ଆରଆଇଙ୍କ ଲାଞ୍ଚ ଅଡିଓ ଭାଇରାଲ୍ : ପଥର ମାଫିଆଙ୍କୁ ରୋକଠୋକ କଥା ,‘ମାଲପାଣି ଧରି ଅଫିସକୁ ଆସ’

Published By : Prameya-News7 Bureau | March 03, 2020 IST

ଉଦଳା ୩/୩: ମାଲପାଣି ଧରି ଅଫିସକୁ ଆସ । ୨ହଜାରରୁ ୧୦ହଜାର , ଯାହା ପାରୁଛ ନେଇକି ଅଫିସ୍ ଆସ । ଜଣେ ମାଫିଆଙ୍କୁ ଏଭଳି ଚାନ୍ଦା ମାଗୁଛନ୍ତି ଜଣେ ଆରଆଇ ବା ରାଜସ୍ବ ନିରୀକ୍ଷକ ।ଏହି ଅଡିଓ ଏବେ ଉଦଳା ଅଞ୍ଚଳରେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ଅଡିଓଟିରେ ସିଧାସଳଖ ଲାଞ୍ଚ ମାଗୁଥିବା ରାଜସ୍ବ ନିରୀକ୍ଷକ ଜଣକ ଉଦଳା ତହସିଲ ଅଧୀନସ୍ଥ ଶ୍ରୀଦାମଚନ୍ଦ୍ରପୁର ଆରଆଇ ବୋଲି ଚର୍ଚ୍ଚା ହେଉଛି ଓ ତାହା ବେଶ୍ ସରଗରମ ହୋଇଛି।

ଲାଞ୍ଚ ଅଡିଓ ଭାଇରାଲ୍। ଜଣେ ମାଙ୍କଡା ପଥର ମାଫିଆଙ୍କୁ ବଟି ମାଗୁଛନ୍ତି ରାଜସ୍ବ ନିରୀକ୍ଷକ । ତାହା ପୁଣି ଫୋନ ଯୋଗେ । ‘ମାଲପାଣି ଧରିକି ଆସ .. କେଉଁଠି ଅଛ, ମାଲପାଣି ଧରିକି ଅଫିସକୁ ଆସ ।’ ଏଭଳି ଜଣେ ମାଫିଆଙ୍କୁ କହୁଛନ୍ତି ଉଦଳା ତହସିଲ୍ ଅଧିନର ଶ୍ରୀଦାମଚନ୍ଦ୍ରପୁର ରାଜସ୍ବ ନିରୀକ୍ଷକ ସୌମ୍ୟାଶ୍ରୀ ଆଶୀର୍ବ।ଦମ୍ । ମାଲପାଣି ନେଇ ଅଫିସ୍ ଆସ ବୋଲି ମାଫିଆଙ୍କୁ କହିଥିବାବେଳେ ଏପଟେ କିନ୍ତୁ ଡର ରହିଛି କାଳେ ମାଫିଆ ଏହି ବଟି ମାଗିବା କଥାକୁ ରେକର୍ଡିଂ କରି ରଖୁଛନ୍ତି କି ?

ମାଫିଆଙ୍କୁ ଟଙ୍କା ଧରି ଅଫିସ୍ ଆସିବାକୁ କହୁଛନ୍ତି ରାଜସ୍ବ ନିରୀକ୍ଷକ । ତାହାର ପୁଣି କୌଣସି ସୀମା ନାହିଁ। ୨ ହଜାର, ୪ ହଜାର , ୫ ହଜାର , ୧୦ହଜାର ଯାହା ଅଛି ନେଇ ଅଫିସ୍ ଆସିବାକୁ କହୁଛନ୍ତି। ମାଫିଆ ଜଣକ ପାଖରେ ଏତେ ଟଙ୍କା ନ ଥିବା କହିଥିବାବେଳେ ମାତ୍ର ୧ ହଜାର ଟଙ୍କା ଦେଇପାରିବେ କହିଲେ । ମାତ୍ର ହଜାର ଟଙ୍କାରେ ହେବ ନାହିଁ ।ଖାଦାନରେ ପଥର ରଖିବାକୁ ଦେଉନାହଁ ତୁମ ପାଖରେ ପଇସା ନ ଥିବା ବୋଲି କହିଲେ କଣ ଚଳିବ, ବୋଲି ମାଫିଆଙ୍କୁ କହୁଛନ୍ତି ରାଜସ୍ବ ନିରୀକ୍ଷକ । ଯାହା ହେଉଛି ହେଉ ହେଲେ ଟଙ୍କା ନେଇ ଅଫିସ୍ ଆସ ବୋଲି ମାଫିଆଙ୍କୁ ବାରମ୍ବାର କହୁଛନ୍ତି ମ୍ୟାଡାମ୍ । ଏବେ ଏହି ଅଡିଓ ଫୋନରୁ ଫୋନକୁ ବୁଲୁଛି। ଆରଆଇଙ୍କ କାରନାମା ନେଇ ଚର୍ଚ୍ଚା ବି ବଢ଼ୁଛି। କିନ୍ତୁ ଏ ସମ୍ପର୍କରେ ସରକାରୀ ସ୍ତରରେ କିମ୍ବା ପୋଲିସରେ ଅଭିଯୋଗ ହୋଇନଥିବା ଜଣାଯାଇଛି। ଅଡିଓଟି ଯଦି ସତ ହୋଇଥାଏ ତେବେ ସାଙ୍ଘାତିକ ନିଶ୍ଚୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.