ନବାବଙ୍କ ପଛରେ ଉଦ୍ଧବଙ୍କ ସମର୍ଥନ : କହିଲେ- 'ଭଲ କାମ କରୁଛ, ଲଢେଇ ଜାରି ରହୁ'...

Published By : Prameya-News7 Bureau | November 11, 2021 IST

ମୁମ୍ବାଇ, ୧୧:୧୧: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହେଲା ପରେ ମହାରାଷ୍ଟ୍ରରେ ରାଜନୀତି ସରଗରମ ରହିଛି । ଏନସିପି ନେତା ନବାବ ମଲ୍ଲିକ ଲଗାତର ଭାବେ ଏହି ଘଟଣାରେ ତଦନ୍ତକାରୀ ସଂସ୍ଥା ଏନସିବିକୁ ଟାର୍ଗେଟ୍ କରୁଛନ୍ତି । ସେ ପୂର୍ବରୁ ଏନସିବି ଅଧିକାରୀ ସମୀର ଓ୍ୱାଙ୍ଖେଡେଙ୍କୁ ଟାର୍ଗେଟ୍ କରିବା ସହ ନାନା ଅଭିଯୋଗ ଲଗାଇଥିଲେ । ଏହାମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନବାବଙ୍କୁ ପ୍ରଶଂସା କରି ଭଲ କାମ କରୁଛ ବୋଲି କହିଛନ୍ତି ।ଏହାସହ ଲଢେଇ ଜାରି ରଖିବାକୁ ଉଦ୍ଧବ କହିଛନ୍ତି ।

ଉଦ୍ଧବ କହିଛନ୍ତି ଯେ, ନବାବ କିଛି ଭୁଲ କରୁ ନାହାଁନ୍ତି । ସେ ଭଲ ଲଢେଇ କରୁଛନ୍ତି । ଆଗକୁ ମଧ୍ୟ ଲଢେଇ ଜାରି ରଖନ୍ତୁ । ଏପରିକି ସେ ନିଜର ସମସ୍ତ ମନ୍ତ୍ରୀଙ୍କୁ ନବାବଙ୍କୁ ସାହାଯ୍ୟ କରିବାକୁ କହିଛନ୍ତି ।

ନବାବ ପୂର୍ବରୁ ସମୀରଙ୍କୁ ଲଗାତର ଭାବେ ଟାର୍ଗେଟ୍ କରି ଚର୍ଚ୍ଚାରେ ରହିଥିଲେ । ସମୀରଙ୍କ ପତ୍ୱୀ ମଙ୍ଗଳବାର ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋସ୍ୟାରୀଙ୍କୁ ଭେଟି ନବାବଙ୍କ ବିରୋଧରେ ଅଭିଯୋଗ କରିଥିଲେ । ନବାବ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ସମୀର ଜାଲ ଜାତିଗତ ପ୍ରମାଣରେ ଚାକିରୀ କରିଥିବା ଓ ଜନ୍ମରୁ ମୁସଲିମ ଥିବା କହିଥିଲେ । ଫଳରେ ଏନସିବି ଓ ନବାବଙ୍କ ମଧ୍ୟରେ ବିବାଦ ବଢିଥିଲା । ଏହାପରେ ସମୀରଙ୍କ ପିତା ନବାବଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ ।

ସେହିପରି ବିଜେପି ମଧ୍ୟ ଏହି ବିବାଦରୁ ନିଜକୁ ଦୂରରେ ରଖିନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ଦେବେନ୍ଦ୍ର ଫଡନାବୀସ ମଙ୍ଗଳବାର କହିଥିଲେ ଯେ, ନବାବ ୧୯୯୩ ମୁମ୍ବାଇ ବିସ୍ଫୋରଣ ଅଭିଯୁକ୍ତଙ୍କ ସହ ଜମି କାରବାର କରିଥିଲେ । ତାଙ୍କର ଅଣ୍ଡରଓ୍ୱାର୍ଲଡ୍ ଡନଙ୍କ ସହ ସମ୍ପର୍କ ରହିଛି ବୋଲି ଫଡନାବୀସ ଅଭିଯୋଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.