UK ରେ COVID-19 ଚିକିତ୍ସା ପାଇଁ ଷ୍ଟେରଏଡ ଡେକ୍ସାମେଥାସୋନକୁ ମିଳିଲା ଅନୁମତି

Published By : Prameya-News7 Bureau | June 18, 2020 IST

ଲଣ୍ଡନ ୧୮।୬: ବ୍ରିଟେନ ସରକାର ଜାତୀୟ ସ୍ୱାସ୍ଥ୍ୟ ସେବା (ଏନଏଚଏସ୍)ଙ୍କୁ କୋଭିଡ-୧୯ ଚିକିତ୍ସାରେ ଷ୍ଟେରଏଡ ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଛନ୍ତି। ଅତ୍ୟନ୍ତ ଗୁରୁତର ଅସୁସ୍ଥ ରୋଗୀଙ୍କ କ୍ଷେତ୍ରରେ ଏହା ମୃତ୍ୟୁ ଆଶଙ୍କା ହ୍ରାସ କରିପାରୁଥିବା ପ୍ରମାଣିତ ହୋଇଛି। ଗତ ମଙ୍ଗଳବାର ଅକ୍ସଫୋର୍ଡ ୟୁନିଭର୍ସିଟିଙ୍କ ପରୀକ୍ଷାରୁ  ମିଳିଥିବା ସକାରାତ୍ମକ ଫଳାଫଳ ନେଇ ସରକାର ନିଶ୍ଚିତ ହେବା ପରେ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏଣୁ ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରାଳୟ  ଶସ୍ତା ଏବଂ ବହୁଳ ଉପଲବ୍ଧ ଆଣ୍ଟି-ଇନଫ୍ଲାମେଟେରି ଷ୍ଟେରଏଡକୁ ତୁରନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର ଆକ୍ରାନ୍ତ କୋଭିଡ-୧୯ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଛନ୍ତି।  ଯେଉଁମାନେ ଚିକିତ୍ସାରେ ଭେଣ୍ଟିଲେଟର ଓ ଅକ୍ସିଜେନ ଆବଶ୍ୟକ କରୁଛନ୍ତି ସେମାନଙ୍କଠାରେ ତୁରନ୍ତ ଔଷଧ ବ୍ୟବହାର ନିମନ୍ତେ ଆଦେଶ ଦେଇଛନ୍ତି।

 ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ସରକାରଙ୍କ ଅନୁଦାନ ପ୍ରାପ୍ତ ପରୀକ୍ଷାକୁ ସବୁଠାରୁ ବଡ ସଫଳତା ବୋଲି କହିଛନ୍ତି। ସେ କହିଛନ୍ତି ଯେ କୋଭିଡ-୧୯ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ସମ୍ଭାବନାକୁ ଏହି ଔଷଧର ପ୍ରୟୋଗ ବହୁଳ ମାତ୍ରାରେ ହ୍ରାସ କରିପାରୁଛି। 

