FICCIର ପ୍ରେସିଡେଣ୍ଟ ହେବେ ସାମ୍ବାଦିକ ଉଦୟ ଶଙ୍କର, ସୋମବାର ଗ୍ରହଣ କରିପାରନ୍ତି ଦାୟିତ୍ବ
11/12/2020 at 4:22 PM

ନୂଆଦିଲ୍ଲୀ ୧୧/୧୨: ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏଫଆଇସିସିଆଇ)ର ନୂଆ ସଭାପତି ହେବାକୁ ଯାଉଛନ୍ତି ଜଣେ ସାମ୍ବାଦିକ। ସାମ୍ବାଦିକ ତଥା କର୍ପୋରେଟ୍ ଏକ୍ଜିକ୍ୟୁଟିଭ୍ ଉଦୟ ଶଙ୍କର ଫିକ୍କିର ପ୍ରେସିଡେଣ୍ଟ ନିଯୁକ୍ତ ହେବେ ବୋଲି ସୂଚନା ମିଳିଛି। ଶନିବାର ଫିକ୍କିର ବାର୍ଷିକ ଏଜିଏମ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋମାବର ଉଦଯାପନୀ ଉତ୍ସବରେ ଉଦୟ ଶଙ୍କର ନୂଆ ସଭାପତି ଭାବେ କାର୍ଯ୍ୟଭାର ସମ୍ଭାଳିବେ।
ବିହାରର ମୁଜାଫରପୁର ଜିଲ୍ଲାର ବାସିନ୍ଦା ଉଦୟ ଶଙ୍କରଙ୍କ କାହାଣୀ ବେଶ ପ୍ରେରଣା ଯୋଗ୍ୟ। ବିହାରର ଏକ ଛୋଟ ସହରରୁ ଦିଲ୍ଲୀ ଆସି ଜେଏନୟୁରେ ପଢ଼ିବା ପରେ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି କରିଥିଲେ। ପରେ ସାମ୍ବାଦିକତା ପ୍ରତି ଦୁର୍ବଳତା ସୃଷ୍ଟି ହେବାରୁ ଉଦୟ ଶଙ୍କର ସିଭିଲ୍ ସର୍ଭିସ୍ ଛାଡ଼ି ସାମ୍ବାଦିକତା କରିଥିଲେ। ସାମ୍ବାଦିକତାରେ ପ୍ରସିଦ୍ଧି ପାଇବା ପରେ କର୍ପୋରେଟ୍ ଜଗତରେ ଦବଦବା ଜାହିର କରିଥିଲେ ଉଦୟ ଶଙ୍କର।
ଫିକ୍କିର ବର୍ତ୍ତମାନ ବରିଷ୍ଠ ଉପସଭାପତି ଉଦୟ ଶଙ୍କର ସଭାପତି ହେବାକୁ ଯାଉଛନ୍ତି। ସୋମବାର ବର୍ତ୍ତମାନର ଫିକ୍କି ପ୍ରେସିଡେଣ୍ଟ ସଂଗୀତା ରେଡ୍ଡି ପଦ ଛାଡ଼ିବାକୁ ଥିବା ବେଳେ ପରମ୍ପରା ଅନୁସାରେ ଉଦୟ ଶଙ୍କର ଏହି ପଦର ଦାୟିତ୍ବଭାର ଗ୍ରହଣ କରିବେ।
୧୯୬୨ରେ ସିଭିଲ ସର୍ଭିସ୍ ପରୀକ୍ଷାରେ ଅକୃତକାର୍ଯ୍ୟ ହେବା ପରେ ଉଦୟ ଶଙ୍କର ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ।ପ୍ରଥମେ ଟାଇମ୍ସ ଅଫ ଇଣ୍ଡିଆ ପରେ ୧୯୯୫ରେ ଟିଭି ସାମ୍ବାଦିକତାରେ ପ୍ରବେଶ କରିଥିଲେ ଉଦୟ ଶଙ୍କର। ପରେ ଷ୍ଟାର ନ୍ୟୁଜ୍ ଦ୍ବାରା ପରିଚାଳିତ ଏକ କମ୍ପାନୀରେ ସେ ସିଇଓ ହୋଇଥିଲେ। ସେଠାରୁ ହିଁ ଉଦୟ ଶଙ୍କର କର୍ପୋରେଟ୍ ଦୁନିଆରେ ପ୍ରବେଶ କରିଥିଲେ।