହଟ୍ ବିବିଆନାସ୍ଥିତ ଗ୍ୟାସ୍‌ କ୍ଷେତ୍ରକୁ ଟାର୍ଗେଟ କରିବାର ଭୟ ଲାଗି ରହୁଥିଲା। ତେବେ ସେ ଗିରଫ ହୋଇସାରିଥିବାରୁ ଏହି ଭୟ ଏବେ ଦୂର ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.