ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !

Published By : Prameya-News7 Bureau | June 23, 2021 IST

ନୂଆଦିଲ୍ଲୀ ୨୩।୦୬: ପଳାତକ ନିରବ ମୋଦୀଙ୍କୁ ଏବେ ଭାରତ ଆସିବାକୁ ପଡିବ। ୟୁନାଇଟେଡ୍ କିଙ୍ଗଡମର ଅଦାଲତରୁ ନିରବ ମୋଦୀଙ୍କୁ ଲାଗିଛି ଜୋରଦାର ଝଟକା। ବୁଧବାର ୟୁକେ ହାଇକୋର୍ଟ ନିରବ ମୋଦୀଙ୍କ ଭାରତ ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନକୁ ଖାରଜ କରିଛନ୍ତି। ହାଇକୋର୍ଟରେ ଆବେଦନ ଦାୟର କରି ପଳାତକ ହୀରା ବ୍ୟବସାୟୀ କହିଥିଲେ ଯେ, ସେ ଭାରତରେ ନିଜର ପ୍ରତ୍ୟର୍ପଣ ବିରୋଧରେ ଅଦାଲତରେ ଅପିଲ୍ କରିବାକୁ ଚାହୁଁଛନ୍ତି। ମାତ୍ର ଅଦାଲତ ନିରବଙ୍କ ଏହି ଆବେଦନକୁ ମଧ୍ୟ ଖାରଜ କରିଛନ୍ତି।

ଏବେ ନିରବ ମୋଦୀ ଅଦାଲତରେ ନିଜର ପ୍ରତ୍ୟର୍ପଣ ବିରୋଧରେ ଅପିଲ୍ କରି ପାରିବେ ନାହିଁ। ଉଚ୍ଚ ନ୍ୟାୟାଳୟର ଜଜ ଅଦାଲତରେ ଉପସ୍ଥାପନ କରାଯାଇଥିବା କାଗଜପତ୍ର ଉପରେ ନିଷ୍ପତ୍ତି ନେଇଛନ୍ତି। ବିଚାରପତି କହିଛନ୍ତି ଯେ, ମନି ଲଣ୍ଡ୍ରିଂ ମାମଲାରେ ପ୍ରତ୍ୟର୍ପଣ ସପକ୍ଷରେ ଓ୍ଵେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟ ଫେବୃଆରୀରେ ଦେଇଥିବା ନିଷ୍ପତ୍ତି ବିରୋଧରେ ନିରବଙ୍କ ଅପିଲ୍ କରିବାର କୌଣସି ଆଧାର ନାହିଁ।

ନିବର ମୋଦୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ୧୪ ହଜାର କୋଟି ଟଙ୍କା ଚୂନା ଲଗାଇ ଲଣ୍ଡନ ଫେରାର ହୋଇ ଯାଇଥିଲେ। ନିରବ ମୋଦୀ ଗତ ମାସରେ ଲଣ୍ଡନ ହାଇକୋର୍ଟରେ ଭାରତରେ ନିଜର ପ୍ରତ୍ୟର୍ପଣ ବିରୋଧରେ ଆବେଦନ କରିଥିଲେ। ୨୦୨୧ ଏପ୍ରିଲ ୧୫ରେ ୟୁକେର ଗୃହ ସଚିବ ପ୍ରୀତି ପଟେଲ ଆଦେଶ ଦେଇଥିଲେ ଯେ, ୫୦ ବର୍ଷୀୟ ନିରବ ମୋଦୀଙ୍କୁ ଭାରତ ପ୍ରତ୍ୟର୍ପିତ  କରି ଦିଆଯିବ। ୨୦୧୯ ମାର୍ଚ୍ଚ ୧୯ରେ ଲଣ୍ଡନରେ ଗିରଫ ହେବା ପରଠୁ ନିରବ ମୋଦୀ ଓ୍ଵାଣ୍ଡସଓ୍ଵର୍ଥ ଜେଲରେ ବନ୍ଦୀ ଅଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.