ଚୀନକୁ ଆଉ ଏକ ଝଟକା, Huaweiକୁ ନିଜ ଦେଶରେ ବ୍ୟାନ କଲା ବ୍ରିଟେନ

Published By : Prameya-News7 Bureau | July 14, 2020 IST

ଲଣ୍ଡନ ୧୪।୦୭: ହଂକଂକୁ ନେଇ ଜାରି ବିବାଦ ମଧ୍ୟରେ ଆମେରିକା ପରେ ଏବେ ବ୍ରିଟେନ ଚୀନ କମ୍ପାନୀ ହୁଆଇ ଉପରେ କଟକଣା ଲଗାଇଛି। ଏହି କମ୍ପାନୀ ବ୍ରିଟେନରେ ୫ଜି ପ୍ରକଳ୍ପ କାମ କରୁଥିଲା। ବ୍ରିଟିଶ ସରକାର ୨୦୨୭ ପର୍ଯ୍ୟନ୍ତ ୫ଜି ନେଟଓ୍ଵର୍କରୁ ହୁଆଇର ସମସ୍ତ ଉପକରଣ ହଟାଇ ଦେବାକୁ ଟେଲିକମ କମ୍ପାନୀକୁ ଆଦେଶ ଦେଇଛନ୍ତି। ଏହା ପୂର୍ବରୁ ଆମେରିକା ମଧ୍ୟ ହୁଆଇର ସମସ୍ତ ଉପକରଣ ଉପରେ ପ୍ରତିବନ୍ଧକ ଲଗାଇଥିଲା।

ବ୍ରିଟିଶ ପ୍ରଧାନମନ୍ତ୍ରୀ ବରିଶ ଜନସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ସୁରକ୍ଷା ପରିଷଦ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ଯେ, ଦେଶରେ ୫ଜି ନେଟଓ୍ଵର୍କର ନିର୍ମାଣରେ ଚୀନ କମ୍ପାନୀର ଭାଗିଦାରୀ ସମାପ୍ତ କରାଯିବ। ବ୍ରିଟିଶ ସରକାର ଏହି ନିଷ୍ପତ୍ତି ଜାତୀୟ ସାଇବର ସୁରକ୍ଷା ପରିଷଦର ରିପୋର୍ଟ ସମୀକ୍ଷା ପରେ ନେଇଛନ୍ତି। ଚୀନ କମ୍ପାନୀ ହୁଆଇ ଉପରେ ତଥ୍ୟ ଚୋରି ଓ ଗୁପ୍ତ ସୂଚନା ପ୍ରଘଟ‌ କରିବାର ଅଭିଯୋଗ ହୋଇଛି।

ଦେଶର ସୁରକ୍ଷା ପ୍ରତି ବିପଦ ହୁଆଇ

ବ୍ରିଟେନର ସଂସ୍କୃତି ସଚିବ ଓଲିଭର ଡାଉଡେନ୍ କହିଛନ୍ତି ଜାତୀୟ ସୁରକ୍ଷା ପରିଷଦ ଚେତାବନୀ ଦେଇଥିଲେ ଯେ ଆମେରିକାର ପ୍ରତିବନ୍ଧ ପରେ ହୁଆଇର ସୁରକ୍ଷାକୁ ନେଇ ଚିନ୍ତା ବଢି ଯାଇଛି। ୫ଜି ନେଟଓ୍ଵର୍କରେ ହୁଆଇର ଉପସ୍ଥିତି ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ। ସେ ଏହା ମଧ୍ୟ କହିଛନ୍ତି ହୁଆଇ ନିଜର ଉପକରଣର ସୁରକ୍ଷା ନେଇ କୌଣସି ଗ୍ୟାରେଣ୍ଟି ଦେବ ବ୍ରିଟେନ୍‌କୁ ଭରସା ପାଉନି।

ହୁଆଇକୁ ନେଇ ବ୍ରିଟେନ ଉପରେ ଚାପ ପକାଉଥିଲା ଚୀନ

ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପାମ୍ପିଓ ଜୁନ ମାସ ପ୍ରାରମ୍ଭରେ ଦାବି କରିଥିଲେ, ଚୀନ ଲଣ୍ଡନ ସ୍ଥିତ ଏଚଏସବିସି ବ୍ୟାଙ୍କ ଜରିଆରେ ବ୍ରିଟେନ ଉପରେ ନିଜ ପ୍ରକଳ୍ପ ପାଇଁ ଚାପ ପକାଇବାକୁ ଉଦ୍ୟମ କରୁଥିିଲା। ପାମ୍ପିଓ କହିଥିଲେ, ଚୀନ ବ୍ରିଟେନର ବ୍ୟାଙ୍କ  ଦ ହଂକଂ ଆଣ୍ଡ ସାଙ୍ଘାଇ ବ୍ୟାଙ୍କ କର୍ପୋରେସନକୁ ଦଣ୍ଡିତ କରିବାକୁ ମଧ୍ୟ ଧମକ ଦେଇଥିଲା। ଯଦି ବ୍ରିଟେନ ନିଜ ଦେଶରେ ହୁଆଇକୁ ଏହାର ୫ଜି ନେଟଓ୍ଵର୍କ ତିଆରି ପାଇଁ ଅନୁମତି ଦେବ ନାହିଁ ତେବେ ଚୀନ ମଧ୍ୟ ବ୍ରିଟେନରେ ପରମାଣୁ ରିଆକ୍ଟର ନିର୍ମାଣରୁ ଓହରି ଯିବ।

ଆମେରିକା କହିଥିଲା ଯେ ସେନଝେନ ସ୍ଥିତ ହୁଆଇ କମ୍ପାନୀ ଚୀନର କମ୍ୟୁନିଷ୍ଟ ପାର୍ଟିର ଏକ ହାତବାରିସି। ଏହା ଜରିଆରେ ଚୀନ ସରକାର ଅନ୍ୟ ଦେଶର ଗୋପନୀୟ ଚୋରି କରିଥାନ୍ତି। ଚୀନର କମ୍ୟୁନିଷ୍ଟ ପାର୍ଟିର କାର୍ଯ୍ୟକଳାପ ବିରୋଧରେ ଆମେରିକା ନିଜର ସହଯୋଗୀ ଏବଂ ଭାଗିଦାରୀଙ୍କ ସହ ଛିଡା ହୋଇଛି  ବୋଲି ପାମ୍ପିଓ କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.