ଜନସନ୍‌ କହିଛନ୍ତି ଯେ , ‘ ବ୍ରିଟିଶ ବୈଜ୍ଞାନିକଙ୍କ ଏହି ଯୁଗାନ୍ତକାରୀ ଉଦଭାବନ ପାଇଁ ମୁଁ ଗର୍ବିତ।  ବ୍ରିଟେନ  ସରକାରଙ୍କ  ଅନୁଦାନ ଦ୍ୱାରା ବିଶ୍ୱରେ ବ୍ରିଟିଶ ବୈଜ୍ଞାନିକମାନେ ବିଶ୍ୱରେ ସର୍ବ ପ୍ରଥମ କରୋନା ଭାଇରସ୍ ମହାମାରୀର ଚିକିତ୍ସା ଖୋଜି କାଢି ପାରିଛନ୍ତି, ଯାହା ମୃତ୍ୟୁ ଆଶଙ୍କାକୁ ବହୁ ମାତ୍ରାରେ ହ୍ରାସ କରିପାରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ତେବେ କୋଊିଡ-୧୯ ଯାଗୁ ଗୁରୁତର ଆକ୍ରାନ୍ତ ଥାଇ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିବା ୩୫ ପ୍ରତିଶତ ଏବଂ ଅକ୍ସିଜେନରେ ଚିକିତ୍ସିତ ହେଉଥିବା ୨୦ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ଆଶଙ୍କା ଷ୍ଟେରଏଡ ଦ୍ୱାରା ଟଳାଯାଇପାରିବ ବୋଲି ବୈଜ୍ଞାନିକ ଦାବି କରିଛନ୍ତି। ବ୍ରିଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ ହାନକକ୍ କହିଛନ୍ତି ଯେ କୋଭିଡ-୧୯ ପାଇଁ ମାନକ ଚିକିତ୍ସାରେ ଏଣିକି ଡେକ୍ସାମେଥାସୋନ୍ ଅନ୍ତର୍ଭୂକ୍ତ ହେବ। ଯାହା ହଜାର ହଜାର ଲୋକଙ୍କ ଜୀବନ ରକ୍ଷାରେ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଏହି ଆଶ୍ଚର୍ଯ୍ୟଜନକ ସଫଳତା ପଛରେ ଆମ ବୈଜ୍ଞାନିକଙ୍କ ଯୋଗଦାନକୁ ସ୍ୱାସ୍ଥ୍ୟ ସଚିବ ଅତୁଳନୀୟ କହିଛନ୍ତି।  ଏହି ଔଷଧକୁ ବ୍ରିଟେନ ସରକାରସମାନ୍ତରାଳ ରପ୍ତାନି ତାଲିକାରେ ମଧ୍ୟ ଯୋଗ କରିଛନ୍ତି। ଫଳରେ ବ୍ରିଟେନ ସମେତ ବିଶ୍ୱର ବିଭିନ୍ନ ଦେଶରେ କରୋନା ମୁକାବିଲା ଲାଗି ଏହି ଔଷଧ ଏବେ ଉପଯୋଗୀ ହୋଇପାରିବ ବୋଲି ଆଶା କରାଯାଉଛି। ଏଣୁ ଔଷଧର କଳାବଜାରୀ ଅଥବା ମୂଲ୍ୟବୃଦ୍ଧିରେ କଟକଣା ଲାଗିଛି।  ଯେଉଁମାନେ କଟକଣା ଅବମାନନା କରିବେ ସେମାନଙ୍କ ବିରୋଧରେ ନିୟାମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି ବ୍ରିଟେନ ସ୍ୱାସ୍ଥ୍ୟ ବିଭାଗ କହିଛନ୍ତି।

ଡାକ୍ତରୀ ବିଶେଷଜ୍ଞ କହିଛନ୍ତି ଯେ ଡେକ୍ସାମେଥାସୋନ ଅନୁସନ୍ଧାନ ଉତ୍ସାହଜନକ।  କାରଣ ଏହି ଔଷଧ ଡାକ୍ତରଖାନାରେ  ଚିକିତ୍ସିତ ହେଉଥିବା ରୋଗୀଙ୍କ ମୃତ୍ୟୁହାର ହ୍ରାସ କରିବାରେ ସହାୟକ ହେଉଥିବା ବେଳେ ତୁଳନାତ୍ମକ କମ୍ ମୂଲ୍ୟରେ ଏବଂ ସମଗ୍ର ବିଶ୍ୱରେ ଉପଲବ୍ଧ ହୋଇପାରୁଛି।  ତେବେ କରୋନା ଭାଇରସ ମହାମାରୀର ମୁକାବିଲାରେ ଏହି ଔଷଧ ସଫଳ ହେବ ବୋଲି ବ୍ରିଟେନ ସରକାର ଆଶାବ୍ୟକ୍ତ କରିଛନ୍ତି।  

ପୂର୍ବରୁ ୱାର୍ଲ୍ଡ ଆଣ୍ଟି-ଡୋପିଂ ଏଜେନ୍ସି (ଡବ୍ଲୁଡିଏ) ଏହି ଷ୍ଟେରଏଡକୁ ନିଷିଦ୍ଧ କରିଛନ୍ତି। ଏଣୁ କୌଣସି ଆଥଲେଟ୍ ଯଦି ଏପରି ଔଷଧ ବ୍ୟବହାର କରିଥିବାର ପ୍ରମାଣ ମିଳେ ତାଙ୍କୁ ପ୍ରତିଯୋଗୀତାରୁ ବାସନ୍ଦ କରିଆସୁଛନ୍ତି। ଏଣୁ ଅତୀତରେ ଭାରତୀୟ ପ୍ରତିଯୋଗୀ ଦେବେନ୍ଦ୍ର ସିଂ କାଙ୍ଗ, ରିୟଲ ମାଦ୍ରିଦ ଷ୍ଟାର ସର୍ଜିଓ ରାମୋସ ଏହି ଔଷଧ ଗ୍ରହଣ କରି ଡୋପ ଟେଷ୍ଟରେ ଧରାପଡିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.