ଔରଙ୍ଗାବାଦର ନାମ ପରିବର୍ତ୍ତନ ନେଇ ଶିବସେନା-କଂଗ୍ରେସ ମଧ୍ୟରେ ଫାଟ ! ଉଦ୍ଧବ କହିଲେ- ଔରଙ୍ଗଜେବ ସେକୁଲାର ନଥିଲେ
8/01/2021 at 10:28 PM

ମୁମ୍ବାଇ ୦୮।୦୧: ମହାରାଷ୍ଟ୍ରରେ ଔରଙ୍ଗାବାଦର ନାମ ପରିବର୍ତ୍ତନ ନେଇ ମହାବିକାଶ ଅଘାଡିରେ ମତଭେଦ ବଢୁଥିବା ଦେଖିବାକୁ ମିଳିଛି। ସିଏମଓଙ୍କ ପକ୍ଷରୁ ହୋଇଥିବା ଟ୍ଵିଟ୍ରେ ଔରଙ୍ଗାବାଦକୁ ସମ୍ଭାଜୀ ନଗର ଲେଖିବା ଉପରେ କଂଗ୍ରେସ ଆପତ୍ତି ପ୍ରକାଶ କରିଛି। ଏହା ପରେ ଶିବସେନା ନେତା ସଞ୍ଜୟ ରାଉତ ଜବାବ ଦେଇଛନ୍ତି। ସେ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି ଯେ କଣ ସମ୍ଭାଜୀଙ୍କ ନାମ ସରକାରୀ କାଗଜପତ୍ରରେ ବ୍ୟବହାର କରିବା ଅପରାଧ ? ଏବେ ଖୋଦ୍ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ବିବାଦ ଉପରେ ମୋର୍ଚ୍ଚା ସମ୍ଭାଳିଛନ୍ତି।
ମୁଖ୍ୟମନ୍ତ୍ରୀ ଠାକରେ ଶୁକ୍ରବାର କହିଛନ୍ତି ଔରଙ୍ଗଜେବ ସେକୁଲାର ନଥିଲେ। ଏଥିପାଇଁ ଏହି ପ୍ରସଙ୍ଗ ମହାବିକାଶ ଅଘାଡିର ଏଜେଣ୍ଡ ଅନ୍ତର୍ଗତ ଆସୁନାହିଁ। ମୁଖ୍ୟମନ୍ତ୍ରୀ ଏହି ମାମଲାକୁ ନେଇ ମହାବିକାଶ ଅଘାଡି ସହିତ କୌଣସି ପ୍ରକାରର ମତଭେଦ ନଥିବା କହିଥିବା ବେଳେ ସହଯୋଗୀ କଂଗ୍ରେସ ପାର୍ଟିର ନେତା ତଥା ସରକାରରେ ମନ୍ତ୍ରୀ ଥିବା ବାଲାସାହେବ ଥୋରାଟ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ପାର୍ଟି ଔରଙ୍ଗାବାଦଙ୍କ ନାମ ପରିବର୍ତ୍ତନ ପଦକ୍ଷେପକୁ କଡା ବିରୋଧ କରିବ।
ସେ କହିଛନ୍ତି ଯେ, କଂଗ୍ରେସ ଔରଙ୍ଗାବାଦ ନାଁ ବଦଳାଇବା ପଦକ୍ଷେପକୁ କଡା ବିରୋଧ କରିବ। ଆମକୁ ବିଶ୍ଵାସ ଯେ ଆମର ଏହି ଆଭିମୁଖ୍ୟ ବିଷୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭଲ ଭାବେ ବୁଝି ପାରିବେ। ପ୍ରସଙ୍ଗକୁ ନେଇ ମହାବିକାଶ ଅଘାଡିରେ ଫାଟ ସୃଷ୍ଟି ହେବା ପ୍ରଶ୍ନ ଉପରେ ଥୋରାଟ କହିଛନ୍ତି , କାରଣ ଏହି ମାମଲାକୁ ନେଇ ରାଜନୀତି କରାଯାଉଛି। ମହାବିକାଶ ଅଘାଡି ସର୍ବନିମ୍ନ ଭାଗିଦାରୀ କାର୍ଯ୍ୟକ୍ରମ ଆଧାରରେ କାମ କରୁଛି ଏବଂ ଏହା ଜାରି ରହିବ ବୋଲି ଥୋରାଟ କହିଛନ୍ତି।
ଏଠାରୁ ଆରମ୍ଭ ହେଲା ମାମଲା
ସୂଚନାଯୋଗ୍ୟ, ସିଏମଓ ଦୁଇ ଦିନ ପୂର୍ବେ ମନ୍ତ୍ରିମଣ୍ଡଳର ନିଷ୍ପତ୍ତି ବିଷୟରେ କରାଯାଇଥିବା ଟ୍ଵିଟ୍ରେ କହିଥିଲା ଯେ ସମ୍ଭାଜୀନଗର(ଔରଙ୍ଗାବାଦ)ରେ ସରକାରୀ ମେଡିକାଲ କଲେଜ୍ରେ ଅତିରିକ୍ତ ୧୬୫ ଶଯ୍ୟା ଓ ୩୬୦ ନୂତନ ପଦ ନିର୍ମାଣକୁ ମଞ୍ଜୁରୀ ଦିଆଯାଇଛି। ଏଥିସହ ମହାରାଷ୍ଟ୍ରର ସ୍ଵାସ୍ଥ୍ୟ ମନ୍ତ୍ରୀ ତଥା କଂଗ୍ରେସ ନେତା ଅମିତ୍ ଦେଶମୁଖଙ୍କୁ ଟ୍ଵିଟ୍ରେ ଟ୍ୟାଗ୍ କରାଯାଇଥିଲା।