ଇରାକ-ସିରିଆରେ ଘାତକ ସାଜିଲା ବ୍ରିଟିଶ ଡ୍ରୋନ୍, ପ୍ରାଣ ହରାଇଲେ ୧୪୦୦ରୁ ଅଧିକ ଆଇଏସ୍ଆଇଏସ୍ ଆତଙ୍କବାଦୀ

Published By : Prameya-News7 Bureau | November 01, 2020 IST

ଲଣ୍ଡନ ୦୧।୧୧: ବ୍ରିଟିଶ ବାୟୁସେନା ଇରାକ ଓ ସିରିଆରେ ନିଜର ଡ୍ରୋନ ଆକ୍ରମଣରେ ଆଇଏସଆଇଏସର ଅଣ୍ଟା ଭାଙ୍ଗି ଦେଇଛି। ଗତ ୬ ବର୍ଷରେ ୟୁକେର ରୟାଲ ଏୟାର ଫୋର୍ସ(ଆରଏଏଫ)ର ଡ୍ରୋନ ଆକ୍ରମଣରେ ଆଇଏସଆଇଏସର ୧୪୦୦ରୁ ଅଧିକ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ପ୍ରାଣ ହରାଇ ସାରିଛନ୍ତି। ଶନିବାର ବ୍ରିଟିଶ ମନ୍ତ୍ରଣାଳୟ ଫଟୋଗ୍ରାଫିକ ସାକ୍ଷ୍ୟ ଓ ଧ୍ଵଂସାବଶେଷ ଆଧାରରେ ଏହି ତଥ୍ୟ ଜାରି କରିଛି।

ଆକାଶ ମାର୍ଗରୁ ଏହି ସବୁ ଆକ୍ରମଣ ବ୍ରିଟିଶ ରୟାଲ ଏୟାର ଫୋର୍ସର ଏମକ୍ୟୁ-୯ ରିପର ଅନମ୍ୟାଣ୍ଡ ଏରିୟଲ ହ୍ଵିକିଲ୍(ଡ୍ରୋନ) ଜରିଆରେ କରାଯାଇଛି। ସବୁଠୁ ବଡ କଥା ଏହି ସବୁ ଆକ୍ରମଣ ପାଇଁ ବ୍ରିଟିଶର କୌଣସି ବାୟୁସେନାର ଯବାନ ସିରିଆ କିମ୍ବା ଇରାକ ଯାଇ ନାହାନ୍ତି। ବ୍ରିଟେନରେ ନିର୍ମିତ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ବଙ୍କରରେ ବସି ବାୟୁସେନାର ଯବାନ ଆତଙ୍କବାଦୀଙ୍କ ଉପରେ ଏହି ସବୁ ଆକ୍ରମଣ କରିଛନ୍ତି। ଏହି ଡ୍ରୋନ୍ ବ୍ରିଟେନ୍ ଆମେରିକାଠୁ କିଣିଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ୨୦୧୪ ପରଠୁ ବ୍ରିଟେନ୍‌ର ଏମକ୍ୟୁ-୯ ରିପର ଡ୍ରୋନର ଅତି କମରେ ୪,୧୦୭ ବିମାନକୁ ସଞ୍ଚାଳନ କରାଯାଇଛି। ବ୍ରିଟେନ୍‌ର ଏହି ଆକ୍ରମଣରେ ଆଇଏସଆଇଏସର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମହମ୍ମଦ ଇଓ୍ଵାଜୀ ସିରିଆର ରକ୍କା ସହରରେ ପ୍ରାଣ ହରାଇଛି। ସେ ଜିହାଦୀ ଜନ ନାମରେ ମଧ୍ୟ ପରିଚିତ। ଏହି ଆତଙ୍କବାଦୀ ବଡ ସଂଖ୍ୟାରେ ବନ୍ଧକ ରଖାଯାଇଥିବା ଲୋକଙ୍କ ଗଳା କାଟିବା ମାମଲାରେ କୁଖ୍ୟାତ ଥିଲା।

ଏମକ୍ୟୁ-୯ ଡ୍ରୋନର ବିଶେଷତ୍ଵ କଣ ?

ଏହି ଡ୍ରୋନକୁ ତିଆରି କରିଥିବା କମ୍ପାନୀ ଜେନେରାଲ ଆଟୋମିକ୍ସ ଦାବି କରିଛି ଯେ, ୨୭ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଏହି ଡ୍ରୋନ ଉଡାଣ ଭରିପାରେ। ଏମକ୍ୟୁ-୯ ରିପର ଡ୍ରୋନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୪୪୪.୫ କିଲୋମିଟର ରହିଛି। ଏହା ୫୦ ହଜାର ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ଉଡାଣ ଭରିପାରେ। ଏହା ଏକା ବେଳେ ୧୨ ଗତିଶୀଳ ଲକ୍ଷ୍ୟକୁ ଟ୍ରାକ କରିପାରେ।

ଏହି ଡ୍ରୋନ ଅନେକ ପ୍ରକାରର ଯୁଦ୍ଧାସ୍ତ୍ରକୁ ନିକ୍ଷେପ କରିବାରେ ସକ୍ଷମ। ସଂପ୍ରତି ଆମେରିକା ଓ ବ୍ରିଟିଶ ଏୟାରଫୋର୍ସ ଏବଂ ଆର୍ମି ଏହି ଡ୍ରୋନ ଜରିଆରେ ଏଜଏମ-୧୧୪ ହେଲଫାୟର ମିସାଇଲ ଓ ଲେଜର ଗାଇଡେଡ୍ ବୋମା ନିକ୍ଷେପ କରୁଛନ୍ତି। ସିନ୍ଥେଟିକ ଅପର୍ଚର ରାଡାର, ଭିଡିଓ କ୍ୟାମେରା ଓ ଫରଓ୍ଵାର୍ଡ ଲୁକିଂ ଇନଫ୍ରାରେଡ୍‌ରେ ସଜ୍ଜିତ ଏହି ଡ୍ରୋନ ଉଚ୍ଚ କ୍ଷମତାସଂପନ୍ନ ଫଟୋ ନେବାକୁ ମଧ୍ୟ ସକ୍ଷମ। କେବଳ ଏତିକି ନୁହେଁ ଏହି ଡ୍ରୋନ ରିଏଲ ଟାଇମ୍‌ରେ ପୂରା ଦୁନିଆରେ କୌଣସି ବି ଜାଗାକୁ ମଧ୍ୟ ତଥ୍ୟ ପଠାଇପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.