ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ

Published By : Prameya-News7 Bureau | December 05, 2021 IST

ମସ୍କୋ ୦୫/୧୨:    ଲକ୍ଷେ ୭୫ ହଜାରରୁ ଅଧିକ ସୈନ୍ୟ ଧରି ୟୁକ୍ରେନ୍ ଉପରେ ଆକ୍ରମଣ କରିବ ଋଷ । ଆମେରିକାର ଏକ ରିପୋର୍ଟକୁ ନେଇ ବଢିଛି ଚିନ୍ତା । ତେବେ ମସ୍କୋ ଏହି ରିପୋର୍ଟକୁ ଖଣ୍ଡନ କରିଛି ।

ଓ୍ୱାଶିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁସାରେ, ଋଷିଆ ୟୁକ୍ରେନ ଉପରେ ଘନଘନ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି । ୧୦୦ ବାଟାଲିୟନ ଟାକ୍ଟିକାଲ ଫୋର୍ସ ଏଥି ପାଇଁ ପ୍ରସ୍ତୁତ ଅଛନ୍ତି । ତେବେ ଋଷ ବୈଦେଶିକ ମନ୍ତ୍ରୀ ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି । ଆମେରିକା ବିବାଦ ବଢାଉଛି ବୋଲି ସେ କହିଛନ୍ତି ।

ଏହି ଖବର ସେତେବେଲେ ସାମ୍ନାକୁ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଙ୍ଗଳବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ସହ କଥା ହେବେ । ଶୁକ୍ରବାର ବାଇଡେନ୍ କହିଥିଲେ ଯେ,  ଋଷର ଆଭିମୁଖ୍ୟ ସମସ୍ତଙ୍କୁ ଚିନ୍ତିତ କରିଛି । ଋଷ କିଛି ବି କରିପାରେ । ତେବେ ଋଷର ଆକ୍ରମଣ ଆଶଙ୍କା ଖବର ବାବଦରେ ସେ ସିଧାସିଧା କିଛି କହିନାହାଁନ୍ତି ।

ସୂଚନାଯୋଗ୍ୟ, ୟୁକ୍ରେନ ଓ ଋଷ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ଉଭୟ ପକ୍ଷ ମୁହାଁମୁହିଁ ସ୍ଥିତିରେ ଅଛନ୍ତି । କେତେବେଳେ ବି ଯୁଦ୍ଧ ହୋଇପାରେ । ତେବେ ୟୁକ୍ରେନକୁ ଆମେରିକା ଓ ନାଟୋ ସାମରିକ ଏବଂ ଆର୍ଥିକ ସହଯୋଗ କରିବା କାରଣରୁ ଉଭୟ ପକ୍ଷ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.