ନିମନ୍ତ୍ରଣ ସ୍ୱୀକାର କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋରିସ୍ ଜନସନ୍
15/12/2020 at 3:19 PM

ନୂଆଦିଲ୍ଲୀ ୧୫/୧୨ : ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଆଗାମୀ ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତର ମୁଖ୍ୟ ଅତିଥି ହେବେ। ବ୍ରିଟେନର ବୈଦେଶିକ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି। ବୈଦେଶିକ ମନ୍ତ୍ରୀ ଡୋମୋନିକ୍ ରାଓ କହିଛନ୍ତି ଯେ ସାଧାରଣତନ୍ତ୍ର ଦିବସ ଅବସରରେ ବୋରିସ୍ ଜନସନ୍ ଭାରତ ଆସିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରିତ କରିଥିଲେ।
ଗତ ୨୭ ବର୍ଷ ମଧ୍ୟରେ ରାଜପଥ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ପ୍ରଥମ। ଜାନୁଆରୀ ୨୬ ତାରିଖ ପରେଡରେ ମୁଖ୍ୟ ଅତିଥି ଭାବେ ଶେଷଥର ପାଇଁ ବ୍ରିଟେନ ପ୍ରମୁଖ ୧୯୯୩ ମସିହାରେ ଜନ୍ ମେଜର୍ ଆସିଥିଲେ। ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ନଭେମ୍ବର ୨୭ ତାରିଖରେ ଟେଲିଫୋନରେ କଥାବାର୍ତ୍ତା ହେଲାବେଳେ ବୋରିସ ଜନସନଙ୍କୁ ଔପଚାରିକ ଭାବେ ଆମନ୍ତ୍ରିତ କରିଥିଲେ। ଏହାପରେ ମୋଦିଙ୍କୁ ଜି୭ ଶିଖର ସମ୍ମିଳନୀରେ ଆମନ୍ତ୍ରିତ କରାଯାଇଥିଲା। ଏହାର ଆୟୋଜନ ଆସନ୍ତା ବର୍ଷ ବ୍ରିଟେନରେ ହେବ।

ବ୍ରିଟେନ ଭାରତ ଭଳି ଅଗ୍ରଣୀ ଅର୍ଥ ବ୍ୟବସ୍ଥା ସହ ବ୍ୟବସାୟ ସମ୍ବନ୍ଧ ମଜବୁତ କରିବାକୁ ଚେଷ୍ଟା କରୁଛି। କୌଣସି ବ୍ୟବସାୟ ଚୁକ୍ତି ବିନା ୟୁରୋପୀୟ ସଂଘରୁ ବାହାରିଲେ ବ୍ରିଟେନର ଅର୍ଥ ବ୍ୟବସ୍ଥାର କ୍ଷତି ହେବ ବୋଲି ମଧ୍ୟ ଆଶଙ୍କା କରାଯାଉଛି।
ଚଳିତ ବର୍ଷ ଦୁଇ ଦେଶ ୫ ପ୍ରମୁଖ କ୍ଷେତ୍ର ଲାଇଫ ସାଇନ୍ସ, ସୂଚନା ସଞ୍ଚାର ପ୍ରଦ୍ୟୋଗିକ (ଆଇସିଟି), ଖାଦ୍ୟପେୟ, ରସାୟନ ଓ ସେବାକୁ ପ୍ରାଥମିକତା ଦେବାକୁ ସହମତି ବ୍ୟକ୍ତ କରିଥିଲେ। ମଙ୍ଗଳବାର ଦିନ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବ୍ରିଟେନର ବୈଦେଶିକ ମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ। ବ୍ୟବସାୟ, ରକ୍ଷା, ଶିକ୍ଷା, ପର୍ଯାବରଣ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସହଯୋଗ ବଢାଇବାକୁ ନେଇ ଏସ ଜୟଶଙ୍କର ଓ ଡୋମୋନିକ୍ ରାଓ କଥାବାର୍ତ୍ତା କରିଥିଲେ।